ସର୍ବସାଧାରଣଙ୍କ ପାଇଁ ଆଜିଠାରୁ ଖୋଲିଲା ମନ୍ମଥ-ମନୋଜ ସ୍ମାରକୀ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଳକ ଅନ୍ତର୍ଗତ ଶଙ୍ଖାରିସ୍ଥିତ ମନ୍ମଥ-ମନୋଜ ସ୍ମାରକୀକୁ ଆଜିଠାରୁ ଜନସାଧାରଣଙ୍କ ନିମନ୍ତେ ଆନୁଷ୍ଠାନିକ ଭାବେ ଖୋଲାଯାଇଛି I ପ୍ରାପ୍ତ ସୂଚନା ଅନୁଯାୟୀ ମନ୍ମଥ-ମନୋଜ ସ୍ମାରକୀ ପରିସର ପ୍ରତି ଦିନ ସକାଳ ୬ଟାରୁ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବ। କେବଳ ସୋମବାର ଦିନ ରକ୍ଷଣାବେକ୍ଷଣ ନିମନ୍ତେ ଏହା ବନ୍ଦ ରହିବ। ଏହି ପରିସର ମଧ୍ୟରେ ଥିବା ସ୍ମାରକୀ ସଂଗ୍ରହାଳୟ ଏବଂ ପାଠାଗାର ଉକ୍ତ ଦିନ ଗୁଡିକରେ ପୂର୍ବାହ୍ନ ୧୦ ଟାରୁ ସନ୍ଧ୍ୟା ୫ ଟା ୩୦ ମି ସମୟ ପର୍ଯ୍ୟନ୍ତ ଖୋଲା ରହିବ I ସାଂସ୍କୃତିକ ସଚେତନତା ଓ ସ୍ଥାନୀୟ ଐତିହ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମନ୍ମଥ-ମନୋଜ ସ୍ମାରକୀ ପରିସରକୁ ପ୍ରବେଶ ସମସ୍ତ ଦର୍ଶକଙ୍କ ପାଇଁ ମାଗଣା ରହିବ। ସ୍ମାରକୀ ସଂଗ୍ରହାଳୟରେ ପ୍ରବେଶ ପାଇଁ ୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ଦର୍ଶକଙ୍କ ଠାରୁ ୧୦ ଟଙ୍କା ଆଦାୟ କରାଯିବ। ଏଠାରେ ପ୍ରକାଶ ଥାଉ କି, ଗତ ତା-୨୮.୦୨.୨୦୨୪ରିଖ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ମନ୍ମଥ-ମନୋଜ ସ୍ମାରକୀର ଶୁଭଉଦ୍ଘାଟନ କରାଯାଇଥିଲା I ସମୁଦାୟ ପ୍ରକଳ୍ପ ମୂଲ୍ୟ ୧୫ କୋଟିରୁ ଉର୍ଦ୍ଧ୍ବରେ ଏହି ଐତିହାସିକ ସ୍ମାରକୀର ନିର୍ମାଣ କରାଯାଇଛି I ଏହି ସ୍ମାରକୀର ସୁପରିଚାଳନା ନିମନ୍ତେ ଭୋଗରାଇ ବ୍ଲକ ପ୍ରଶାସନକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି I ଏହି ଅବସରରେ ଆଜି ଭୋଗରାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଛାତ୍ରଛାତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ‘ସ୍ୱଚ୍ଛତା ହି ସେବା’ ଅନ୍ତର୍ଗତ ଏକ ସାଧାରଣ ସଭା ମଧ୍ୟ ଅନୁଷ୍ଠିତ ହୋଇଯାଇଛି I


