ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ଉଦ୍ଘାଟିତ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଆଜି ସ୍ଥାନୀୟ ମିଶନ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ-୨୦୨୦ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ .ସୁଦର୍ଶନ ଚକ୍ରବର୍ତୀ ସ୍କୁଲ ଛାତ୍ରୀଙ୍କୁ କୃମିନାଶକ ବଟିକା ଖୁଆଇ ଏହାର ଶୁଭାରମ୍ଭ କରିବା ସହିତ ପିଲାଙ୍କ ମାନସିକ ଓ ଶାରୀରିକ ଅଭିବୃଦ୍ଧି ପାଇଁ କୃମିନାଶକ ବଟିକାର ମହତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହା ଖାଇବା ସମ୍ପୂର୍ଣ୍ଣ ନିରାପଦ ବୋଲି କହିବା ସହ ସେ ନିଜେ ଏକ ବଟିକା ସେବନ କରିଥିଲେ । ଆଜି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ସମେତ ଅନ୍ୟାନ୍ୟ ଅଂଚଳରେ ୧ରୁ ୧୯ ବର୍ଷ ବୟସର ପିଲାମାନଙ୍କୁ କୃମିନାଶକ ଔଷଧ ଖାଇବାକୁ ଦିଆଯାଉଛି । ପିଲାମାନଙ୍କୁ ପୁଷ୍ଟିହୀନତା ଓ ରକ୍ତହୀନତାରୁ ଦୂରେଇ ରଖିବା ପାଇଁ ଏପରି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବା ବେଳେ ଆଜି ଯେଉଁ ପିଲାମାନେ ବାଦ୍ ପଡିଯାଇଥିବେ ସେମାନଙ୍କୁ ଆସନ୍ତା େ‘ବୃୟାରୀ ୧୭ ତାରିଖ ଦିନ କୃମିନାଶକ ଔଷଧ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ସହକାରୀ ଜିଲ୍ଲା ଚିକିତ୍ସାଧିକାରୀ ଡା. ଶଶାଙ୍କ ଶେଖର ଚୌଧୁରୀ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରମୋଦ କୁମାର ଷଡଙ୍ଗୀ, ଡିପିଏମ ଶ୍ରୀ ଅନୀଲ ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କୁସୁମମାଳା ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଶ୍ରୀ ନରେଶ ଚନ୍ଦ୍ର ଦାଶ, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଶ୍ରୀ ରମଣୀକାନ୍ତ ଭଞ୍ଜ, ମିଶନ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ହିମାଂଶୁ କୁମାର ନାୟକ, ସୂଚନା ଓ ଲୋକସଂପର୍କ ଅଧିକାରୀ ଦୀପକ କୁମାର ସାହୁ, ଡିଏମ-ଆରସିଏଚ ଏଲିନା ସାମଲ ଓ ଆଶା ମ୍ୟାନେଜର ସୂର୍ଯ୍ୟଜିତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।