ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ଘ. ୧୧ ଟା ସମୟରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ-୨୦୨୪ ର ଉଦଯାପନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସମାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଡ. ସତ୍ୟଜିତ ନାୟକ, ପୋଲିସ ଉପ- ମହାନିରୀକ୍ଷକ (ପୂର୍ବାଞ୍ଚଳ ଜୋନ) ଯୋଗ ଦେଇଥିବା ବେଳେ ଶ୍ରୀ ରାଜ ପ୍ରସାଦ, ଆରକ୍ଷୀ ଅଧିକ୍ଷକ, ଶ୍ରୀ ଖୁଶୱନ୍ତ ସିଂ, ମଣ୍ଡଳୀୟ ବନ ଅଧିକାରୀ, ଶ୍ରୀ ରାହୁଲ ପି.ଆର, ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ବିଭାଗ, ବାଲେଶ୍ୱର ଖଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ I ଏଥି ସହିତ ବରଣ୍ୟେ ଅତିଥି ଭାବେ ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ, ବାଲେଶ୍ୱର ଓ ଶ୍ରୀ ବିଶ୍ୱରଞ୍ଜନ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ମଞ୍ଚାସୀନ ଥିଲେ I ପଂକୀର ମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଶ୍ରୀଯୁକ୍ତ ଭାସ୍କର ବେହେରା ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ଥିଲେ I ସଭା ପ୍ରାରମ୍ଭରେ ସଂସ୍କୃତି ପୋଲିସ ଲାଇନ ରିଜର୍ଭ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ପରିବେଷିତ ହୋଇଥିଲା I ଉକ୍ତ ସଭାରେ ମଞ୍ଚସ୍ଥ ଅତିଥିମାନେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉଦବୋଧନ ଦେବା ସହିତ ଦୁର୍ନୀତିକୁ କିପରି ତୃଣମୂଳ ସ୍ତରରେ ରୋକା ଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଏହି ସଭାରେ ଏକ ଦୁର୍ନୀତିମୁକ୍ତ ଦେଶ ଗଠନ ଏବଂ ସ୍ୱଚ୍ଛ ଜନସେବା ସୁନିଶ୍ଚିତ କରିବା ଦିଗରେ ଦୃଢ଼ ପ୍ରତିବଦ୍ଧତା ଉପରେ ଆଲୋକପାତ କରାଯାଇଥିଲା । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କିଭଳି ସୁଶାସନର ମୂଳଦୁଆକୁ ସୁଦୃଢ଼ କରିଥାଏ ଏବଂ ଜନସାଧାରଣଙ୍କ ବିଶ୍ୱାସକୁ ବୃଦ୍ଧି କରିଥାଏ ତାହା ଉପରେ ଉପସ୍ଥିତ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଏହି ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଏକ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ବ୍ୟାପକ ସମର୍ଥନ କରିବାରେ ସହାୟକ ହେବ ବୋଲି ଅତିଥମାନେ ଦୃଢୋକ୍ତି ପ୍ରକାଶ କରିଥିଲେ I ବର୍ଷସାରା ସତର୍କତା ଓ ସ୍ୱଚ୍ଛତା ବଜାୟ ରଖିବାରେ ଜନଭାଗିଦାରୀ ଜାରି ରଖିବା ଉପରେ ମତ ପ୍ରକାଶ କରିବା ସହିତ ‘ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିଭିଭୂମି’ ପ୍ରସଙ୍ଗରେ ମୁଖ୍ୟ ବକ୍ତା ଶ୍ରୀ ବେହେରା ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ I ସୂଚନା ଥାଉକି, ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖ ଠାରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ରାଜ୍ୟବାସୀଙ୍କୁ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ । ଦୁର୍ନୀତି ନିବାରଣ ବିଭାଗ ଏସ୍.ପି. ଶ୍ରୀ ରାହୁଲ ପି.ଆର ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ସଭା ପରିଚାଳନା କରିଥିଲେ । ପୂର୍ବରୁ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହିତ ଉପସ୍ଥିତ ଛାତ୍ରଛାତ୍ରୀମାନେ ମଞ୍ଚସ୍ଥ ଅତିଥିମାନଙ୍କୁ ‘ଦୁର୍ନୀତି ନିବାରଣ ରାକ୍ଷୀ’ ପିନ୍ଧାଇ ଥିଲେ I ସଭାରେ ବରେଣ୍ୟ ବ୍ୟକ୍ତିବିଶେଷ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଭାଗୀୟ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ତଥା ଗଣମାଧ୍ୟମର ପ୍ରତିନିଧିଗଣ ଯୋଗ ଦେଇଥିଲେ।