ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ
କୋରାପୁଟ,(ହେମନ୍ତ ପାଣଗ୍ରାହୀ):କୋରାପୁଟ ସଦର ମହକୁମା ସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସିଏଚ. ସାନ୍ତାକାରଙ୍କ ପରିଚାଳନାରେ ଆୟୋଜିତ ଉତ୍ସବରେ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଡ.ସୌରଭ ଗୁପ୍ତା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସ୍ଵରାଜ୍ୟ ସୀସା ସ୍ବାଗତ ଭାଷଣ ଦେଇଥିବା ବେଳେ କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ସାମ୍ବାଦିକ ଦିଲିପ କୁମାର ମହାନ୍ତି, ଭୂଷିତ କୁମାର ବିଡ଼ିକା, ଅମିତ କୁମାର ହୋତା, ସୂର୍ଯ୍ୟ ନାରାୟଣ ପଣ୍ଡା,ରଞ୍ଜନ ଦାଶ, ଗଜେନ୍ଦ୍ର କୁମାର ସାହୁ, ହେମନ୍ତ କୁମାର ପାଣିଗ୍ରାହୀ,ଅମିତାଭ ବେହେରା ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କ ନିମନ୍ତେ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବି କରିଥିଲେ। ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ବରୂପ ଚଳିତ ବର୍ଷର ବିଷୟକୁ ନେଇ ମୁଖ୍ୟବକ୍ତା ସୌରଭ ଗୁପ୍ତା ଆଲୋକପାତ କରିଥିଲେ । ଜାତୀୟ ପ୍ରେସ ଦିବସ ଅବସରରେ ସମସ୍ତ ସାମ୍ବାଦିକ ମାନଙ୍କୁ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।କୋରାପୁଟ ଜିଲ୍ଲାର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ସହ ସାମ୍ବାଦିକ ମାନେ ଜଡ଼ିତ ହୋଇ କାର୍ଯ୍ୟ କରୁଥିବା ଜିଲ୍ଲାପାଳ କହିଛନ୍ତି। ତତ୍ ସହିତ ସାମ୍ୱାଦିକ ମାନଙ୍କ ସୁରକ୍ଷା ବିଷୟରେ ଆଲୋଚନା କରିବା ସହିତ ଆଗମୀ ଦିନରେ କୋରାପୁଟ ଜିଲ୍ଲାର କାର୍ଯ୍ୟରତ ସାମ୍ୱାଦିକ ମାନଙ୍କ ପାଇଁ ଗୋଷ୍ଟିଗତ ଜୀବନ ବୀମା ପଲିସି ଯାହାର ସୁରକ୍ଷା ମୂଲ୍ୟ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ବିମାର ସୁବିଧା ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଏଥି ସହିତ ମିଥ୍ୟା ପ୍ରଚାର ପ୍ରସାର ଦିଗରେ ଦୃଷ୍ଟିଦେଇ ସଠିକ ତଥ୍ୟ ସଂଗ୍ରହ କରି ସାମ୍ବାଦିକତାକୁ ସ୍ୱଚ୍ଛତା ରଖି ନିଜ କର୍ମ କ୍ଷେତ୍ରକୁ ବଜାୟ ରଖିବାକୁ ମଧ୍ୟ ଉପଦେଶ ଦେଇଛନ୍ତି। ଜନ ସାଧାରଣଙ୍କ ଯାହା ସବୁ ସମସ୍ୟା ରହିଛି ସେଗୁଡ଼ିକୁ ଜିଲ୍ଲା ପ୍ରଶାସନକୁ ଅବଗତ କରିବାକୁ ସେ ଆହ୍ବାନ ଦେଇଥିଲେ। ସାମ୍ବାଦିକ ତଥା ଲୋକ ମାନଙ୍କର ଯାହା ସହଯୋଗ ଦରକାର ତାହାକୁ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନର ଚେଷ୍ଟା ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ, ଏ କେ ବେହେରା, ଏସ କେ ସେଠୀ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।