ଶେରଗଡ ରେ ଶିକ୍ଷା ବିଭାଗର ବିକଳ ଚିତ୍ର, ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ ରୁ ପାଠ ପଢା ବାଧାପ୍ରାପ୍ତ
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଶେରଗଡ ରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି। ଶେରଗଡ ରେ ମୋଟ ୧୫୨ ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟ ରହିଛି। କିନ୍ତୁ ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ ସାଙ୍ଗକୁ ଭିତ୍ତିଭୂମି ବିକାଶ ରେ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ଦିଆଯାଈପାରୁନାହିଁ। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀ ମାନେ ଘରୋଇ ହାଈସ୍କୁଲ କୁ ପସନ୍ଦ କରୁଥିବା ସମୟରେ ସରକାରୀ ସ୍କୁଲରେ ଉପସ୍ଥାନ ହାର କ୍ରମଶଃ କମିବାରେ ଲାଗିଛି। ଏତଦଭିନ୍ନ ଶେରଗଡ ବ୍ଲକ ରେ ପ୍ରଥମ ପର୍ଯ୍ୟାୟରେ ୨୭ ହାଈସ୍କୁଲ ଓ ଆଦର୍ଶ ବିଦ୍ୟାଳୟ କୁ ରୂପାନ୍ତରିତ ବିଦ୍ୟାଳୟ ରେ ପରିଣତ କରାଯାଇଛି। ରୂପାନ୍ତରିତ ବିଦ୍ୟାଳୟର ନିୟମ ଅନୁସାରେ ସ୍ମାର୍ଟ ରୁମ,ଈ-ଲାଈବ୍ରେରୀ,ବିଜ୍ଞାନାଗାର,କ୍ରୀଡା ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବା କଥା। ଯାହାଦ୍ୱାରା କି ଛାତ୍ରଛାତ୍ରୀ ମାନେ ସଶକ୍ତ ହେବା ସହ ଗୁଣାତ୍ମକ ଶିକ୍ଷା ପାଈପାରିବେ। ମାତ୍ର ଦୁଃଖ ଓ ପରିତାପର ବିଷୟ ହେଲା- ତାଲିମପ୍ରାପ୍ତ ଶିକ୍ଷକ ଙ୍କ ଅଭାବ, କ୍ରୀଡା ସାମଗ୍ରୀର ଅଭାବ ପରିଲକ୍ଷିତ ହେଉଛି। ଶିକ୍ଷା ବିଭାଗ ର ସୂଚନା ଅନୁସାରେ, ସରକାରୀ ହାଈସ୍କୁଲ ଗୁଡିକ ର ପ୍ରଧାନ ଶିକ୍ଷକ ସମେତ କଳା,ବିଜ୍ଞାନ, କ୍ରୀଡା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବୀ ଖାଲି ପଡିଛି। ସେହିଭଳି ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ହାଈସ୍କୁଲ ମାନଙ୍କର ଅଧାରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଛି। ଏଠି କଥା ଉଠୁଛି, ଚଳିତ ଶିକ୍ଷା ବର୍ଷ ସରିବାକୁ ବସିଲାଣି ହେଲେ ଛାତ୍ରଛାତ୍ରୀ ମାନଙ୍କୁ କଣ ପଢାଯାଈଥିବ ଓ ସେମାନେ ପରୀକ୍ଷା ଦେଈ ଆଗକୁ ବଢିବେ ସହଜେ ଅନୁମେୟ। ଔପଚାରିକ ଭାବେ ସରକାରୀ ଘୋଷଣାନାମା ଅନୁସାରେ ଶିକ୍ଷା କ୍ଷେତ୍ରରେ ସରକାର ବିକାଶ ଆଣିଥିବା ବିଷୟ ପ୍ରକାଶ ପାଈଛି। ମାତ୍ର ଶିକ୍ଷକ ଓ ଶୈକ୍ଷିକ ବାତାବରଣ ଅଭାବ ସାଙ୍ଗକୁ କାଗଜ କଲମରେ ଭିତ୍ତିଭୂମି ବିକାଶ ହୋଈଥିବା ଦର୍ଶାଯାଈଥିବାରୁ ଶିକ୍ଷା ର ବିକାଶ ପରିବର୍ତ୍ତେ ସରକାରୀ ସ୍କୁଲ ମାନଙ୍କ ରେ ଛାତ୍ରଛାତ୍ରୀ ମାନଙ୍କର ସଂଖ୍ୟା ହ୍ରାସ ପାଈ ଚାଲିଛି। ଯାହା ଦ୍ବାରା ଅଭିଭାବକ ମାନେ ସେମାନଙ୍କ ପିଲା ମାନଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢିବାକୁ ଆଉ ଈଚ୍ଛା ପ୍ରକାଶ କରୁନାହାନ୍ତି। ଉକ୍ତ ସମସ୍ୟା ଉପରେ ଉଚ୍ଚ ଶିକ୍ଷା ବିଭାଗର ଅଧିକାରୀ ଏ ସମସ୍ୟା କୁ ଗୁରୁତ୍ୱ ର ସହ ନେବା ଜରୁରୀ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ପ୍ରକାଶ ଥାଉକି, ଶେରଗଡ ସହରରେ ଥିବା ମହାତ୍ମାଗାନ୍ଧୀ ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ରେ ୨୦୨୩ ଜୁନ ରୁ ହିନ୍ଦୀ ଶିକ୍ଷକ,୨୦୨୪ ମେ ମାସରୁ ସଂସ୍କୃତ ଶିକ୍ଷକ ସହ ବିଦ୍ୟାଳୟରେ ମୋଟ ୭ ଜଣ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ପାଠ ପଢା କେମିତି ଚାଲିଥିବ ତାହା ସହଜରେ ଜଣାପଡୁଛି।


