ଜାମୁଗାଁ ପଂଚାୟତରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ
ନାଉଗାଁ, (ଓ୍ବାଇଏନ୍ଏସ୍):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁଗାଁ ପଂଚାୟତର ସମାଜସେବୀ ଦିଲ୍ଲିପ କୁମାର ପାଢୀ ଉକ୍ତ ପଂଚାୟତରେ ବିଭିନ୍ନ ଦୁର୍ନୀତି ହୋଇଥିବାକୁ ନେଇ ଅଭିଯୋଗ କରି ଏହାର ତଦନ୍ତ କରିବାକୁ ଦାବି କରିଥିଲେ । ଏହାର ତଦନ୍ତ ହୋଇ ନ ଥିବା ହେତୁ ସୋମବାର ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସି ରହିଥିଲେ । ଅଭିଯୋଗ ଉପରେ ଆସନ୍ତା ୧୫ ଦିନ ମଧ୍ୟରେ ଉପରୀସ୍ଥ କାର୍ଯ୍ୟାଳୟକୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇ ଜଣାଇବେ ବୋଲି ବିଡିଓ ରଶ୍ମୀରେଖା ମଲ୍ଲିକ ଲିଖିତ ଭାବେ ମଙ୍ଗଳବାର ଜଣାଇବା ପରେ ଶ୍ରୀ ପାଢୀ ଅନଶନରୁ ଓହରିଥିବା ପ୍ରକାଶ କରିଛନ୍ତି । ଅନଶନସ୍ଥଳରେ ଏବିଡିଓ ଦେବେନ୍ଦ୍ର ପ୍ରଧାନ, ଜିପିଇଓ ଦିନେଶ ରାୟ, ଆଇଆଇସି ଭରତ କୁମାର ବେହେରା, ବ୍ଲକ ବିଜେଡି ସଭାପତି ସୁଜିତ ମଲ୍ଲିକ, ଜାମୁଗାଁ ପଂଚାୟତ ବିଜେଡି ସଭାପତି ଅନୁପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ମୁତାବକ ଶ୍ରୀ ପାଢୀ ଗତ ଫେବୃଆରୀ ୮ ତାରିଖରେ ପଂଚାୟତରେ ବିଭିନ୍ନ ଦୁର୍ନୀତି ହୋଇଥିବା ସଂପର୍କରେ ୬ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ପ୍ରଦାନ କରିଥିଲେ । ଉକ୍ତ ଦାବି ଉପରେ ତଦନ୍ତ କରା ନଗଲେ ଆସନ୍ତା ମାର୍ଚ୍ଚ ୧ ତାରିଖରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଥିଲେ । ଦାବି ଗୁଡିକ ମଧ୍ୟରେ ଉକ୍ତ ପଂଚାୟତରେ ଅନ୍ତ୍ୟୋଦୟ ଯୋଜନା, ବାର୍ଦ୍ଧକ୍ୟ ଭତା, ଫନି ବାତ୍ୟା ସହାୟତା, କାଳିଆ ସହାୟତା ଆଦିରେ ଆସାଧୁ ଉପାୟରେ ଅର୍ଥ ନିଆଯାଇଛି । ଏହାର ତଦନ୍ତ କରାଯାଇ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପାଢୀ ଦାବି କରିଥିଲେ । କିନ୍ତୁ ଉକ୍ତ ଦାବି ଗୁଡିକ ଉପରେ ତଦନ୍ତ ନହେବାରୁ ସେ ଆମରଣ ଅନଶନରେ ବସିରହିଥିଲେ ।