ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ- ୨୦୨୪ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ- ୨୦୨୪ ପାଳନ ହୋଇଯାଇଛି I ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ୱର୍ଯ୍ୟା ସାମନ୍ତ, ବାଲେଶ୍ୱର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀ ବୈଦ୍ୟନାଥ ଷଡ଼ଙ୍ଗୀ, ଉପଦେଷ୍ଟା ଶ୍ରୀ ଗିରୀଶ ଚନ୍ଦ୍ର ଦାସ, ଉପସଭାପତି ଶ୍ରୀ ଅନ୍ତର୍ଯ୍ୟାମୀ ପ୍ରଧାନ, ସାଧାରଣ ସମ୍ପାଦକ, ଶ୍ରୀ ଦାମୋଦର ନାୟକ ଓ ପୂର୍ବତନ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ କମଳାକାନ୍ତ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ I ବରିଷ୍ଠ ନାଗରିକଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା ଯଥା ସାମାଜିକ ସୁରକ୍ଷା ନିମନ୍ତେ ବିଷୟରେ ଅତିଥିମାନେ ଆଲୋଚନା କରିଥିଲେ I ଏଥି ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଯୋଜନାଗୁଡିକ ସହଜରେ ଯେପରି ସେମାନଙ୍କ ପାଖରେ ପହଞ୍ଚିପାରିବ ସେ ଦିଗରେ ଜିଲ୍ଲା ପ୍ରଶାସନ ତତ୍ପର ରହିଛି ବୋଲି ମଞ୍ଚାସୀନ ଅତିଥିମାନେ ଦୃଢୋକ୍ତି ପ୍ରକାଶ କରିଥିଲେ I ସଭାରେ ଅତିଥିଙ୍କ ଦ୍ୱାରା ବାଲେଶ୍ୱର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ମୁଖପତ୍ର ‘ସାୟାହ୍ନ ର ଉନ୍ମୋଚନ କରାଯିବା ସହିତ ଜିଲ୍ଲାର ୮ ଜଣ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯାଇଥିଲା I ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ପୁଷ୍ପଲତା ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ I ଶେଷରେ ଦୃଷ୍ଟିବାଧିତ ସ୍ୱତନ୍ତ୍ର ବିଦ୍ୟାଳୟ, ରାଣୀପାଟଣା ଏବଂ ସ୍ୱତନ୍ତ୍ର ବିଦ୍ୟାଳୟ, ମିଶନ କମ୍ପାଉଣ୍ଡର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ପ୍ରକାଶ ଥାଉକି, ଏହି ଦିବସରେ ଗାନ୍ଧୀ ସ୍ମୃତି ଭବନ ପରିସରରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I