ଜିଲ୍ଲାସ୍ତରୀୟ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ
ଛତ୍ରପୁର : କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଶିକ୍ଷିତ କରି ସମାଜରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଅଭିନବ ପ୍ରୟାସ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମର ଶୁକ୍ରବାର ଏକ ବର୍ଷ ହୋଇଛି । ଗଲାବର୍ଷ ଏହି ଦିନରେ ଜନ୍ମ ନେଇଥିବା ଶିଶୁଙ୍କ ଦ୍ୱାରା କେକ୍ କାଟି ଜିଲ୍ଲାପାଳ ଉତ୍ସବ ପାଳନ କରିଥିଲେ । ଜିଲ୍ଲାପାଳ ନିଜେ ଶିଶୁମାନଙ୍କୁ କୋଳେଇ ସେମାନଙ୍କୁ କେକ୍ ଖୁଆଇ ଏହି ଉତ୍ସବକୁ ମହା ଆଡମ୍ବରରେ ପାଳନ କରିଥିଲେ । କନ୍ୟା ଶିଶୁଙ୍କୁ ଜନ୍ମ କରିଥିବା ସମସ୍ତ ମାତାପିତା ଭାଗ୍ୟବାନ ବୋଲି ଜିଲ୍ଲାପାଳ ତାଙ୍କରି ବକ୍ତବ୍ୟରେ ଶୁଭେଚ୍ଛା ଜଣାଇଥିଲେ ।
ଶିଶୁ ସୁରକ୍ଷା, ମହିଳା ଓ ଶିଶୁ କିବାଶ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜିଲ୍ଲାବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇଛି । ୨୦୧୭ ମସିହାରେ ଏକ ହଜାର ପୁଅ ତୁଳନାରେ ୮୫୪ ଝିଅ ରହିଥିବା ବେଳେ ୨୦୧୯ରେ ବୃଦ୍ଧି ପାଇ ଝିଅ ୯୩୭ କୁ ପହଞ୍ଚିଛି । ଏବେ ମଧ୍ୟ ଏହି ଅନୁପାତ କିଛି ପ୍ରତିଶତ ବୃଦ୍ଧି ପାଇଛି ତାହା ଅନୁଧ୍ୟାନରେ ରହିଛି । ଏହି କାର୍ଯ୍ୟକ୍ରମ ପରଠୁ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ବ୍ରହ୍ମପୁର-୨ ଅଧୀନରେ ପୁଅ ଠାରୁ ଝିଅ ଜନ୍ମ ସଂଖ୍ୟା ଅଧିକା ହୋଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗଞ୍ଜାମ ଜିଲ୍ଲାରେ ଲିଙ୍ଗ ଅନୁପାତ ହାରକୁ ବୃଦ୍ଧି କରିବା । ସେହିପରି ବାଲ୍ୟ ବିବାହକୁ ନା’ ଉଦ୍ଦେଶ୍ୟ ଜିଲ୍ଲାରେ ‘ନିର୍ଭୟ କଢି’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଯେ କୌଣସି ସ୍ଥାନରେ ବାଲ୍ୟ ବିବାହ ହେଉଛି ତାହାର ସୂଚନା ଦେଲେ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ଏକ ବର୍ଷ ପୁର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଘୋଷଣା କରିଛନ୍ତି । ପ୍ରାରମ୍ଭରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜାତୀୟ କନ୍ୟା ସନ୍ତାନ ଦିବସ ଅବସରେ ଏକ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜିଲ୍ଲା ସମାଜ ଓ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆର୍.ସରୋଜିନୀ ଦେବୀ, ଡିପିଏମ୍ ଶ୍ୟାମସୁନ୍ଦର ତ୍ରିପାଠୀ, ଡିଆର୍ଏମ୍ସିଏଚ୍ ଶକ୍ତି ଦିଗାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ମତବ୍ୟକ୍ତ ରଖିଥିଲେ । ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ମିଳିତ ଭାବେ ପରିଚାଳନା କରିଥିବା ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଅରୁଣ କୁମାର ନାୟକ, ଏକ୍ସଏନ୍ଡିର ସଂଯୋଜକ ସୁବ୍ରତ ମହନ୍ତ, ଡିସିପିଓ କାର୍ଯ୍ୟାଳୟର ସୁଦାମ ପାଣିଗ୍ରାହୀ, ଶିବ ପ୍ରସାଦ ରଥ ଏବଂ ସମସ୍ତ ଅଙ୍ଗନବାଡି, ସୁପରଭାଇଜର ଓ ଆଶାକର୍ମୀମାନେ ସହଯୋଗ କରିଥିଲେ ।