ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ
ବାଲେଶ୍ୱର, (ଯୁଗାଦ୍ଧ ନ୍ୟୁଜ୍) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଓ ବିଭିନ୍ନ ବ୍ଲକ କାର୍ଯ୍ୟାଳୟ ସମେତ ଜିଲ୍ଲାର ବିଭିନ୍ନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ମକଡ୍ରିଲକୁ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଉଦଘାଟନ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଉଦ୍ଧାର ଏବଂ ଥଇଥାନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିବା ସହିତ ଏଭଳି ମକ୍ଡ୍ରିଲ ବିପର୍ଯ୍ୟୟର ମୁକାବିଲା ଲାଗି ଆମକୁ ଆଗୁଆ ପ୍ରସ୍ତୁତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ସାରା ରାଜ୍ୟରେ ମକଡ୍ରିଲ ଅନୁଷ୍ଠିତ ହେଉଥିବା ବେଳେ ବାଲେଶ୍ୱର ଜିଲ୍ଲାର ସମସ୍ତ ବ୍ଲକ ତଥା ୧୨୮ଟି ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀରେ ଏଭଳି ମକଡ୍ରିଲ ଆୟୋଜିତ ହେଉଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ କୁହାଯାଇଛି । ଏନ.ଡି.ଆର.ଏଫ ତରଫରୁ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ପରିଖି ଠାରେ, ଓଡ୍ରାଫ ତରଫରୁ ଭୋଗରାଇ ବ୍ଲକ କୀର୍ତନିଆ ଠାରେ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ସ୍ଥାନୀୟ ଅଗ୍ନିଶମ କେନ୍ଦ୍ରଗୁଡିକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଜଣାପଡିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ମକଡ୍ରିଲରେ ଓଡ୍ରାଫ, ଏନ.ଡି.ଆର.ଏଫ., ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସମେତ ଅନ୍ୟାନ୍ୟ ଅନୁଷ୍ଠାନର କର୍ମକର୍ତାମାନେ ଅଂଶଗ୍ରହଣ କରିଥିଲେ । ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିଭଳି ଉଦ୍ଧାର କରାଯାଇଥାଏ, ସେ ସମ୍ପର୍କିତ କୌଶଳ ସବୁ ଏହି ଅବସରରେ ପ୍ରଦର୍ଶନ କରାଯାଇଥିଲା । ଓଡ୍ରାଫ, ଏନ.ଡି.ଆର.ଏଫ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ପ୍ରଦର୍ଶନ କରିବା ସହିତ ସେ ଗୁଡିକର କାର୍ଯ୍ୟକ୍ଷମତା ବାବଦରେ ଅବଗତ କରାଇଥିଲେ । ଓସଡାମା ସହଯୋଗରେ ଅନୁଷ୍ଠିତ ଏହି ମକଡ୍ରିଲରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲ୍ଲାସ୍ତରୀୟ ମକଡ୍ରିଲ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ନାୟକ, ପିଡି ଡିଆରଡିଏ ତ୍ରିଲୋଚନ ପ୍ରଧାନ ପ୍ରମୁଖ ଯୋଗ ଦେଇ ଏଭଳି ମକଡ୍ରିଲର ଉପଯୋଗିତା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ଓ ଯନ୍ତ୍ରପାତିଗୁଡିକର ସ୍ଥିତି ସଂପର୍କରେ ସଠିକ ତଥ୍ୟ ହାସଲ କରିବା ଦିଗରେ ଏହା ସହାୟକ ହୋଇଥାଏ ବୋଲି ଅତିଥିମାନେ ପ୍ରକାଶ କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ସଦାସର୍ବଦା ପ୍ରସ୍ତୁତ ହୋଇ ରହିଥିବାକୁ ଆହ୍ୱାନ ଦେଇଥିଲେ । ବାଲେଶ୍ୱର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅଭୟ ନାୟକ, ଜିଲ୍ଲା ପ୍ରକଳ୍ପ ସଂଯୋଜକ (ଓସଡାମା) ଅବନୀକାନ୍ତ ଭୂୟାଁ, ଏନ.ଡି.ଆର.ଏଫ. ଟିମ କମାଣ୍ଡର, ଓଡ୍ରାଫ ଓ ଅଗ୍ନିଶମ ବିଭାଗୀୟ ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍ଥାନୀୟ ଜନସାଧାରଣଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।