ଜାନୁୟାରୀ ୮ରେ ‘ଅଶୀରେ ବସନ୍ତ ଉତ୍ସବ’

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ଓଡ଼ିଶାର ବରିଷ୍ଠ ସାମ୍ବାଦିକ, ଜନପ୍ରିୟ ସ୍ତମ୍ଭକାର ଏବଂ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ ପୁରସ୍କାରପ୍ରାପ୍ତ ସାହିତ୍ୟିକ ବସନ୍ତ ଦାସଙ୍କ ଅଶୀବର୍ଷ ପୂର୍ତ୍ତି ଉପଲକ୍ଷେ ‘ଅଶୀରେ ବସନ୍ତ ଉତ୍ସବ’ର ଆୟୋଜନ କରାଯାଇଛି । ଆସନ୍ତା ଜାନୁୟାରୀ ୮ ତାରିଖ ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ସ୍ଥାନୀୟ ଇଡ଼କଲ ଅଡ଼ିଟୋରିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବକୁ ଉଦ୍‌ଘାଟନ କରିବା ପାଇଁ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ନିବଦେନ କରାଯାଇଛି । କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ମୁଖ୍ୟ ଅତିଥି, ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ଏବଂ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଅବସରରେ ‘ଅଶୀରେ ବସନ୍ତ’ ଶୀର୍ଷକ ଏକ ପୁସ୍ତକ ଲେକାର୍ପିତ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ସବ କମିଟିର ଆବାହକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି । ୧୯୬୫ ମସିହାରେ ସାମ୍ବାଦିକତା ଜୀବନ ଆରମ୍ଭ କରିଥିବା ଶ୍ରୀ ଦାସ ଓଡ଼ିଆ, ବଙ୍ଗଳା ଓ ଇଂରାଜୀ ସମ୍ବାଦପତ୍ରର ପ୍ରତିନିଧିତ୍ୱ କରି ୧୯୯୬ ମସିହାରେ ‘ଅମୃତ ବଜାର ପତ୍ରିକା’ ଗ୍ରୁପ୍‌ର ଓଡ଼ିଶା ବ୍ୟୁରୋ ଭାବରେ ଅବସର ଗ୍ରହଣ କରିଥିଲେ । ଏହି ସମୟ ମଧ୍ୟରେ ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ରଚନା କରିଥିବା ଷୋଳଖଣ୍ଡ ପୁସ୍ତକ ମଧ୍ୟରେ ‘ଓଡ଼ିଶା ରାଜନୀତିର ଗୋପନ କଥା’ ଏବଂ ‘ଫୁଟ ପ୍ରିଣ୍ଟସ ଅଫ ଇଭେଣ୍ଟଫୁଲ୍ ଡେଜ୍ : ୧୮୦୩-୨୦୦୩’କୁ ଓଡ଼ିଶା ରାଜନୀତିର ଚଳନ୍ତି ଇତିହାସ ଭାବରେ ବିଚାର କରଯାଏ । ଶ୍ରୀ ଦାସ ବିଶ୍ୱର କୋଡ଼ିଏଟି ରାଷ୍ଟ୍ର ଭ୍ରମଣ କରି ସେହି ଅନୁଭୂତି ଆଧାରରେ ଲେଖିଥିବା ଭ୍ରମଣ କାହାଣୀ ପୁସ୍ତକ ‘ଯେ ଦେଶ ଯାଇ ସେ ଫଳ ଖାଇ’ ଓଡ଼ିଶା ସାହିତ୍ୟ ଏକାଦେମୀ ପୁରସ୍କାର ଲାଭ କରିଛି । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ମିଡ଼ିଆ ଏକାଡ଼େମୀ’ ପକ୍ଷରୁ ସାମ୍ବାଦିକ ବୃତ୍ତିରେ ନବାଗତମାନଙ୍କୁ ବିଭିନ୍ନ ତଥ୍ୟ ଓ ତାମିଲ୍ ଯୋଗାଇବା ସହିତ ପ୍ରତିବର୍ଷ ରାଜ୍ୟର ଜଣେ ଲବ୍ଧପ୍ରତିଷ୍ଠ ସାମ୍ବାଦିକଙ୍କୁ ମିଡ଼ିଆ ଏକାଡ଼େମୀ ସମ୍ମାନ ପ୍ରଦାନ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ