ଜିଲ୍ଲାପାଳଙ୍କ ଭିଡିଓକନଫରେନ୍ସ ଯୋଗେ ସରପଂଚଙ୍କ ସହ ମତ ବିନିମୟ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଜିଲ୍ଲାର ୯ଟି ବ୍ଲକରେ ଥିବା ପଂଚାୟତ ଗୁଡିକର ସରପଂଚମାନଙ୍କ ସହିତ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରବାସୀମାନଙ୍କ ରହିବା ପାଇଁ ପ୍ରସ୍ତୁତ କରାଯାଇଥିବା ସଙ୍ଗରୋଧ କେନ୍ଦ୍ରର ସୁପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଭିଡିଓ କନଫରେନ୍ସ ଯୋଗେ ଜିଲ୍ଲା କାର୍ଯ୍ୟାଳୟରୁ ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ସଂପୃକ୍ତ ବ୍ଲକର ବିଡିଓ ଓ ସରପଂଚମାନଙ୍କ ସହ ଆଲୋଚନା ସମୟରେ କହିଥିଲେ ଯେ ପ୍ରତ୍ୟେକ ଦିନ ଜିଲ୍ଲାକୁ ଏବେ ଏକହଜାର ପ୍ରବାସୀ ଶ୍ରମିକ ଫେରୁଥିବା ବେଳେ ଆଗକୁ ଏହି ସଂଖ୍ୟା ବଢି ୨ରୁ ଅଢେଇ ହଜାର ହେବ । ଯେଉଁ ପଂଚାୟତର ପ୍ରବାସୀ ଅନ୍ୟ ରାଜ୍ୟରୁ ଆସିବେ ସେମାନଙ୍କୁ ସେହି ପଂଚାୟତର ସଙ୍ଗରୋଧ କେନ୍ଦ୍ରରେ ରଖାଯିବ । ସଙ୍ଗରୋଧ କେନ୍ଦ୍ର ଗୁଡିକରେ ରହୁଥିବା ପ୍ରବାସୀଶ୍ରମିକମାନଙ୍କ ଉପଯୁକ୍ତ ଯତ୍ନ ନେବାସହ ସେମାନଙ୍କୁ ଆବଶ୍ୟକ ସମୟରେ ଖାଇବାକୁ ଦେବାକୁ ଜିଲ୍ଲାପାଳ ସରପଂଚମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିସହିତ ସଂପୃକ୍ତ ବ୍ଲକର ବିଡିଓମାନେ ଏଥିପ୍ରତି ଉଚିତ ଧ୍ୟାନ ଦେବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ସଙ୍ଗରୋଧ କେନ୍ଦ୍ର କିମ୍ବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟକୁ କୈାଣସି ସାଧାରଣ ଲୋକ କିମ୍ବା ପ୍ରବାସୀଙ୍କ ସମ୍ପର୍କୀୟ ଯେଭଳି ନଯାଆନ୍ତି ସେଥିପ୍ରତି ସରପଂଚମାନେ ଉଚିତ ଧ୍ୟାନ ଦେବା ଆବଶ୍ୟକ । କାରଣ ଏହା ଦ୍ୱାରା କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ବୋଲି ଜିଲ୍ଲାପାଳ କହିଥିଲେ । ଯଦି ଅମାନିଆ ଲୋକ କିମ୍ବା ପ୍ରବାସୀଙ୍କ କୈାଣସି ସମ୍ପର୍କୀୟ ସରପଂଚଙ୍କ କଥା ନମାନି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର(ଟି.ଏମ.ସି.) ନିକଟକୁ ଯାଆନ୍ତି ତେବେ ଏସମ୍ପର୍କରେ ତୁରନ୍ତ ସ୍ଥାନୀୟ ବିଡିଓ, ତହସିଲଦାର ଓ ଥାନା ଅଧିକାରୀଙ୍କୁ ଜଣାଇବା ନିମନ୍ତେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଆବଶ୍ୟକ ସ୍ଥଳେ ସରପଂଚମାନେ ଥାନାରେ ଲିଖିତ ଅଭିଯୋଗ (ଏଫ.ଆଇ.ଆର.) କରିପାରିବେ ବୋଲି ଜିଲ୍ଲାପାଳ କହିଥିଲେ । ଏଭଳି ଆଇନକୁ ଉଲ୍ଲଙ୍ଘନ କରିବ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର(ଟି.ଏମ.ସି.) ନିକଟକୁ କେହି ସାଧାରଣ ଲୋକ ବା ପ୍ରବାସୀଙ୍କ ସମ୍ପର୍କୀୟ ଗଲେ ଏହା ଦଣ୍ଡନୀୟ ଓ ୨ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ରହିଛି ବୋଲି ଜିଲ୍ଲାପାଳ କହିଥିଲେ । ସରପଂଚ,ବିଡିଓ ଏବଂ ଶିକ୍ଷକମାନେ ବହୁତ ସୁନ୍ଦର ଭାବରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର(ଟି.ଏମ.ସି.) ଚଳାଉଥିବାରୁ ଜିଲ୍ଲାପାଳ ଶ୍ରୀ ବର୍ମା ସେମାନଙ୍କୁ କୃତଜ୍ଞତା ଜଣାଇବା ସହିତ ଆଗାମୀ ଦିନରେ ଏଭଳି କାର୍ଯ୍ୟ କରି ଏହି ଜିଲ୍ଲାକୁ ରାଜ୍ୟର ଏକନମ୍ବର ଜିଲ୍ଲାରେ ପରିଣତ କରିବାକୁ ସମସ୍ତେ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ଜିଲ୍ଲାପାଳ କହିଥିଲେ ଯେ ସରପଂଚମାନେ କରୋନା ମୁକାବିଲା ପାଇଁ ଭଲ କାମ କରୁଥିବାରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ପ୍ରମୁଖ ସେମାନଙ୍କୁ ଏଭଳି କାର୍ଯ୍ୟ ପାଇଁ ପ୍ରସଂଶା କରିଛନ୍ତି । ସରପଂଚମାନଙ୍କୁ ମୁଖ୍ୟମନ୍ତ୍ରୀ ପଂଚାୟତ ଭିତରେ କରୋନା ମୁକାବିଲା ପାଇଁ କାର୍ଯ୍ୟ କରିବାକୁ ଜିଲ୍ଲାପାଳଙ୍କ ଭଳି କ୍ଷମତା ଦେଇଛନ୍ତି । ତେଣୁ ସରପଂଚମାନେ ଦାୟୀତ୍ୱ ସମ୍ପନ୍ନ ଭାବେ କାର୍ଯ୍ୟ କରିବା ସହ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କ ସମସ୍ତ କଥା ସଠିକ ଭାବରେ ବୁଝନ୍ତୁ । ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କୁ କ୍ୱାଲିଟି ଓ କ୍ୱାଂଟିଟି ଖାଦ୍ୟ ପ୍ରଦାନ କରାଯାଉ । ଯେଉଁ କେନ୍ଦ୍ରରେ କରୋନା ପଜିଟିଭ ବାହାରୁଛି ସେ ସମ୍ପର୍କରେ ସରପଂଚମାନେ ତୁରନ୍ତ ବିଡିଓ,ତହସିଲଦାରଙ୍କୁ ଜଣାନ୍ତୁ । ତୁରନ୍ତ ପଜିଟିଭମାନଙ୍କୁ କୋଭିଡ ହସପିଟାଲକୁ ପଠାଯିବା ସହ ସେହି କେନ୍ଦ୍ରରେ ରହୁଥିବା ଅନ୍ୟ ପ୍ରବାସୀମାନଙ୍କ ସ୍କ୍ୱାବ ପରୀକ୍ଷା କରାଯିବ ଓ ସେହି କେନ୍ଦ୍ରକୁ ସାନିଟାଇଜ କରାଯିବ । ଆବଶ୍ୟକ ସ୍ଥଳେ କୈାଣସି ଅସୁବିଧା ହେଲେ ସେ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇବାକୁ ଶ୍ରୀ ବର୍ମା ପରାମର୍ଶ ଦେଇଥିଲେ । ଏତଦଭିନ୍ନ ନିକଟରେ ବାତ୍ୟା ଆସୁଥିବାରୁ ସେଥିନିମନ୍ତେ ଆବଶ୍ୟକ ପ୍ରସ୍ତୁତି କରିବା ପାଇଁ ଓ ବିପନ୍ନ ହେବାକୁ ଥିବା ପରିବାର ଗୁଡିକୁ ନିକଟସ୍ଥ ସ୍କୁଲ ଘରକୁ ନେଇଆସିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ବାତ୍ୟା ଦ୍ୱାରା ଗତ ବୁଲବୁଲ ବାତ୍ୟା ଭଳି କ୍ଷୟକ୍ଷତି କରିବାର ଆଶଙ୍କା ରହିଥିବାରୁ ସେଥିପ୍ରତି ସରପଂଚ ଓ ବିଡିଓମାନେ ସଜାଗ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଶେଷରେ ପୁନର୍ବାର ସରପଂଚମାନଙ୍କୁ କରୋନା ମୁକାବିଲାରେ ସେମାନଙ୍କ ସହଯୋଗ ଓ ସୁନ୍ଦର କାର୍ଯ୍ୟ ପାଇଁ ଧନ୍ୟବାଦ ଦେଇଥିଲେ ଜିଲ୍ଲାପାଳ । ବିଭିନ୍ନ ବ୍ଲକର ସରପଂଚମାନେ ସେମାନଙ୍କ ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡା ବ୍ଲକ ଭିଡିଓ କନଫରେନ୍ସିଂ ରୁମରେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ବିଡିଓ ସୁଧିର କୁମାର ସିଂ, ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ, ବସନ୍ତ ରାଉତ, ପ୍ରଦ୍ୟୁମ୍ନ ଜେନା, ଗାୟତ୍ରୀ ମହାନ୍ତି, ନିରୁପମା ପ୍ରଧାନ, ଧରଣୀଧର ଦାସ,ପିତବାସ ବେହେରା,ପୁଷ୍ପଲତା ସେନାପତି,ନରହରି ପାଣି,ସୀତାସୁନ୍ଦରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ