ଜିଲ୍ଲାପାଳଙ୍କ ଦ୍ୱାରା ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାରର ଶୁଭାରମ୍ଭ
ଛତ୍ରପୁର, (ପ୍ରଶାନ୍ତ ମହାରଣା): ଗଞ୍ଜାମ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ମୃତ୍ତିକା ପାରୀକ୍ଷାଗାର ଯାନର ଶୁଭାରମ୍ଭ ହୋଇଛି । ଏହି ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଯାନକୁ ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି । ମାଟିର ସୁରକ୍ଷା ବଜାୟ ରଖିବା ଉଦ୍ଦେଶ୍ୟରେ ତଥା ଚାଷ କ୍ଷେତ୍ରରେ ଖାଦ୍ୟସାରର ବ୍ୟବହାରକୁ ଦୃଷ୍ଟିରେ ରଖି ମାଟି ପରୀକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥି ନିମନ୍ତେ ମାଟି ପରୀକ୍ଷାଗାରକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଏହି ଯାନର ଶୁଭାରମ୍ଭ ହୋଇଛି ବୋଲି ଜିଲ୍ଲପାଳ କହିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ ଏହି ଯାନ ପରିକ୍ରମା କରି ଚାଷୀଙ୍କ ଠାରୁ ମାଟି ସଂଗ୍ରହ କରି ୨୪ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବ । ଏହି ଭ୍ରାମ୍ୟମାଣ ଯାନ ଏକାସାଙ୍ଗରେ ୩୦ଥର ମାଟି ପରୀକ୍ଷା କରିପାରିବ । ଏହାଦ୍ୱାରା ଚାଷୀମାନଙ୍କୁ କୃଷି କାର୍ଯ୍ୟାଳୟ କୁ ଖର୍ଚ୍ଚାନ୍ତ ହୋଇ ଆସିବାକୁ ପଡିବ ନାହିଁ । ରାଜ୍ୟ ସରକାର ଓ ପାରାଦୀପ ଫସ୍ଫେଟ୍ ଲିମିଟେଡ୍ ର ମିଳିତ ସହଭାଗିତାରେ ଆୟୋଜିତ କାର୍ଯ୍ୟକ୍ରମରେ ପାରାଦୀପ ଫସ୍ଫେଟ୍ ଲିମିଟେଡର ମାର୍କେଟିଂ ମ୍ୟାନଜର ଦୁଃଶାସନ ମହାରଣା, ଗଞ୍ଜାମ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁର୍ଯ୍ୟୋଧନ ପତାଙ୍ଗ, ମୃତ୍ତିକା ରସାୟନିକବିତ୍ (ବ୍ରହ୍ମପୁର) ପ୍ରମୋଦ କୁମାର ମହାପାତ୍ର, କୃଷି ଜିଲ୍ଲା ଅଧିକାରୀ (ଛତ୍ରପୁର) ବିଦୁର ସେଠ ମାଝୀ, ଏଡିଏ ଇନପୁଟ (ବ୍ରହ୍ମପୁର) ନିମାଇଁ ଚରଣ ଦାଶ, ଆତ୍ମା (ଡିପିଡି) କୃଷ୍ଣ ଚନ୍ଦ୍ର ଗୈାଡ, ସହକାରୀ କୃଷି ଅଧିକାରୀ (ଛତ୍ରପୁର) ଗୋକୁଳ ଚନ୍ଦ୍ର ପ୍ରଧାନ, ନରେନ୍ଦ୍ରପୁର କୃଷି ଓଭସିଅର ଦୁର୍ଗାପ୍ରସାଦ ପ୍ରଧାନ, ଓଭସିଅର ଯୁଧିଷ୍ଠିର ରାଓ, ଗ୍ରାମ୍ୟ କୃଷି ଅଧିକାରୀ ମିଥୁନ୍ ସେଠୀ ଙ୍କ ସମେତ କୃଷି ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।