ଜଟଣୀର ତରାବୋଇଠାରେ ଦକ୍ଷତା ବିକାଶ ପ୍ରତିଷ୍ଠାନ ମୁଖ୍ୟ କ୍ୟାମ୍ପସ୍ ଉଦ୍ଘାଟିତ୍‍

ଭୁବନେଶ୍ୱର(ଯୁଗାବ୍ଦ ନ୍ୟୁଜ୍‍): ଭାରତୀୟ ତୈଳ ନିଗମ ଦ୍ୱାରା ପରିଚାଳିତ ଦକ୍ଷତା ବିକାଶ ପ୍ରତିଷ୍ଠାନ (ଏସ୍ଡିଆଇ) ଭୁବନେଶ୍ୱରର ମୁଖ୍ୟ କ୍ୟାମ୍ପସ ଖୋର୍ଦ୍ଧା ଜିଲା ଜଟଣୀର ତରାବୋଇ ଗ୍ରାମରେ ମାନ୍ୟଗଣ୍ୟ ଅତିଥି ଏବଂ ନିମନ୍ତ୍ରିତ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ରବିବାର ଉଦ୍ଘାଟିତ ହୋଇଯାଇଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦେଶର ବିଭିନ୍ନ ଭାଗରୁ ତୈଳ ଶିଳ୍ପ, ଦକ୍ଷତା ବିକାଶ କ୍ଷେତ୍ରର ବରିଷ୍ଠ ପଦାଧିକାରୀ, ପରାମର୍ଶଦାତା, ପ୍ରଶିକ୍ଷଣ ସହଭାଗୀ ଏହି ଅବସରରେ ଯୋଗଦେଇଥିଲେ ।

ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଠାରେ ଦକ୍ଷତା ବିକାଶ ପ୍ରତିଷ୍ଠାନ (ଏସ୍ଡିଆଇ)ର ପ୍ରାରମ୍ଭିକ (ପାଇଲଟ୍) କ୍ୟାମ୍ପସ ୨୦୧୬ ମେ ୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ସେତେବେଳେ ଏହି ପ୍ରାରମ୍ଭିକ କ୍ୟାମ୍ପସ ଉଦ୍ଘାଟନ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜଟଣୀରେ ଏସ୍ଡିଆଇର ମୁଖ୍ୟ କ୍ୟାମ୍ପସ ଆନ୍ତର୍ଜାତିକ ମାନର ଏକ ମେଗା ମଡେଲ ସ୍କିଲ ଏକାଡେମୀ ଭାବେ ଜଟଣୀରେ ପ୍ରତିଷ୍ଠା କରାଯିବାର ଯୋଜନା ଥିବା ଘୋଷଣା କରିଥିଲେ । ତଦନୁଯାୟୀ ୨୦୧୮ ମାର୍ଚ୍ଚ ୧୮ ତାରିଖରେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ମୁଖ୍ୟ କ୍ୟାମ୍ପସର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା ।
ଗତ ତିନି ବର୍ଷ ଧରି ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ କାର୍ଯ୍ୟ କରୁଥିବା ପାଇଲଟ୍ କ୍ୟାମ୍ପସରେ ୭ଟି ଟ୍ରେଡ୍ ପାଠ୍ୟକ୍ରମ ଉପଲବ୍ଧ । ଏହି କ୍ୟାମ୍ପସରେ ପ୍ରତି ବ୍ୟାଚ୍ରେ ପ୍ରାୟ ୨୦୦ ବିଦ୍ୟାର୍ଥୀଙ୍କୁ ୬ ମାସ ଅବଧିର ନିଯୁକ୍ତିଭିତ୍ତିକ ଦକ୍ଷତା ତାଲିମ ପ୍ରଦାନ କରାଯାଉଛି । ଏହା ଦ୍ୱାରା ଉପଯୁକ୍ତ ନିଯୁକ୍ତି ଉପଯୋଗୀ ଦକ୍ଷତା ହାସଲ କରୁଥିବା ତାଲିମପ୍ରାପ୍ତ ଯୁବକଯୁବତୀ ବାହାରୁଛନ୍ତି ଯେଉଁମାନେ କି ସମ୍ମାନଜନକ ଜୀବନ ଜିଇଁ ପାରିବେ । ଭାରତ ସରକାରଙ୍କ ପ୍ରମୁଖ ମହତ୍ୱାକାଂକ୍ଷୀ ପ୍ରକଳ୍ପ ‘ସ୍କିଲ ଇଣ୍ଡିଆ’ ୨୦୧୫ ଜୁଲାଇ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା । ଏହାର ଅଂଶ ସ୍ୱରୂପ ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ସମସ୍ତ ରାଷ୍ଟ୍ରାୟତ ସଂସ୍ଥା ଯଥା- ଆଇଓସିଏଲ୍, ଓଏନଜିସି, ଗେଲ୍, ବିପିସିଏଲ୍, ଏଚ୍ପିସିଏଲ୍, ଓଆଇଏଲ୍, ଇଆଇଏଲ୍ ଏବଂ ବାଲ୍ମର୍ ଲାୱାରି ଭାରତ ବ୍ୟାପୀ ଦକ୍ଷତା ବିକାଶ ପ୍ରତିଷ୍ଠାନ ସ୍ଥାପନ ପାଇଁ ଏହି ମହତ ଉପକ୍ରମରେ ହାତ ମିଳାଇଛନ୍ତି । ଓଡ଼ିଶାରେ ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ପ୍ରଥମ ଦକ୍ଷତା ବିକାଶ ପ୍ରତିଷ୍ଠାନ (ଏସ୍ଡିଆଇ) ରାଜଧାନୀ ଭୁବନେଶ୍ୱରରେ ସ୍ଥାପନ କରାଯାଇଛି, ଇଣ୍ଡିଆନ ଅଏଲ୍ ଏହାର ପ୍ରମୁଖ ନିବେଶକାରୀ ଓ ପରିଚାଳନାକାରୀ କମ୍ପାନୀ । ଏବେ ଜଟଣୀର ତରାବୋଇଠାରେ ୪୬ ଏକର ପରିମିତ କ୍ୟାମ୍ପସ ସହ ବାସ୍ତବ ରୂପ ନେଇଛି । ଏକାଡେମିକ୍ ବ୍ଲକ, ୱାର୍କସପ୍ ଏବଂ ସହଯୋଗୀ ବିସ୍ତାରିତ ସେବା ସମ୍ପୂର୍ଣ୍ଣ ହୋଇଛି । ଏହି ପ୍ରତିଷ୍ଠାନ (ଏସ୍ଡିଆଇ) କାର୍ଯ୍ୟାରମ୍ଭର ୧୦ ବର୍ଷ ମଧ୍ୟରେ ୫୦,୦୦୦ରୁ ଊଦ୍ଧ୍ୱର୍ ବିଦ୍ୟାର୍ଥୀଙ୍କୁ ୨୫ଟି ନିୟମିତ ଟ୍ରେଡ୍ରେ ଦକ୍ଷତା ବିକାଶ ତାଲିମ ପ୍ରଦାନ କରିବ । ଭାରତ ସରକାରଙ୍କ ଜାତୀୟ ଦକ୍ଷତା ବିକାଶ ମିସନର ଅନ୍ୟ ନିଯୁକ୍ତିଭିତିକ ତାଲିମ, ଆର୍ପିଏଲ୍ ପାଠ୍ୟକ୍ରମ ସମେତ ହାଇଡ୍ରୋକାର୍ବନ କ୍ଷେତ୍ର, ସ୍ଥାନୀୟ ଶିଳ୍ପ ଆବଶ୍ୟକତା, ଇଣ୍ଡଷ୍ଟ୍ରୀ ୪.୦ ସମ୍ପର୍କିତ ଅଧିକ ଦକ୍ଷତା ତାଲିମ ଦେବା ଲାଗି ଏହା କାର୍ଯ୍ୟ କରିବ ।
ବ୍ୟାବହାରିକ ଦକ୍ଷତା ତାଲିମ ପ୍ରଦାନ ଲାଗି ଏହି ପ୍ରତିଷ୍ଠାନର ଭିତିଭୂମି ଅନୁଯାୟୀ ସ୍ୱୟଂସମ୍ପୂର୍ଣ୍ଣ ଭାବେ ୧୦୦୦ ଛାତ୍ରଛାତ୍ରୀ, ୨୦୦ ଫାକ୍ଲ୍ଟି ମେମ୍ବର ଏବଂ କର୍ମଚାରୀ, ସ୍ମାର୍ଟ କ୍ଲାସ୍ରୁମ୍ ଏବଂ ୱାର୍କସପ୍ ରହଛି । ଏହି ପ୍ରତିଷ୍ଠାନରେ ଇନ୍କ୍ୟୁବେସନ ଆଣ୍ଡ ଏଂଟରପ୍ରିନ୍ୟୁର ସେଂଟର ରହିଛି ।
ସ୍ଥାନୀୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପ୍ରତିଷ୍ଠାନ ଏବଂ ଶିଳ୍ପ ସହଭାଗୀଙ୍କ ସହବନ୍ଧନରେ ବିଭିନ୍ନ ଉକ୍ରର୍ଷ କେନ୍ଦ୍ର ସ୍ଥାପନ କରାଯିବ । ଏହିସବୁ କେନ୍ଦ୍ରରେ ବହୁ ସଂଖ୍ୟାରେ ନିର୍ଦିଷ୍ଟ ଶିଳ୍ପ-ସହଯୋଗୀ, ନିଯୁକ୍ତି-ସମ୍ପର୍କିତ ଦକ୍ଷତା ତାଲିମ ପାଠ୍ୟକ୍ରମ ଉପଲବ୍ଧ ହେବ । ଏହି ପ୍ରତିଷ୍ଠାନ ଜାତୀୟ ଏବଂ ବିଶ୍ୱସ୍ତରୀୟ ଆବଶ୍ୟକତା ଅନୁଯାୟୀ ଔଦ୍ୟୋଗିକ କାର୍ଯ୍ୟକ୍ରମ ଉପଲବ୍ଧ କରାଇବ । ସ୍ଥାନୀୟ ଶିଳ୍ପ କ୍ଷେତ୍ରରେ ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନିର୍ଦିଷ୍ଟ ସ୍ଥାନୀୟ ଆବଶ୍ୟକତା ପ୍ରତି ପ୍ରଯତ୍ନ କରାଯିବ । ବିଶ୍ୱ ମାନର ନିଜସ୍ୱ ଅତ୍ୟାଧୁନିକ ମଡ଼େଲ ସ୍କିଲ ଏକାଡେମୀ ଭାବେ ଏହି ପ୍ରତିଷ୍ଠାନ ସ୍ଥାପନ କରାଯାଇଛି ଯାହାକି ଉଚ୍ଚ ସ୍ତରର ବୈଷୟିକ ଉକ୍ରର୍ଷ ଆଧାରିତ ଶ୍ରେଷ୍ଠ ଦକ୍ଷତା ତାଲିମ ସୁବିଧା ପ୍ରଦାନ କରୁଛି । ପ୍ରଥମ ପର୍ଯ୍ୟାୟର ଏହି ସୁବିଧା ଏବେ ପ୍ରସ୍ତୁତ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟର ସୁବିଧା ବର୍ଷ ଶେଷ ସୁଦ୍ଧା ଉପଲବ୍ଧ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ