ଜିଲ୍ଲାର ସମସ୍ତ ବେଆଇନ୍ ଚିକିତ୍ସାଳୟ ଚିହ୍ନଟ କରାଯିବ  

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ରାଜ୍ୟ ସରକାର ରାଜ୍ୟର ସମସ୍ତ ଜନ ସାଧାରଣଙ୍କର ସ୍ୱାସ୍ଥ୍ୟ କିଭଳି ଠିକ୍ ରହିବ ସେ ଦିଗରେ ଅଧିକ ଯତ୍ନବାନ ଅଛନ୍ତି  । ଏଥି ସକାଶେ ଅନେକ ଗୁଡିଏ ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନା ମାନ କରାଯାଉଛି, କିନ୍ତୁ ସେ ସବୁ ଯୋଜନା ମାନ  ଅସାଧୁ ବ୍ୟକ୍ତି ମାନଙ୍କ ହସ୍ତରେ ପଡି ଠିକ୍ ଭାବରେ ଜନ ସାଧାରଣଙ୍କ ଠାରେ ପହଞ୍ଚି ପାରୁ ନାହିଁ  । ଅନେକ କ୍ଷେତ୍ରରେ ବେଆଇନ୍ ଭାବରେ ଅନେକ ଗୁଡିଏ କାର୍ଯ୍ୟକଳାପ ବେସରକାରୀ ଅନୁଷ୍ଠାନ ମାନଙ୍କ ଦ୍ବାରା ହେଉଥିବା ପରିଲକ୍ଷିତ ହେଉଛି  ।  ଗଞ୍ଜାମ ଜିଲ୍ଲାରେ ଅନେକ ଗୁଡିଏ ବେଆଇନ ଚିକିତ୍ସାଳୟ ଗୁଡିକ ସୃଷ୍ଟି ହେଉଥିବା ଜିଲ୍ଲା ପ୍ରଶାସନର ନଜରକୁ ଆସିଛି  । ଅନେକ କ୍ଷେତ୍ରରେ କନ୍ୟାଭୃଣ ଚିହ୍ନଟ କରି ଗର୍ଭପାତ ଭଳି ଜଘନ୍ୟ କାର୍ଯ୍ୟ ରେ ଲିପ୍ତ ଥିବା ମଧ୍ୟ ଜିଲ୍ଲା ପ୍ରଶାସନର ନଜରକୁ ଆସିଛି  । ଅନେକ ଗୁଡିଏ ଚିକିତ୍ସାଳୟ ଗୋଟିଏ ପ୍ରକାର ସେବା ନିମନ୍ତେ ଲାଇସେନ୍ସ ଗ୍ରହଣ କରି ଅନ୍ୟ ପ୍ରକାର ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ମଧ୍ୟ ନଜରକୁ ଆସୁଛି  । ଅନେକ ଗୁଡିଏ ରୋଗ ନିରୂପଣ କେନ୍ଦ୍ର ମାନ ରୋଗ ନିରୂପଣ ନିମନ୍ତେ ଧାର୍ଯ୍ୟ ମୂଲ୍ୟ ଠାରୁ ବହୁମୂଲ୍ୟ ରୋଗୀ ମାନଙ୍କ ଠାରୁ ଜୋର ଜବରଦସ୍ତ ଆଦାୟ କରୁଥିବା ମଧ୍ୟ ପ୍ରଶାସନର ନଜରକୁ ଆସିଛି  । ଅନେକ ଗୁଡିଏ କ୍ଷେତ୍ରରେ ଦେଖାଯାଉଛି ସେମାନେ ନୂତନ ମେସିନ୍ ବଦଳରେ ବହୁ ପୁରୁଣା ମେସିନ୍ ର ବ୍ୟବହାର କରୁଛନ୍ତି  । ଏହିଭଳି ସମସ୍ତ କ୍ଷେତ୍ରକୁ ଆଧାର କରି ଚଢାଉ ଏବଂ ଯାଂଚ୍ କାର୍ଯ୍ୟକୁ ଗୁରୁତର ସହ କରିବା ନିମନ୍ତେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଅନୁଷ୍ଠିତ ଗର୍ଭଧାରଣ ପୂର୍ବ ଓ ପରବର୍ତ୍ତୀ ଲିଙ୍ଗ ନିରୂପଣ ଆଇନ୍  ର ଜିଲ୍ଲା ଉପଦେଷ୍ଟା କମିଟି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି  ।  ଜିଲ୍ଲା ର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମକୁ ଚାଲୁ କରି ସଚେତନତା କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି  । ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସଫେଇ କାର୍ଯ୍ୟକୁ ତ୍ବରାନ୍ବୀତ କରି ପରିମଳ ବ୍ୟବସ୍ଥାର ଉନ୍ନତି ଆଣିବା ଦିଗରେ ଗୁରୁତ୍ବ ଦିଆ ଯାଇଛି  । ବିଶେଷ କରି ପ୍ରସବ ଗୃହ ଗୁଡିକ ନିଶ୍ଚିତରୂପେ ସଫାସୁତୁରା ରହିବ ସେ ଦିଗରେ ଯତ୍ନବାନ ହେବା ପାଇଁ ଅଧିକାରୀ ମାନଙ୍କୁ ଅବଗତ କରାଇଥିୁଲେ  । ଅସ୍ତ୍ରୋପଚାରକୁ ବିରୋଧ କରି ପ୍ରାକୃତିକ ଉପାୟ ରେ ମା ମାନେ କିଭଳି ପ୍ରସବ କରିବେ   ସେ ଦିଗରେ ଅଧିକ ଗୁରୁତ୍ବ ଦେବା ପାଇଁ ସମସ୍ତ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ  । ରୋଗ ନିରୂପଣ କେନ୍ଦ୍ର ମାନଙ୍କରେ ଲିଙ୍ଗ ନିରୂପଣ ହେଉଥିବା ଜଣାଗଲେ ଆଇନ୍ ଅନୁଯାୟୀ ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ବିଧାନ ହେବାଭଳି ପଦକ୍ଷେପ ଗ୍ରହଣ କରାଯିବ  । ଗଞ୍ଜାମ ଜିଲ୍ଲାର  ସମସ୍ତ ବିଦ୍ୟାଳୟ ଗୁଡିକରେ ସକାଳର ପ୍ରରମ୍ଭିକ ପ୍ରାର୍ଥନା ପରେ କନ୍ୟା ସନ୍ତାନର ଗୁରୁତ୍ବ ସମ୍ପର୍କରେ ଶିକ୍ଷକଗଣ ସଚେତନତା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି  । ଜିଲ୍ଲାର ସମସ୍ତ ଜନ ସାଧାରଣଙ୍କୁ ଗଞ୍ଜାମ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ଯେଉଁ ସ୍ଥାନରେ କନ୍ୟା ଭୃଣ ହତ୍ୟା ହେଉଥିବା ଖବର ପାଇଲେ ସେମାନେ ଜିଲ୍ଲାର ଶୁଳ୍କ ବିହୀନ ଫୋନ ନମ୍ବର ୨୬୩୮୦୦କୁ ଫୋନ୍ କରି ଜଣାଇବେ  । ଫୋନ୍ କରି ଜଣାଉଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ  । ଏଣୁ ନିର୍ଭ ୟରେ ଫୋନ୍ କରି ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ପାଇଁ ଅନୁରୋଧ  କରାଯାଇଛି  । ଆଜିର ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଢା. ଉମାକାନ୍ତ ମିଶ୍ର, ସିଟି ହସ୍ପିଟାଲର ଶିଶୁ ବିଶେଷଜ୍ଞ ଡା. ଭବାନୀ ଶଙ୍କର ମିଶ୍ର, ସିନିୟର ମେଡିକାଲ ସ୍ପେଶାଲିଷ୍ଟ ଡା. ଅମୂଲ୍ୟ କୁମାର ମିଶ୍ର, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିଗଣ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ମାତୃ ଓ ଶିଶୁ ଜିଲ୍ଲା ପରିଚାଳକ ଶକ୍ତି କୁମାର ଦିଗାଲ, ପରିବାର ନିୟନ୍ତ୍ରଣ ଏଡିଏମ୍ ଡା. ଭି. ସରୋଜୀନୀ ଦେବୀ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ପ୍ରକଳ୍ପ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ