ଜିମ୍ ଭଙ୍ଗାରୁଜା ମାମଲା ଫେରାର ଅଭିଯୁକ୍ତ ଶିବଙ୍କୁ  କୋର୍ଟ ଚାଲାଣ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗତ ୨୦୨୨ ନଭେମ୍ବର ୬ ତାରିଖ ରେ ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ କାନାରା ବ୍ୟାଙ୍କ ନିକଟରେ ଥିବା ଆର. ଆର ଜିମ୍ ରେ ବ୍ୟାପକ ଭଙ୍ଗାରୁଜା ଏବଂ ଜିମ୍ ମାଲିକଙ୍କ ମାଆ କୌଶଲ୍ୟା ପାତ୍ରଙ୍କୁ ଗାଳିଗୁଲଜ ମାମଲାରେ ପୋଲିସ ମଙ୍ଗଳବାର  ଫେରାର ଅଭିଯୁକ୍ତ ଶିବ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦିଗପହଣ୍ଡି ସାହାଣୀ  ସାହିର ବହୁ ମହିଳା ଓ ପୁରୁଷ ଘଟଣା ଦିନ  ଅପରାହ୍ନ ପ୍ରାୟ ୪ ଟା ରେ ଜିମ ଭିତରକୁ ଯାଇ ଭଙ୍ଗାରୁଜା କରିଥିଲେ । ଏପରିକି ଜିମର ସିସି କ୍ୟାମେରା ଏବଂ ୪ ଟି ଗାଡ଼ିକୁ ଭଙ୍ଗାରୁଜା କରିବା ପରେ ସ୍ଥାନୀୟ ପିଏଚଡ଼ି ରୋଡରେ ରହୁଥିବା ଜିମ୍ ମାଲିକ ରାଜୁ ପାତ୍ରଙ୍କ ଘରକୁ ଯାଇ ସେ ଘରେ ନଥିବା ସମୟରେ ତାଙ୍କ ମାଆଙ୍କୁ ଦୁର୍ବ୍ୟବହାର କରିଥିଲେ । ଯାହାକୁ ନେଇ ରାଜୁଙ୍କ ମାଆ ଗତ ନଭେମ୍ବର ୮ ତାରିଖ ଦିନ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ପୋଲିସ ଏତଲାକୁ ଭିତ୍ତିକରି ଥାନା କେସ୍ ନଂ. ୩୮୫/୨୩ ପ୍ରକାରେ ୧୬ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପରବର୍ତ୍ତୀ ସମୟରେ ପୋଲିସ ଏହି ମାମଲାରେ  ୮ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଅଭିଯୁକ୍ତ ଶିବ ଗିରଫ ଭୟରେ ଘଟଣା ପରଠୁ ଫେରାର ରହିଥିଲା । ତେବେ ସୋମବାର ଅଭିଯୁକ୍ତ ଶିବ ଦିଗପହଣ୍ଡି ଆସି ଘୁରି ବୁଲୁଥିବା  ଖବରପାଇ ପୋଲିସ ତାଙ୍କୁ ଗିରଫ କରିଥିଲା । ପୋଲିସ ଜିଆର୍ କେସ୍ ନଂ ୫୯୦/୨୨ ପ୍ରକାରେ ଦିଗପହଣ୍ଡି କୋର୍ଟ ପକ୍ଷରୁ ଜାରି କରାଯାଇଥିବା ଜାମିନ ବିହୀନ ଗିରଫ ପରୱାନା ୱାରେଣ୍ଟ ବଳରେ  ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିଲେ।  ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଶିବଙ୍କୁ ଦିଗପହଣ୍ଡି ସବ୍ ଜେଲ   ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ