ଜିଲା ବ୍ୟାପୀ ଆରମ୍ଭ ହେଲା ‘ଅପରେସନ ସ୍ୟାଣ୍ଡ ଷ୍ଟର୍ମ’

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଉପ-ଜିଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣାରେ ପୁଲିସ ପକ୍ଷରୁ ଦୀର୍ଘ ୨୪ ଘଣ୍ଟା ଧରି ତନାଘନା ଚାଲିବା ସହ ୩ ମହିଳାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି । ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିବା ଉପ-ଜିଲାପାଳଙ୍କ ଡ୍ରାଇଭର ଗଗନ ବିହାରୀ ପ୍ରଧାନଙ୍କ ଏତଲା ମୂଳେ ୪୦/୨୦୨୩ ନଂର ମାମଲା ରୁଜୁ ସହ ସହଦେବଖୁଣ୍ଟା ଥାନା ପୁଲିସ ଶୁକ୍ରବାର ଅପରାହ୍ନରୁ ଦହପଡ଼ା କଣ୍ଟବଣିଆ ଅଞ୍ଚଳରେ ଧରପଗଡ଼ ଆରମ୍ଭ କରିଥିଲା । ଶୁକ୍ରବାରା ସଂଧ୍ୟାରେ ଦୁଇ ମୁଖ୍ୟ ଅଭିଯୁକ୍ତ ମନୋରଂଜନ ବେହେରା ଓ ଚିତ୍ତରଂଜନ ବେହେରାଙ୍କୁ ପୁଲିସ ଗିରଫ କରିଥିଲା । ପରେ ସେମାନଙ୍କ ସୂଚନା ଆଧାରରେ ୫ ଗୋଟି ପୁଲିସ ଟିମ ସମଗ୍ର ଜିଲାରେ ଖାନତଲାସ ଚଳାଇ୨୪ ଘଣ୍ଟାରେ ୧୧ ଜଣଙ୍କୁ ଗିରଫ କରାଯାଇଥିବା ଏସପି ଶ୍ରୀମତୀ ନାଥ ସୂଚନା ଦେଇଛନ୍ତି । ଏହି ଆକ୍ରମଣ ଘଟଣାରେ ୩୦ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି । ତେବେ ବାଲେଶ୍ୱର ନଦୀବାଲି ସମେତ ଜିଲାରେ ଚାଲିଥିବା ବେଆଇନ ଲଘୁ ଖଣିଜ ସାମଗ୍ରୀ ଉତ୍ତୋଳନ ଓ ଚୋରା ଚାଲାଣ ରୋକିବା ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ପୁଲିସ ଓ ପ୍ରଶାସନ ପକ୍ଷରୁ ନିଷ୍ପତ୍ତ ନିଆଯାଇଥିବା ସେ କହିଛନ୍ତି । ପୂର୍ବାଞ୍ଚଳ ଜୋନ ପୁଲିସ ଆଇଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବାବଧାନରେ ଅପରେସନ ସ୍ୟାଣ୍ଡ ଷ୍ଟର୍ମ (ବାଲିଝଡ଼) ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ବାଲେଶ୍ୱର ମାଫିଆମୁକ୍ତ ହେବ ବୋଲି ଶ୍ରୀମତୀ ନାଥ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏନେଇ ସେ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ