ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ୍‌ର ଆକ୍ରମଣ ବିରୋଧରେ ଗଣପ୍ରତିବାଦ

ଭୁବନେଶ୍ୱର : ‘ଆମେ ଭାରତବାସୀ’-ଓଡ଼ିଶା ତରଫରୁ ଜମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଉପରେ ଦିଲ୍ଲୀ ପୋଲିିସ୍‌ର ବର୍ବର ଆକ୍ରମଣ ବିରୋଧରେ ପ୍ରତିବାଦ ବିକ୍ଷୋଭ ସଂଗଠିତ କରାଯାଇଛି । ଜାମିଆ ମିଲିଆର ଛାତ୍ରଛାତ୍ରୀମାନେ ନାଗରିକତା ସଂଶୋଧନ ଆଇନ୍‌, ଜାତୀୟ ଜନସଂଖ୍ୟା ପଞ୍ଜିକା ଏବଂ ଜାତୀୟ ନାଗରିକ ପଞ୍ଜିକା ବିରୋଧରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କଲାବେଳେ ପୋଲିସ୍ ଯେଉଁଭଳି ଭାବରେ ଅତି ଲଜ୍ଜାଜନକ ମରଣାନ୍ତକ ଆକ୍ରମଣ ଏବଂ ଅସଦାଚରଣ କରିଛି, ତାହା ଘୋର ନିନ୍ଦନୀୟ କାର୍ଯ୍ୟ । ସରକାରୀ କଳ, ପୋଲିସ୍ ବଳ ଏବଂ ଗୁଣ୍ଡା ବାହିନୀର ଦମନ ଦ୍ୱାରା କୌଣସି ଗଣତାନ୍ତ୍ରିକ ଆନ୍ଦୋଳନ ଦବି ଯିବ ନାହିଁ ବୋଲି କୁହାଯାଇଛି । ମାଷ୍ଟର କ୍ୟାଣ୍ଟିନ ଛକଠାରେ ‘ଆମେ ଭାରତବାସୀ’ ତରଫରୁ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ବିଭିନ୍ନ ନେତୃବୃନ୍ଦ କହିଥିଲେ ଯେ, ‘ବେଟୀ ବଢାଓ-ବେଟୀ ପଢାଓ’ ସ୍ଲୋଗାନ ଦେଉଥିବା ଶାସକ ଦଳର ଗୁଣ୍ଡାମାନେ ଦିଲ୍ଲୀର ଗାର୍ଗୀ ମହିଳା କଲେଜରେ ଜୟ ଶ୍ରୀରାମ ଧ୍ୱନି ପକାଇ ଛାତ୍ରୀମାନଙ୍କୁ ଅସଦାଚରଣ କରିବା ଏବଂ ଅଭିଯୋଗ ସତ୍ତ୍ୱେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା, କ୍ରମାଗତ ଭାବେ ଜାମିଆ ମିଲିଆ ଓ ଜେଏନ୍‌ୟୁ ଛାତ୍ରଛାତ୍ରୀମାନଙ୍କ ଉପରେ ଶାରୀରିକ ଆକ୍ରମଣ କରାଯିବା, ବିଜେପି ସରକାରଙ୍କ ଏକଛତ୍ରବାଦୀ ଏବଂ ଅଗଣତାନ୍ତ୍ରିକ ଆଚରଣକୁ ହିଁ ପ୍ରଦର୍ଶନ କରୁଛି । କେନ୍ଦ୍ର ସରକାର ବେକାରୀଙ୍କୁ ନିଯୁକ୍ତି, ଦର ବୃଦ୍ଧି ନିୟନ୍ତ୍ରଣ, କୃଷକ ଆତ୍ମହତ୍ୟା ଇତ୍ୟାଦି ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି । ଏହା ସାଙ୍ଗକୁ ଧର୍ମ ନାମରେ ଦେଶକୁ ବିଭାଜନ କରିବା ପାଇଁ ଯେଉଁ ଯୋଜନା ରଚନା କରିଥିଲେ, ତାହା ବିରୋଧରେ ଜନ ଆକ୍ରୋଶ ଏବଂ ଜନ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି । ଦିଲ୍ଲୀ ନିର୍ବାଚନର ରାୟ ଏବଂ ସାରା ଦେଶରେ ଚାଲିଥିବା ଜନଆନ୍ଦୋଳନକୁ ସମ୍ମାନ ଦେଇ କେନ୍ଦ୍ର ସରକାର ଅବିଳମ୍ବେ ସମ୍ବିଧାନ ବିରୋଧୀ ନାଗରିକ ସଂଶୋଧନ ଆଇନ୍ ପ୍ରତ୍ୟାହାର କରନ୍ତୁ, ପ୍ରସ୍ତାବିତ ଜାତୀୟ ନାଗରିକ ପଞ୍ଜିକା ରଦ୍ଦ କରନ୍ତୁ ଏବଂ ପ୍ରସ୍ତାବିତ ଜାତୀୟ ଜନସଂଖ୍ୟା ପଞ୍ଜିକା ବନ୍ଦ କରିବା ପାଇଁ ଦାବି କରାଯାଇଛି । ପ୍ରତିବାଦ ଅଭିଯାନରେ ଅଭିରାମ ବେହେରା, ବିଶ୍ୱପ୍ରିୟ କାନୁନ୍‌ଗୋ, ସୁରେଶ ପାଣିଗ୍ରାହୀ, ଶ୍ରୀକାନ୍ତ ମହାନ୍ତି, ସତୀଶ ମିଶ୍ର, ମହେନ୍ଦ୍ର ପରିଡ଼ା, ଶିବ ରାମ, ନରେନ୍ଦ୍ର ମହାନ୍ତି, ସଂଘମିତ୍ରା ଜେନା, ସ୍ୱାତୀ ମିଶ୍ର, ମହମ୍ମଦ ଜିଆଉଦ୍ଦିନ ଅହମ୍ମଦ, ସାଲ ମାର୍ଣ୍ଡିଂ, ମିନତୀ ପାଣିଗ୍ରାହୀ, ସଞ୍ଜୀବ ପତ୍ରି, ଅବକାଶ ସାହୁ, ପ୍ରଦୀପ ମହାକୁଡ଼, ପ୍ରଭାତ ପାଣିଗ୍ରାହୀ, ବଂଶୀଧର ପରିଡ଼ା, ଚିତ୍ତରଞ୍ଜନ ମହାନ୍ତି, ହାଡ଼ିବନ୍ଧୁ ପଟ୍ଟନାୟକ, ପ୍ରମୋଦିନୀ ସାହୁ, ଶ୍ରୀମନ୍ତ ମହାନ୍ତି, ଲେନିନ୍ କୁମାର, ଗୋହିଗୋବିନ୍ଦ ବେସ୍ରା, ବିଶ୍ୱଭୂଷଣ ମହାପାତ୍ର, ପ୍ରଦୀପ୍ତ ନାୟକ, ଅଶୋକ ସାହୁ ପ୍ରମୁଖ ବିଭିନ୍ନ ଜନଆନ୍ଦୋଳନ, ଜନସଂଗଠନ ଏବଂ ସାମାଜିକ କର୍ମୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ