ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଗଛକଟାକୁ ବିରୋଧ

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ପୁରାତନ ଗଛ କାଟି ମିଶନଶକ୍ତି ମାର୍କେଟିଂ କେନ୍ଦ୍ର ପ୍ରତିଷ୍ଠା କରିବା ନେଇ ପ୍ରଶାସନର ପ୍ରସ୍ତାବକୁ ସିଭିଲ ସୋସାଇଟି ବିରୋଧ କରିଛି । ରବିବାରଦିନ ସନ୍ଧ୍ୟାରେ ସିଭିଲ୍ ସୋସାଇଟିର ଏକ ବୈଠକ ଉଠାଜଳ ସେଚନ କର୍ମଚାରୀ ଭବନ ସଭାଗୃହରେ ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବାଲେଶ୍ୱର ଜିଲ୍ଲାପାଳଙ୍କ ମୁଖ୍ୟ ଫାଟକ ପ୍ରବେଶ ପଥର ବାମପାଶ୍ୱର୍ରେ ଥିବା ବହୁ ପୂରାତନ ଗଛକୁ କାଟି ସେଠାରେ ଏହି ମାର୍କେଟ୍ ବିଲ୍‌ଡିଂ ନିର୍ମାଣକୁ ବିରୋଧ କରି ଏହାର ସ୍ଥାନାନ୍ତର ପାଇଁ ବୈଠକରେ ଉପସ୍ଥିତ ଥିବା ବୁଦ୍ଧିଜୀବୀମାନେ ସର୍ବସମ୍ମତ ମତ ପ୍ରକାଶ କରିଛନ୍ତି । ବାଲେଶ୍ୱର ଏକ ଐତିହ୍ୟର ସହର । ଇଂରେଜ ସରକାରଙ୍କ ଶାସନ କାଳରେ ଜିଲାପାଳଙ୍କ ଦପ୍ତର ପାଇଁ ନିରୁପିତ ସ୍ଥାନକୁ ସଂକୁଚିତ କରାଯାଇଥିବା ବେଳେ ପୁନଶ୍ଚ ସେହି ପରିସରରେ ଏକ ମାର୍କେଟ୍ ପ୍ରତିଷ୍ଠାକୁ ବୈଠକରେ ବହୁ ବୁଦ୍ଧିଜୀବୀ ବିରୋଧ କରିଛନ୍ତି । ତେଣୁ ରାଜ୍ୟ ସରକାର ଓ ଜିଲାପାଳଙ୍କ ସମେତ ବାଲେଶ୍ୱରର ନିର୍ବାଚିତ ଜନ ପ୍ରତିନିଧିମାନେ ନିଷ୍ପତ୍ତିର ପୁନଃବିଚାର କରିବାକୁ ବୈଠକରେ ଅନୁରୋଧ କରାଯାଇଛି । ନାରୀ ସଂଘ ସଂଲଗ୍ନ ଜିଲାପାଳଙ୍କ ଆବାସ ପରିସରରେ ଥିବା ଖାଲି ସ୍ଥାନରେ କିମ୍ବା ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାଳୟ ପଛପଟରେ ଥିବା ସରକାରୀ ସ୍ଥାନରେ ଏହି ବ୍ୟବସାୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ବୈଠକରେ ମତପ୍ରକାଶ କରିଛନ୍ତି । ଏହି ବୈଠକରେ ସୋସାଇଟିର ସମ୍ପାଦକ ଆଇନଜୀବୀ ମନୋଜ ନାୟକଙ୍କ ସମେତ ବରିଷ୍ଠ ଆଇନଜୀବୀ ପ୍ରଭାକର ସାହୁ, ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ଶିକ୍ଷାବିତ ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ନିରଞ୍ଜନ ପରିଡ଼ା, ଜିଲ୍ଲା ପରିଷଦ ସଦସ୍ୟ ସୀତାରାମ ପ୍ରଧାନ, ନାରୀନେତ୍ରୀ ବନ୍ଦନା ବିଶ୍ୱାସ, ସନ୍ତୋଷ କୁମାର ସାହୁ, ଶରତ ଚନ୍ଦ୍ର ମହାନ୍ତି, ମଧୁସୂଦନ ଜେନା, ଭରତ ଚନ୍ଦ୍ର ସେଠୀ, ଜ୍ଞାନରଂଜନ ମିଶ୍ର, ପୂର୍ବତନ କାଉନସିଲର ଦେବାଶୀଷ ସିଂହ, ଶ୍ରୀନିବାସ ପାଣିଗ୍ରାହୀ ଓ ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଯତିନ ପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ