ଜିଲ୍ଲାପାଳଙ୍କ ବ୍ଲକର ସରପଂଚ ଓ ବିଡିଓଙ୍କ ସହ କୋଭିଡ-୧୯ ଭିଡିଓକନଫରେନ୍ସ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା କାର୍ଯ୍ୟାଳୟ ଭିଡିଓକନଫରେନ୍ସିଂ ରୁମରୁ ଆଜି ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାର ୯ଗୋଟି ବ୍ଲକର ସରପଂଚମାନଙ୍କ ସହିତ ଭିଡିଓକନଫରେନ୍ସିଂ ଯୋଗେ କୋଭିଡ-୧୯ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି । ଜିଲ୍ଲାପାଳଙ୍କ ବିଭିନ୍ନ ବ୍ଲକ ଅଂଚଳକୁ ଗସ୍ତ ସମୟରେ ସେ ଦେଖିବାକୁ ପାଇଛନ୍ତି ଯେ ସନ୍ଧ୍ୟା ସମୟରେ ବିଭିନ୍ନ ବଜାରଘାଟରେ ଲୋକମାନଙ୍କ ଭିଡ ହେଉଛି । ଲୋକମାନେ କୋଭିଡ-୧୯ର ନୀତି ନିୟମକୁ ଭୁଲିଯାଇ ସାମାଜିକ ଦ୍ୱରତ୍ୱ ରକ୍ଷା ନକରିବା ଓ ମୁହଁରେ ମାସ୍କ ପିନ୍ଧୁ ନଥିବା ଦୃଷ୍ଟି ଗୋଚର ହୋଇଛି । ଏସବୁ ପ୍ରତି ସରପଂଚମାନେ ତୀକ୍ଷଣ ଦୃଷ୍ଟି ଦେବା ସହିତ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ମନ୍ଦିର ପ୍ରତିଷ୍ଠା ଓ ଭୋଜିଭାତ ଭଳି କାର୍ଯ୍ୟକ୍ରମରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ସରପଂଚମାନେ ସେଥିରେ ସଂଶ୍ଳିଷ୍ଟ ନରହି ସେସବୁ ସ୍ଥାନରେ କୋଭିଡ-୧୯ନୀତିନିୟମ ରକ୍ଷା ପାଇଁ ଲୋକମାନଙ୍କୁ ସାମାଜିକ ସ୍ଥରରେ ସଚେତନତା କରନ୍ତୁ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଆମ ଜିଲ୍ଲାର ୯୫ ପ୍ରତିଶତ ସରପଂଚମାନେ ଭଲକାମ କରୁଥିବା ବେଳେ ମାତ୍ର ୫ପ୍ରତିଶତ ସରପଂଚ ଭୁଲକାମ କରୁଛନ୍ତି । ଯାହାଫଳରେ ସାରା ଜିଲ୍ଲା ସେମାନଙ୍କ ପାଇଁ ବଦନାମ ହେଉଛି । ତେଣୁ କୈାଣସି କାର୍ଯ୍ୟ କରିବା ପୂର୍ବରୁ ଭଲଭାବେ ଭାବିଚିନ୍ତି ଓ କୋଭିଡ-୧୯ ନୀତିନିୟମକୁ ଆଖିଆଗରେ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସରପଂଚମାନଙ୍କୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସମୟରେ ବିବାହ,ଭୋଜି ପ୍ରଭୃତିରେ ଯେଭଳି ଭିଡ ପରିଲଖିତ ନହୁଏ ସେଥିପ୍ରତି ସରପଂଚମାନେ ବିଶେଷ ଦୃଷ୍ଟି ଦେବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । କାରଣ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ସେହି ସ୍ଥାନରେ ଏକାଥରକେ ଶହ ଶହ ଲୋକଙ୍କୁ ସଂକ୍ରମିତ କରିଦେବାର ସମ୍ଭାବନା ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା ରାଉରକେଲା ଓ ଜଇପୁରର ଉଦାହରଣ ଦେଇ କହିଥିଲେ । ଏଥିସହିତ ହଟସ୍ପଟ ଜିଲ୍ଲାରୁ ଆସୁଥିବା ଲୋକମାନଙ୍କୁ ପ୍ରଥମେ ୧୪ଦିନ ସଙ୍ଗରୋଧ କେନ୍ଦ୍ରରେ ରଖାଯିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ଦୁଇଟି ଉପରେ ବିଶେଷ ଭାବେ ସରପଂଚମାନେ ନଜର ରଖିବାକୁ ପରାମର୍ଶ ଦିଆଯାଇଥିଲା । କେତେକ ଅଭିଯୋଗ ଆସୁଛି ଯେ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀମାନଙ୍କୁ ସରପଂଚ ନିଜ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଉଛନ୍ତି । ସେପରି ନକରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ପଂଚାୟତରେ ଗୋଟିଏ ଗୋଟିଏ କୋଭିଡ କେୟାର ସେଂଟର ହୋଇଛି ଯାହାର ବର୍ତ୍ତମାନ ଆବଶ୍ୟକ ପଡିନଥିବା ବେଳେ ଭବିଷ୍ୟତରେ ତାର ଆବଶ୍ୟକତା ପଡିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜୁଲାଇମାସ ଠାରୁ ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ କୋଭିଡ କଟକଣା ଜାରି ରହିବାର ସମ୍ଭାବନା ଦେଖାଯାଇଛି । ଆମର ଆଶାକର୍ମୀ,ଅଙ୍ଗନୱାଡିକର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି କାଶ,ଜ୍ୱର ଭଳି ଲକ୍ଷଣ ଥିବା ଲୋକମାନଙ୍କ ତାଲିକା କରୁଛନ୍ତି । ପ୍ରଶାସନ ସେହି ତଥ୍ୟ ଅନୁଯାଇ ଲୋକମାନଙ୍କ ସ୍ୱାବ ପରୀକ୍ଷା କରାଇବାର ବ୍ୟବସ୍ଥା କରିବ । ଜିଲ୍ଲାରେ କେବଳ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ପ୍ରବାସୀମାନଙ୍କ ଭିତରୁ କରୋନା ପଜିଟିଭ ବାହାରୁଥିବାର ଦେଖାଯାଉଛି ବୋଲି ଜିଲ୍ଲାପାଳ କହିବା ସହ ଏଥିପାଇଁ ଆମେ ନିଶ୍ଚିନ୍ତ ହୋଇ ନବସି କୋଭିଡ-୧୯ ନୀତିନିୟମ ଅନୁଯାଇ ସାବଧାନତାର ସହ ଆଗକୁ କାର୍ଯ୍ୟ କରିବାକୁ ପଡିବ ବୋଲି କହିଛନ୍ତି । ରାଜ୍ୟ ସରକାର ପାଣ୍ଠି ଯୋଗାଇ ଦେବା ପର୍ଯ୍ୟନ୍ତ ସରପଂଚମାନେ ପଂଚାୟତରେ ଥିବା ଯେକୈାଣସି ଗଛିତ ପାଣ୍ଠିରୁ କରୋନା ଜନିତ ଖର୍ଚ୍ଚ କରିପାରିବେ । ପଂଚାୟତରେ ପାଣ୍ଠି ନଥିଲେ ସଂପୃକ୍ତ ବିଡିଓ ବ୍ଲକର ଗଛିତ ପାଣ୍ଠିରୁ ସେମାନଙ୍କୁ ଅଗ୍ରୀମ ଅର୍ଥ ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସରପଂଚମାନେ ଶ୍ରମିକମାନଙ୍କୁ ଅନୁନ୍ୟ ୨ଶହ ଦିନର କାମ ଯୋଗାଇ ଦେବାକୁ ନିର୍ଦେଶ ଦେବା ସହ ଏଥିରେ ପ୍ରବାସୀ ଶ୍ରମିକଙ୍କୁ ଅଗ୍ରାଧିକାର ଦେବାକୁ କହିଥିଲେ । ଆମେ ସମସ୍ତେ ଥକି ଯାଇଥିବା ଓ ଅତ୍ୟନ୍ତ ଚାପଗ୍ରସ୍ଥ ହୋଇ କାମକରୁଥିଲେ ମଧ୍ୟ ଆମକୁ ଆହୁରି ଆଗକୁ ବଢିବାକୁ ହେବ ବୋଲି ଜିଲ୍ଲାପାଳ କହିଥିଲେ । କେନ୍ଦ୍ରାପଡା ବ୍ଲକର ଇନ୍ଦୁପୁର ବଜାରକୁ ହଟସ୍ପଟ ଜିଲ୍ଲା ଭାବେ ପରିଗଣିତ ଯାଜପୁର ଜିଲ୍ଲାର ବରି ବ୍ଲକରୁ ଲୋକମାନେ ଅଧିକ ଆସୁଥିବା ଓ କୋଭିଡ କଟକଣା ମାନୁନଥିବା ସରପଂଚ ଅଭିଯୋଗ କରିଥିଲେ । ସେ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ଏସପିଙ୍କ ସହ ଆଲୋଚନା କରିବେ ବୋଲି ଜିଲ୍ଲାପାଳ କହିଥିଲେ । ଗୃହସଙ୍ଗରୋଧରେ ଥିବା ଲୋକମାନେ ବାହାରେ ବୁଲୁଥିବା ମାର୍ଶାଘାଇ ବ୍ଲକ ସରପଂଚ ଅଭିଯୋଗ କରିଥିଲେ । ସେ ସମ୍ପର୍କରେ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । କୋଭିଡ -୧୯ କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଜିଲ୍ଲାପାଳ ସମସ୍ତ ସରପଂଚ ଓ ବିଡିଓମାନଙ୍କୁ କୃତଜ୍ଞତା ଜଣାଇଥିଲେ ।