ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲେ ବାକୁଟ ସୋସାଇଟିର ଚାଷୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଚାଷୀଙ୍କ ଧାନ ତୁରନ୍ତ କିଣିବା ଦାବି ନେଇ ଖଲ୍ଲିକୋଟ ବ୍ଲକ ବାକୁଟ ସୋସାଇଟିର ବହୁ ଚାଷୀ ଗଞ୍ଜାମ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ମୁଖ୍ୟ ଯୋଗାଣ ଅଧିକାରୀ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଖଲ୍ଲିକୋଟ ବ୍ଲକ ବାକୁଟ ସୋସାଇଟିର ପ୍ରାୟ ୪୦ ଜଣ ଚାଷୀଙ୍କ ଟୋକେନର ଅବଧି ସରିଯାଇଥିବା ବେଳେ ଆସନ୍ତା ୩ ତାରିଖ ସୁଦ୍ଧା ଆଉ ୬୧ ଜଣ ଚାଷୀଙ୍କ ଟୋକେନର ଅବଧି ଶେଷ ହେବାକୁ ଯାଉଛି । ଏନେଇ ସେମାନେ ପୂର୍ବରୁ ବାରମ୍ଭାର ଏମଆଇଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେମାନେ ବାଧ୍ୟ ହୋଇ ଆଜି ଛତ୍ରପୁରସ୍ଥିତ ମୁଖ୍ୟ ଯୋଗାଣ ଅଧିକାରୀ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପାଖରେ ପ୍ରାୟ ୨୨୦୦ କୁଇଣ୍ଟାଲ ଧାନ ଅଛି । ସେଗୁଡିକୁ ତୁରନ୍ତ କିଣାଯିବା ନିମନ୍ତେ ସେମାନେ ଏହି ଦାବିପତ୍ର ମାଧ୍ୟମରେ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ବାକୁଟ ସୋସାଇଟିର ଝୁନୁ ପ୍ରଧାନ, ମିନି ପ୍ରଧାନ, ମମତା ପ୍ରଧାନ, ଅଙ୍ଗଜ ପ୍ରଧାନ, ଆକୁଳ ପ୍ରଧାନ, ବିନାୟକ ମଲ୍ଲିକ, ସିମାଂଚଳ ମଲ୍ଲିକ, ଭାବିନୀ ନାହାକ, ମମତା ପ୍ରଧାନ, ବନିତା ପ୍ରଧାନ, ମୋହନ ପ୍ରଧାନ, ଦେବରାଜ ପଲେଇ, କୁମାରୀ ମଲ୍ଲିକଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।