ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ
ବାଲେଶ୍ୱର,(ସରୋଜ ପଣ୍ଡା): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଆଜି ବାଲେଶ୍ୱର ଜିଲ୍ଲାସ୍ତରରେ ଶ୍ରଦ୍ଧା, ଭକ୍ତି ଓ ଦେଶପ୍ରେମର ଭାବନା ସହ ପାଳିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପୂର୍ବାହ୍ନ ୯.୩୦ ଘଟିକାରେ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ମାନ୍ୟବର ବାଲେଶ୍ୱର ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ବାଲେଶ୍ୱର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ବହୁ ଗଣମାନ୍ୟ ବ୍ୟକ୍ତି ଏଥିରେ ଯୋଗଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରବୋଧ କୁମାର ମଲିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।
ଏହା ପୂର୍ବରୁ ଭୋର ୪.୦୦ ଘଟିକା ସମୟରେ ଡାକବାଜି ଯନ୍ତ୍ର ଦ୍ୱାରା ବାଲେଶ୍ୱର ସହରରେ ରାମଧୂନ ପରିବେଷଣ କରାଯାଇଥିବା ବେଳେ ସକାଳ ୮.୩୦ ଘଟିକାରେ ଶହୀଦ ପାର୍କସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଓ ବାଲେଶ୍ୱର ଉପ ଜିଲ୍ଲାପାଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୁଷ୍ପମାଲ୍ୟ ଅର୍ପଣ କରି ମହାତ୍ମା ଗାନ୍ଧୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସମାରୋହରେ ସ୍ଥାନୀୟ ନୃତ୍ୟ ସଙ୍ଗୀତ କଳାମନ୍ଦିର ଦ୍ୱାରା ଗାନ୍ଧିଜୀଙ୍କ ଆଶ୍ରମ ଭଜନ ଓ ପ୍ରିୟ ଭଜନ ପରିବେଷଣ କରାଯାଇଥିଲା । ପରେ ହିନ୍ଦୁ, ମୁସଲିମ ଓ ଖ୍ରୀଷ୍ଟିଆନ ଧର୍ମଗୁରୁମାନଙ୍କ ଦ୍ୱାରା ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ସମସ୍ତ ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି, ସଦ୍ଭାବ, ଭାଇଚାରା ଓ ଏକତାର ବାର୍ତ୍ତା ପ୍ରସାର କରିବା ସହ ଗାନ୍ଧୀଜୀଙ୍କ ଅହିଂସା ଓ ସତ୍ୟର ଆଦର୍ଶକୁ ଦୈନନ୍ଦିନ ଜୀବନରେ ଅନୁସରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛତା, ସ୍ୱାବଲମ୍ବନ, ଗ୍ରାମ ସ୍ୱରାଜ, ସାମାଜିକ ସମାନତା ଓ ଅହିଂସାର ଆଦର୍ଶକୁ ଅନୁସରଣ କରି ଏକ ଶାନ୍ତିପୂର୍ଣ୍ଣ, ସ୍ୱଚ୍ଛ ଓ ସମୃଦ୍ଧ ସମାଜ ଗଠନ ଦିଗରେ ସମସ୍ତେ ନିଜ ନିଜ ଦାୟିତ୍ୱ ସମ୍ପାଦନ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ। ଏଥିସହ ଲାଲବାହାଦୁର ଶାସ୍ତ୍ରୀଙ୍କ ‘ଜୟ ଜବାନ, ଜୟ କିଷାନ’ ମନ୍ତ୍ରର ମହତ୍ତ୍ୱ ଏବଂ ଦେଶ ଗଠନରେ ତାଙ୍କର ଅବଦାନ ସ୍ମରଣ କରାଯାଇଥିଲା। ସମାରୋହର ଶେଷ ପର୍ଯ୍ୟାୟରେ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମ ଗାନ୍ଧୀଜୀ ଓ ଲାଲବହାଦୁର ଶାସ୍ତ୍ରୀଙ୍କ ଆଦର୍ଶକୁ ସ୍ମରଣ କରିବା ସହ ସମାଜରେ ଶାନ୍ତି, ଏକତା, ଭାଇଚାରା ଓ ଦେଶପ୍ରେମର ଭାବନାକୁ ସୁଦୃଢ଼ କରିବାର ବାର୍ତ୍ତା ପ୍ରଦାନ କରିଥିଲା।


