ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଅମରା ଏବଂ ଡାଳିମ୍ବପୁର ଗ୍ରାମ ନିକଟରେ ଆରମ୍ଭ ହେବାକୁ ଯାଉଥିବା ଦେଶୀ ରନ୍ଧା ମଦଭାଟିକୁ ତୁରନ୍ତ ବନ୍ଦ କରିବା ନିମନ୍ତେ ଏସ୍‌ଏଚ୍‌ଜି ଓ ଗ୍ରାମବାସୀ ଗଜପତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇ ମଦଭାଟି ବିରୁଦ୍ଧରେ ବିଭିନ୍ନ ନାରାବାଜି ଦିଆଯାଇଥିଲା । ଅମରା ଏବଂ ଡାଳିମ୍ବପୁର ଗ୍ରାମର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ଡି.କଲ୍ୟାଣୀ, ସନ୍ତୋଷୀ ପାଣି, କେ.ଅର୍ଣ୍ଣପୂର୍ଣ୍ଣ, ଏମ୍‌.ପାପାମ୍ମା, କେ. ବାଲାମଣୀ, ଏବଂ ଗ୍ରାମବାସୀ ସୁନୀଲ ମହାପାତ୍ର, ଆର୍‌.ଡାଲେୟା ପ୍ରମୁଖ ଜଣାଇଛନ୍ତି ଯେ, ଗତ ଅମରା ଠାରୁ ଡାଳିମ୍ବପୁର ମୁଖ୍ୟ ରାସ୍ତା କଡରେ ଅମରା ଠାରୁ ୧୦୦ ମିଟର ଏବଂ ଡାଳିମ୍ବପୁର ଗ୍ରାମ ଠାରୁ ୨୦୦ମିଟର ଦୂରରେ ଜନବସତି ନିକଟରେ ଏହି ଦେଶୀ ରନ୍ଧା ମଦ ଭାଟି ନିର୍ମାଣ ହେଉଛି । ପଲ୍ଲୀସଭା କିମ୍ବା ଗ୍ରାମ ସଭାର ବିନା ଅନୁମତିରେ ଏହା କିପରି ସମ୍ଭବ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି । ଏହି ପ୍ରସ୍ତାବିତ ଦେଶୀରନ୍ଧାମଦ ଭାଟିକୁ ବନ୍ଦ କରିବା ପାଇଁ ଗତ ୭ ଦିନ ପୂର୍ବେ ଗଜପତି ପ୍ରଶାସନକୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ନିବେଦନ କରାଯାଇଥିଲା ଆଗାମୀ ୭ ଦିନ ମଧ୍ୟରେ ଏହାକୁ ବନ୍ଦ କରାନଗଲେ ପୁଣି ସମସ୍ତ ସ୍ୱୟଂ ସହାହିକା ଗୋଷ୍ଠୀ ଏବଂ ଗ୍ରାମବାସୀ ଆନ୍ଦୋଳଣାତ୍ମକ ପନ୍ଥା ଅବଲମ୍ବନ କରିବା ପାଇଁ ଚେତାବନୀ ଦେଇଥିଲେ । କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବା ଯୋଗୁଁ ପୁଣି ଆଜି ସମସ୍ତେ ଏକତ୍ରିତ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହୋଇଥିଲୁ । ଧାରଣା ଚାଲିଥିବା ବେଳେ ଗଜପତି ଏଡିଏମ୍ ସଂଗ୍ରାମ ଶେଖର ପଣ୍ଡା ଘଟଣାସ୍ଥଳରେ ପହଂଚି ଦାବିପତ୍ର ଗ୍ରହଣ କରି ବିହୀତ ତଦନ୍ତ ଦ୍ୱାରା ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବୁ ବୋଲି ପ୍ରକାଶ କରିବା ପରେ ଏହି ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ