ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): କାଳିଆ ଯୋଜନାରେ ଅର୍ଥ ହ୍ରାସ ନିଷ୍ପତ୍ତିର ରଦ୍ଦ ନେଇ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଆଜକୁ ୧୨ଦିନ ଧରି ଅନସନ କରିଥିବା ବେଳେ ଏହାକୁ ସମର୍ଥନ ଜଣାଇ ଗଂଜାମ ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ଘୋଷଣା କଲାବେଳେ ସାଧାରଣରେ ତିନୋଟି ପ୍ରତିଶ୍ରୁତି ରଖିଥିଲେ । ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ପିତୃସତ୍ୟ ପାଳନ କରି ନିଜେ ୧୪ ବର୍ଷ ବନବାସ ଯାଇଥିଲେ । ମାତ୍ର ଲଜ୍ୱାର ବିଷୟ ମୁଖ୍ୟମନ୍ତ୍ରୀ ଗତ ନିର୍ବାଚନ ଚାଷୀଙ୍କ ଭୋଟରେ ପାରହେବା ପରେ ଚାଷୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଭଙ୍ଗ କରିଛନ୍ତି । ବର୍ଷକୁ ପ୍ରତି ଚାଷୀର ୬ ହଜାର ଟଙ୍କା ଆପଣ ପୁଣି ଛଡାଇ ନେଇଛନ୍ତି ବୋଲି ଚାଷୀମାନେ ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ନିର୍ବାଚନ ବେଳେ କାଳିଆ ଯୋଜନାରେ ରାଜ୍ୟର ୭୦ ଲକ୍ଷ ଚାଷୀ ଉପକୃତ ହେବେ । କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ, ଭୂମିହୀନ ସମସ୍ତେ ଏଥିରେ ଉପକୃତ ହେବେ । ନିର୍ବାଚନ ଜିତିବାର ୨୪ ଘଣ୍ଟା ମଧ୍ୟରେ ସମସ୍ତଙ୍କ ଜନଧନ ଆକାଉଣ୍ଟକୁ ଏହି ଟଙ୍କା ଯିବ । ତୃତୀୟରେ ଜଣେ ବି ଯୋଗ୍ୟ ଚାଷୀ କିଭଳି କାଳିଆ ଯୋଜନାରୁ ବଞ୍ଚିତ ହେବେନାହିଁ, ସେ ଦାୟିତ୍ୱ ମୋର ବୋଲି ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ । ଦୁର୍ଭାଗ୍ୟର କଥା ପଞ୍ଚମଥର ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ନା ୭୦ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ଦେଲେ ନା ଯୋଜନାର ସ୍ୱଚ୍ଛତା ରଖିଥିଲେ । ପ୍ରଥମ କିସ୍ତି ୨୪ ଲକ୍ଷ ଚାଷୀ ପାଇନଥିବା ବେଳେ ଦ୍ୱିତୀୟ କିସ୍ତି ୪୦ ଲକ୍ଷ ଚାଷୀ ଅର୍ଥ ପାଇ ନାହାନ୍ତି । ଏହା ବିରୋଧରେ ଆମ ପ୍ରତିବାଦ କଲେ ମଧ୍ୟ ପ୍ରଶାସନ ଏନେଇ ଆପଣଙ୍କ ସହ ଆଲୋଚନା କରି କୌଣସି ସମାଧାନର ରାସ୍ତା ବାହାର କରୁନାହାନ୍ତି । ତୁରନ୍ତ ଚାଷୀଙ୍କ ୧୦ ହଜାର ଲେଖାଁଏ କାଳିଆ ଯୋଜନା ପ୍ରତିଶ୍ରୁତିକୁ ଆପଣ ପାଳନ କରନ୍ତୁ ଓ ନିଜ ସତ୍ୟ ରକ୍ଷା କରନ୍ତୁ ବୋଲି ଚାଷୀମାନେ ଧାରଣା ସ୍ଥଳେ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରତିନିଧି ଦଳ ଡେପୁଟି କଲେକ୍ଟର ସ୍ନିଗ୍ଧାରାଣୀ ଧଳଙ୍କୁ ପ୍ରଦାନ କରିଥିଲେ । ଏହି ବିକ୍ଷୋଭରେ ନବ ନିର୍ମାଣ କୃଷକ ସଂଗଠନର ଗଂଜାମ ଜିଲ୍ଲା ଆବାହକ ରମେଶ ଚନ୍ଦ୍ର କର, ଜିଲ୍ଲା ସଂଯୋଜକ ସୁଦର୍ଶନ ପାତ୍ର, ରଙ୍କନିଧୀ ପାତ୍ର, କିଶୋର ଚନ୍ଦ୍ର ସାହୁ, ବିଜୟ କୁମାର ଜେନା, ଇଜୁ ଆମିନ୍ ଖାନ୍‌, ସନ୍ୟାସୀ ରଣା, ଜି.କାମେସୁ ରେଡ୍ଡୀ, ଦୁର୍ଗା ଚରଣ ସାହୁ, ରାଜ୍ୟ କୋର କମିଟିର ସଦସ୍ୟ ଦେବୀ ପ୍ରସାଦ ମହାରଣା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ