ଜିଲ୍ଲାରେ ଅତିରିକ୍ତ ୧୧ଟି ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ
ବାଲେଶ୍ୱର, (ଓ୍ବାଇଏନ୍ଏସ୍) : ବାଲେଶ୍ୱର ଜିଲ୍ଲା ଦୁର୍ଗମ ଅଂଚଳରେ ସହଜରେ ଓ ଅବିଳମ୍ବେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତ ସରକାର ଓ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲାରେ ଅତିରିକ୍ତ ୧୧ ଗୋଟି ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଛି । ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସାରା ରାଜ୍ୟ ପାଇଁ ଅତିରିକ୍ତ ୮୪ଟି ୧୦୮ ଆମ୍ବୁଲାନ୍ସକୁ ଲୋକାର୍ପଣ କରିଥିବା ବେଳେ ସେଥି ମଧ୍ୟରେ ବାଲେଶ୍ୱର ଜିଲ୍ଲା ପାଇଁ ସର୍ବାଧିକ ୧୧ଟି ଆମ୍ବୁଲାନ୍ସ ରହିଥିଲା । ଆଜି ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ପତାକା ଦେଖାଇ ଜିଲ୍ଲାରେ ଏହି ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛନ୍ତି । ଏହି ଅତିରିକ୍ତ ଆମ୍ବୁଲାନ୍ସ ଗୁଡିକରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି ଯାହା କି ଜରୁରୀ ପରିସ୍ଥିତିରେ ରୋଗୀମାନଙ୍କ ପାଇଁ ବିଶେଷ ଭାବେ ସହାୟକ ହୋଇପାରିବ । ପୂର୍ବରୁ ଜିଲ୍ଲାରେ ୨୭ଗୋଟି ୧୦୮ ଆମ୍ବୁଲାନ୍ସ ଅହର୍ନିଶି ସେବା ଯୋଗାଇ ଦେଇ ଆସୁଥିବା ବେଳେ ଏହି ୧୧ଗୋଟିକୁ ମିଶାଇ ମୋଟ ୩୮ଟି ୧୦୮ ଆମ୍ବୁଲାନ୍ସ ଏବେ ରୋଗୀମାନଙ୍କୁ ଅବିଳମ୍ବେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ସଫଳ ହେବେ । ଏହି ୧୧ଟି ଆମ୍ବୁଲାନ୍ସ ମଧ୍ୟରୁ ବାଲେଶ୍ୱର ପୌରାଂଚଳ ପାଇଁ ୩ଟି, ସଦର ବ୍ଲକ ପାଇଁ ୨ଟି ଏବଂ ଜଳେଶ୍ୱର, ସୋର, ବସ୍ତା, ବାଲିଆପାଳ, ନୀଳଗିରି ଓ ବାହାନଗା ବ୍ଲକ ପାଇଁ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସକୁ ସେବା ନିମନ୍ତେ ନିୟୋଜିତ କରାଯାଇଛି । ବାଲେଶ୍ୱର ପୌରାଂଚଳରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ, ରାଣୀପାଟଣା ପ୍ରାଣୀ ଚିକିତ୍ସାଳୟରେ ଗୋଟିଏ ଓ ସଦହେବ ଖୁଂଟା ଥାନାରେ ଗୋଟିଏ ଆମ୍ବୁଲାନ୍ସ ଦିଆଯାଇଛି । ସେହିପରି ସଦର ବ୍ଲକରେ ଫୁଲାଡି ଫାଣ୍ଡି ଓ ରସାଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଲେଖାଏଁ ୧୦୮ ଆମ୍ବୁଲାନ୍ସ ଦିଆଯାଇଛି । ବାହାନଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଜଳେଶ୍ୱର ଶାଳବଣୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସୋର ମାଣିପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବସ୍ତାର ପାଉଁଶକୁଳି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବାଲିଆପାଳର ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ନୀଳଗିରିର ଅଯୋଧ୍ୟା ଫାଣ୍ଡିରେ ଗୋଟିଏ ଲେଖାଏଁ ୧୦୮ ଆମ୍ବୁଲାନ୍ସକୁ ସେବା ନିୟୋଜିତ କରାଯାଇଥିବାରୁ ଜନସାଧାରଣ ଏହାର ଲାଭ ପାଇପାରିବେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳସେନ ଜଗଦ୍ଦେବ ଆଶାପ୍ରକଟ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଡିଏମଓ(ପରିବାର କଲ୍ୟାଣ) ଡା. ପରେଶ ଚନ୍ଦ୍ର ନନ୍ଦୀ, ଡିପିଏଚଓ ଡା. ଅନ୍ତର୍ଯ୍ୟାମୀ ମିଶ୍ର, ଡିପିଏମ୍ ଶ୍ରୀ ଅନୀଲ କୁମାର ମହାନ୍ତିଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।