ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ କଂଗ୍ରେସ ନେତା ଓ କର୍ମୀ
ଜୟପୁର, (ଯୁଗାବ୍ଦ ନ୍ୟୁଜ):କୋରାପୁଟ ଜିଲ୍ଲା କଂଗ୍ରେସ ଦଳ ତରଫରୁ ଦରବୃଦ୍ଧି ଓ ବେରୋଜଗାର ପ୍ରତିବାଦରେ ବିକ୍ଷୋଭ କାର୍ଯ୍ୟକ୍ରମ ରହିଥିଲା। କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିବା ସମୟରେ ଗେଟ ବନ୍ଦ ରହିଥିଲା। ଗେଟକୁ ଧସେଇ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଶି ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବସିଥିବା କଂଗ୍ରେସ କମିଟି ସଭାନେତ୍ରୀ ଓ ଅନ୍ୟାନ୍ୟ ନେତା ମାନଙ୍କୁ ପୋଲିସ ଉଠାଇ ନେଇ ବସରେ ଥାନାକୁ ନେଇ ଯାଇଥିଲା।ଦରଦାମ ବୃଦ୍ଧି ଯୋଗୁଁ ମା ମାନଙ୍କ ଆଖିରୁ ଲୁହ ବୋହୁଛି। ବେକାର ଯୁବକ ଯୁବତୀଙ୍କୁ ତୁରନ୍ତ ରୋଜଗାର ପ୍ରଦାନ କରିବା ସହ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ସେ ଦାବି କରିଥିଲେ ।ଯଦି ନ ହୁଏ ତେବେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସେ ଚେତାବନୀ ଦେଇଥିଲେ। ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମଓ ନିମାଇଁ ଚନ୍ଦ୍ର ସରକାର, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝୀ , ବରିଷ୍ଠ କଂଗ୍ରେସ ନେତା କୃଷ୍ଣ କୁଲଦୀପ,ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ,ମହିଳା କଂଗ୍ରେସ ସଭାନେତ୍ରୀ ନଳିନୀ ରଥ, ଜଯପୁର ପୌର ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି,କୋରାପୁଟ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନୀପତି ,କୋରାପୁଟ ବ୍ଲକ କଂଗ୍ରେସ ସଭାପତି ଜୟନ୍ତ କଚିନ, ଦଶମନ୍ତପୁର ବ୍ଲକ ସଭାପତି ବେଣୁଧର ପାତ୍ର, ପଟ୍ଟାଙ୍ଗି ବ୍ଲକ ସଭାପତି ଅର୍ଜୁନ ବାଙ୍କା, ରମେଶ ଖରା, ବିଜୟ କୁମାର ରାଓ ପ୍ରମୁଖଙ୍କ ସହ ଶତାଧିକ ପୁରୁଷ ଓ ମହିଳା କଂଗ୍ରେସ ନେତା ଏବଂ କର୍ମୀମାନେ ଯୋଗ ଦେଇଥିଲେ।କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ପୂଜାରୀ ଓ କୋରାପୁଟ ଟାଉନ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।