ଜାହାନିଆଁ ଠାରେ ବାଲିଯାତ୍ରା ଆରମ୍ଭ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ର ସର୍ବଧର୍ମ ସମନ୍ଵୟ ର ପ୍ରସିଦ୍ଧ ପୀଠ ଜାହାନିଆଁ ଠାରେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସର ରେ ଦୁଇଦିନିଆ ବାଲିଯାତ୍ରା ଆରମ୍ଭ ହୋଇଛି। ଏହି ପୀଠ ର ବିଶେଶତ୍ଵ ହେଉଛି ଯେ, ଏଠାରେ ଉଭୟ ହିନ୍ଦୁ ଓ ମୁସଲମାନ ଭକ୍ତ, ଯାତ୍ରୀ ପୀର ବାବାଙ୍କ ପୀଠ ରେ ପୂଜା କରିଥାନ୍ତି। ଆଜି ସକାଳୁ ହଜାର ହଜାର ଉଭୟ ହିନ୍ଦୁ ଓ ମୁସଲମାନ ଭକ୍ତ ମାନେ ଛୁଟି ଆସିଥିଲେ ଜାହାନିଆଁ ପୀର ବାବାଙ୍କ ପୀଠ କୁ। ବାବା ଙ୍କ ପୀଠ ବାଲି ରେ ନାଲି ପତାକା ପୋତି, ବାବା ଙ୍କ ଦରଘା ରେ ଚାଦର ଚଢାଇ, ବାବା ଙ୍କୁ ଲିଆ, ଖଇ, କଦଳୀ ଭୋଗ ଲାଗି କରି ନିଜ ପରିବାର ଓ ସନ୍ତାନ ମାନଙ୍କ ମଙ୍ଗଳ କାମନା କରିଥିଲେ। ପରେ ନିକଟସ୍ଥ ସମୁଦ୍ର କୁ ଯାଇ ସମୁଦ୍ର ସ୍ନାନ କରି ମଜା ଉଠାଇଥିଲେ। ପ୍ରାତଃ ରୁ ସଂଧ୍ୟା ପର୍ଯ୍ୟନ୍ତ ଜାହାନିଆଁ ଠାରେ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ଲାଗିଥିଲା। ଏହି ଅବସର ରେ ପୀଠ ନିକଟସ୍ଥ ପଡିଆ ଓ ସମୁଦ୍ରକୂଳ ବେଳାଭୁମି ଠାରେ ମେଳା ଲାଗିଥିଲା।ସ୍ଥାନୀୟ ପଞ୍ଚାୟତ, ବ୍ଲକ ପ୍ରଶାସନ,ପୋଲିସ , ମନ୍ଦିର ପୂଜକ ଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା। ଅଗ୍ନିଶମ ବିଭାଗ ପକ୍ଷରୁ ସମୁଦ୍ର ଉପକୂଳରେ ଲାଇଫ ଗାର୍ଡ ମୁତୟନ ହୋଇଥିଲେ। ଅସ୍ତରଙ୍ଗ ଠାରୁ ମେଳା ସ୍ଥାନ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରାଯାଇଥିଲା। ଏଠାରେ ଦୁଇଦିନ ଧରି ବାଲିଯାତ୍ରା ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ପୀର ବାବାଙ୍କୁ ଦର୍ଶନ କରିବା, ସମୁଦ୍ର ରେ ସ୍ନାନ କରିବା, ମେଳା ରେ ଚଟ ପଟି ଖାଦ୍ୟ ଖାଇବା ସାଙ୍ଗକୁ ଘର କରଣା ସାମଗ୍ରୀ, ପିଲାଙ୍କ ପାଇଁ ଖେଳନା କିଣିବା ପାଇଁ ଜାହାନିଆଁ ଠାରେ ପ୍ରବଳ ଜନ ସମାଗମ ହୋଇଥିଲା।