ଜିଲ୍ଲାର ଶୀର୍ଷକ ଗୀତ ‘ପୁଣ୍ୟ ମାଟି ମୋ ବରଗଡ଼’ର ରେକର୍ଡିଂ ସମାପ୍ତ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଐତିହ୍ୟ ସମ୍ପନ୍ନ ଜିଲ୍ଲା ,ବରଗଡ଼। ଏହାର କଳା-ସାହିତ୍ୟ- ସଂସ୍କୃତି ବିଶ୍ବ ବିଦିତ। ଏଇ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ ହଟ୍ଟେ ସିଂ , ସ୍ବଭାବ କବି ଗଙ୍ଗାଧର ମେହେର , ସମ୍ବଲପୁରୀ ବସ୍ତ୍ରାଳୟର ପ୍ରତିଷ୍ଠାତା କୃତାର୍ଥ ଆଚାର୍ଯ୍ୟ ପ୍ରଭୃତି ଏ ମାଟିକୁ କରିଛନ୍ତି ଗୌରବାନ୍ବିତ । ଭାରତର ସ୍ବାଧୀନତା ସଂଗ୍ରାମକୁ ଏହି ଜିଲ୍ଲାର ଯେତିକି ଅବଦାନ ରହିଛି ଦେଶର କଳା ଓ ସଂସ୍କୃତିକୁ ମହିୟାନ କରିବାରେ ଏ ମାଟିର ଭୂମିକା ବି କିଛି କମ ନୁହେଁ। ବରଗଡ଼ର ଧନୁଯାତ୍ରା ଯେମିତି ବିଶ୍ବ ପ୍ରସିଦ୍ଧ ଏହାର ସମ୍ବଲପୁରୀ ବସ୍ତ୍ର ସେମିତି ଏ ମାଟିର ସ୍ବାତନ୍ତ୍ରତା ପ୍ରତିପାଦନ କରେ।ବରଗଡ଼ ଜିଲ୍ଲାକୁ ନେଇ ରଚିତ ବହୁ ପରିଚିତ ତଥା ଅନେକ କଣ୍ଠରେ ଗାନ କରାଯାଉଥିବା ବିଶେଷ କରି ଜିଲ୍ଲାର ପ୍ରତିଷ୍ଠା ଦିବସରେ ପ୍ରାରମ୍ଭିକ ସଙ୍ଗୀତ ଭାବେ ଉପସ୍ଥାପିତ ହେଉଥିବା ‘ପୁଣ୍ୟ ମାଟି ମୋ ବରଗଡ଼’ର ରେକର୍ଡିଂ ଇତି ମଧ୍ୟରେ ସମାପ୍ତ ହୋଇଯାଇଛି। ସ୍ଥାନୀୟ ‘ସପ୍ତକ ଝଙ୍କାର’ ଷ୍ଟୁଡିଓ ଦ୍ବାରା ରେକର୍ଡିଂ ହୋଇଥିବା ଏହି ସମ୍ମାନ ଜନକ ସଂଗୀତରେ ବରଗଡ଼ର ବିଶିଷ୍ଟ କଣ୍ଠଶିଳ୍ପୀ ମାନଙ୍କ ମଧ୍ୟରୁ ରମେଶ ମହାନନ୍ଦ, ରୀନା ଦାଶ, ସନ୍ଦୀପ ମହାପାତ୍ର,ନବ ମହତ୍ତମ, ବୁଦ୍ଧଦେବ ବାରିକ, ମାଳତୀ ପତି, ଅନାମିକା ଆଚାର୍ଯ୍ୟ, ନତାଶା ସିକନ୍ଦର, ସୋମ୍ ପଣ୍ଡା, ଅଂଶିକା ସିକନ୍ଦର, ମୋହନ ସୁନା ଓ ଗୋପାଳ ସାହୁ ପ୍ରମୁଖ କଣ୍ଠଦାନ କରିଛନ୍ତି। ଗୀତିକାର ଡକ୍ଟର ରବିନାରାୟଣ ସାହୁଙ୍କ ରଚିତ ଏହି ପରିଚିତ ଗୀତଟିକୁ ଗୁରୁଶ୍ରୀ ସନ୍ଦୀପ ମହାପାତ୍ର ସ୍ବର ସଂଯୋଜନା, ନବ ମହତ୍ତମ ସଂଗୀତ ପରିଚାଳନା, ଶିବାୟନୀ ପଣ୍ଡା ପ୍ରଯୋଜନା ଓ ପ୍ରବୀର ପୁରୋହିତ ରେକର୍ଡିଂର ଦାୟିତ୍ଵ ନିର୍ବାହ କରିଛନ୍ତି। ଖୁବ୍ ଶୀଘ୍ର ବରଗଡ଼ର ବିଭିନ୍ନ ଐତିହାସିକ ତଥା ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ସ୍ଥାନମାନଙ୍କରେ ଏହାର ଭିଡିଓ ରେକର୍ଡିଂ କରାଯାଇ ଆସନ୍ତା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ସମୟରେ ଏହା ମୁକ୍ତିଲାଭ କରିବ ବୋଲି ପ୍ରଯୋଜିକା ଶ୍ରୀମତୀ ପଣ୍ଡା ଏକ ପ୍ରେସ ବିବୃତିରେ ଉଲ୍ଲେଖ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ