ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଜଜାଙ୍ଗ ଗ୍ରାମର ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତିରୁ ଋଣ ଆଣି ଚାଷ କରିଥିବା ବେଳେ ସେମାନଙ୍କ ଫସଲ ଗତ ତିତଲିରେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସେମାନଙ୍କୁ ଫସଲ ବୀମା ପ୍ରଦାନ କରାଯାଇନଥିଲା । ସେମାନଙ୍କ ଚାଷଜମି ଉପରେ ପ୍ରାୟ ୫ଫୁଟରୁ ୧୫ ଫୁଟ ପର୍ଯ୍ୟନ୍ତ ପାଣି ଜଳମଗ୍ନ ହୋଇ ରହିଥିଲା । ଫଳରେ ସେମାନଙ୍କର ୭୦ରୁ ୮୦ ଭାଗ ଫସଲ ଜଳମଗ୍ନ ହୋଇ ରହିବାରୁ ଉଜୁଡି ଯାଇଥିଲା । ଏ ସମ୍ପର୍କରେ ଚାଷୀମାନଙ୍କ ପକ୍ଷରୁ ପଂଚାୟତର କୃଷକସାଥି ହରେକୃଷ୍ଣ ବେହେରା ଓ ଅନ୍ୟ କୃଷକମାନେ କୃଷି ବିଭାଗ ସମେତ ପ୍ରଶାସନକୁ ବହୁବାର ଅବଗତ କରାଇଥିଲେ । କିନ୍ତୁ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଚାଷୀମାନେ ଆଜି ଅନଶନରେ ବସିବାକୁ ବାଧ୍ୟ ହୋଇଥିଲେ ବୋଲି ଅଭିଯୋଗ କରିଛନ୍ତି । କ୍ଷତିଗ୍ରସ୍ତ ଚାଷୀମାନଙ୍କ ପକ୍ଷରୁ କୃଷକ ସାଥି ଶ୍ରୀ ବେହେରାଙ୍କ ସମେତ ପରମାନନ୍ଦ ମହାନ୍ତି,ଜିତେନ୍ଦ୍ର କୁମାର ସାହୁ,ନୃସିଂହ ଚରଣ ନାୟକ,ନଳିନୀକାନ୍ତ ଭଦ୍ର,ପ୍ରଦ୍ୟୁମ୍ନ ବେହେରା,କେଶବ ଚରଣ ଦାସ,ଚଇତନ୍ୟ ଭଦ୍ର,ଧିରେନ୍ଦ୍ର ନାଥ ନାୟକ,ନାରାୟଣ ତ୍ରିପାଠୀ,କାର୍ତ୍ତିକେଶ୍ୱର ସେଠୀ,ଚନ୍ଦ୍ରମଣି ସ୍ୱାଇଁ,ପ୍ରହଲ୍ଲାଦ ସାମଲ,ପ୍ରଦିପ କୁମାର ରାଉତ,ନିତ୍ୟାନନ୍ଦ ଦାସ,ଦାମୋଦର ବେହେରା,ରବିନ୍ଦ୍ର ପାତ୍ର ପ୍ରମୁଖ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସି ରହିଛନ୍ତି । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କୈାଣସି ସରକାରୀ ଅଧିକାରୀ ଅନଶନ ସ୍ଥଳକୁ ଆସିନଥିବାର ଦେଖାଯାଇଛି ।