ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ସର୍ବସାଧାରଣ ରାସ୍ତାରେ ଉଲଗ୍ନ କରିବା ସମ୍ପର୍କରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ବି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ପୋଲିସର ଉଦାସୀନତା ପ୍ରତିବାଦରେ ଶୁକ୍ରବାର ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟ ସମ୍ମୁଖରେ ମହିଳାମାନେ ଧାରଣାରେ ବସିଥିଲେ । ପୂର୍ବରୁ ଏହି ଥାନା ବିରୋଧରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ବି ବିଭାଗୀୟ ଉଚ୍ଚ କତ୍ତୃପକ୍ଷ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଗୋଟିଏ ପରେ ଗୋଟିଏ ଅଭିଯୋଗ ଥାନା ବିରୋଧରେ ହୋଇଆସୁଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ରଶ୍ମିତା ସ୍ୱାଇଁ ନାମକ ଜନୈକ ମହିଳାଙ୍କୁ ସେହି ଗ୍ରାମର ସମ୍ବିତ କୁମାର ସ୍ୱାଇଁ ନାମକ ଯୁବକ ଯେକି ମହିଳାଙ୍କର ହିସାବରେ ପୁତୁରା ହେବ ପୂର୍ବରୁ ସଂପୃକ୍ତ ମହିଳାଙ୍କୁ ବିଭିନ୍ନ ହଇରାଣ ହରକତ କରିଆସୁଥିବା ବେଳେ ବିଭିନ୍ନ ସମୟରେ ଅଶ୍ଳିଳ ଇଙ୍ଗିତ ମଧ୍ୟ ପ୍ରଦର୍ଶନ କରୁଥିଲେ । ରଶ୍ମୀତାଙ୍କୁ ଶାଶୁଘର ଲୋକେ ମଧ୍ୟ ଜମିବାଡି ବିବାଦକୁ ନେଇ ମାଡଗାଳି ଦେବା ସହିତ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଏପରିକି ଘରେ କେହି ନଥିବା ସମୟରେ ରଶ୍ମୀତାଙ୍କୁ ପୁତୁରା ସମ୍ବିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବାରୁ ରଶ୍ମିତା ବଡ ପାଟିକରି ଡାକପକାଇବାରୁ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ରାସ୍ତା ଉପରକୁ ଘୋଷାଡି ନେଇ ଉଲଗ୍ନ କରି ସର୍ବସମ୍ମୁଖରେ ମାଡ ମାରିବା ଓ ଆଶାଳିନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ରଶ୍ମିତାଙ୍କ ସ୍ୱାମୀ ବିଜୟ ଜାଣିବା ପରେ ଅଭିଯୁକ୍ତ ସମ୍ବିତଙ୍କୁ ପଚାରିଥିଲେ । ଫଳରେ ସମ୍ବିତ ଓ ତାଙ୍କ ବାପା,ମା ଏବଂ ପରିବାରର ସମସ୍ତ ସଦସ୍ୟ ବିଜୟ ଓ ରଶ୍ମିତାଙ୍କୁ ଗାଳି ଗୁଲଜ କରି ମାଡମାରିବା ସହ ବିଜୟଙ୍କ ଗୋଡ ଭାଙ୍ଗି ଦେଇଥିଲେ । ଏସମ୍ପର୍କରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେବି ଘଟଣାର ୨ମାସ ପରେବି ପୋଲିସ କୈାଣସି ପଦକ୍ଷେପ ଗ୍ରହଣ ନକରିବା ଦ୍ୱାରା ଶେଷରେ ନିରାଶ ହୋଇ ଅଭିଯୋଗକାରିଣୀଙ୍କ ୨ଟି ପିଲାଙ୍କ ସହିତ ଗ୍ରାମର ମହିଳାମାନେ ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଧାରଣାକାରୀଙ୍କ ସହ ଆଲୋଚନା କରି ସେମାନଙ୍କୁ ପଟ୍ଟାମୁଣ୍ଡାଇ ଥାନାକୁ ପଠାଇଦେଇଥିଲେ । ଧାରଣାସ୍ଥଳରୁ ଉଠି ଅତିରିକ୍ତ ଜିଲ୍ଲାପାଳଙ୍କ କଥାରେ ଅଭିଯୋଗକାରୀ ତାଙ୍କ ସ୍ୱାମୀ,୨ଟି ପିଲା ଓ ଗ୍ରାମର ମହିଳାମାନେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ଦେଖାକରିବାରେ ସେମାନଙ୍କୁ ଧମକ ଦିଆଯିବା ସହିତ ସେମାନଙ୍କ ଠାରୁ ଥାନାରେ ମୋବାଇଲ ଛଡାଇ ନିଆଯାଇ ଥାନାରେ ସେମାନଙ୍କୁ ଜୋରଜବରଦସ୍ତ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି ।