ଜିଲ୍ଲାସ୍ତରୀୟ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲାସ୍ଥିତ ସଦ୍ଭାବନା ସଭାଗୃହଠାରେ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଜିଲ୍ଲାସ୍ତରୀୟ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀମତୀ ପ୍ରିୟଦର୍ଶିନୀ ମଲ୍ଲିକ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ପୌରଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଶିଖାରାଣୀ ପୋଦ୍ଦାର ପ୍ରମୁଖ ମଞ୍ଚାସୀନ ଥିଲେ I ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି ମାସବ୍ୟାପୀ ଉତ୍ସବରେ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ପୁଷ୍ଟିହୀନତା ସମସ୍ୟା ଦୂର ହେବା ଲକ୍ଷ୍ୟରେ ଏହି ସଭା ଆୟୋଜିତ କରାଯାଇଥିଲା Iସଭା ପ୍ରାରମ୍ଭରେ ସନ୍ତୁଳିତ ଖାଦ୍ୟର ମହତ୍ତ୍ୱ, ସ୍ତନ୍ୟପାନ ଅଭ୍ୟାସ ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟ୍ ମହତ୍ତ୍ୱ ବିଷୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଆଲୋଚନା କରିଥିଲେ I ଶିଶୁ ଓ କିଶୋରୀ ବାଳିକାମାନଙ୍କର ବୃଦ୍ଧି ଏବଂ ବିକାଶ ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଶିବିର ଗଠନ କରାଯିବ ଯେପରି ସେମାନେ ଆବଶ୍ୟକ ଯତ୍ନ ପାଇ ପାରିବେ ଓ ଏହି ଦିଗରେ ନିଜ ଅଞ୍ଚଳରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଅଙ୍ଗନବାଡି କର୍ମୀ ଏବଂ ଆଶା ଦିଦିଙ୍କୁ ଜିଲ୍ଲାସ୍ତରୀୟ ଉତ୍ସବରେ ସମ୍ବର୍ଦ୍ଧିତ କରିବା ପାଇଁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ I ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର ମାନବ ଜୀବନର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ: ଗର୍ଭଧାରଣ, ଶିଶୁ ଯତ୍ନ ଏବଂ ଯୁବାବସ୍ଥା କାଳରେ ସଠିକ ପୋଷଣର ମହତ୍ତ୍ୱ ଉପରେ ବିସ୍ତାର ଭାବରେ ସୂଚନା ପ୍ରଦାନ କରିଥିଲେ I ଏଥି ସହିତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକରେ ମିଲେଟ ଆଧାରିତ ପୁଷ୍ଟିକର ଖାଦ୍ୟ ଉପରେ ତୃଣମୂଳସ୍ତରରେ ମହିଳାମାନଙ୍କୁ ସଚେତନ କରିବା ପାଇଁ ଅନୁରୋଧ କରିଥିଲେ I ପୌରଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ ତାଙ୍କ ଅଭିଭାଷଣରେ ‘ୱାଶ୍ ଅଧିବେଶନ’ ଯଥା ହାତ ଧୋଇବା, ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ସମ୍ୟକ ବାର୍ତ୍ତା ପ୍ରସ୍ତୁତ କରିଥିଲେ I ଏକ ଶିଶୁର ସୁଦୃଢ଼ ଭବିଷ୍ୟତ ଗଠନ କରିବାରେ ଆମ ସଭିଙ୍କର ଭୂମିକା ରହିଛି I ଯୁବାବସ୍ଥା ପର୍ଯ୍ୟନ୍ତ ଶିଶୁଟି ଯଦି ଠିକ ଭାବରେ ପୁଷ୍ଟିକର ଖାଦ୍ୟ ସେବନ କରୁଛି, ଜୀବନର ପରବର୍ତୀ ସମୟରେ ଅନେକ ରୋଗରୁ ନିଜକୁ ସୁରକ୍ଷିତ ରଖିପାରିବ ବୋଲି ମତ ପ୍ରକାଶ କରିଥିଲେ ଶ୍ରୀମତୀ ସାହୁ I ସଭାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଅଙ୍ଗନବାଡି କର୍ମୀ ବିଭିନ ପ୍ରକାରର ହାତରନ୍ଧା ପୁଷ୍ଟିକର ଖାଦ୍ୟ ପ୍ରଦର୍ଶିତ କରିଥିଲେ I ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କର୍ମକର୍ତ୍ତାମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀମତୀ ପ୍ରିୟଦର୍ଶିନୀ ମଲ୍ଲିକ ପୁରଷ୍କୃତ କରିଥିଲେ I ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଶିଖାରାଣୀ ପୋଦ୍ଦାର ସଭା ପରିଚାଳନା କରିଥିଲେ I ସଭାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆଶା ଦିଦି, ଅଙ୍ଗନବାଡ଼ି କର୍ମୀ, ସାମାଜିକ କର୍ମକର୍ତ୍ତା ଏବଂ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ I ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ପ୍ରକାଶ ଥାଉକି, ଏହି ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବ ଉଦ୍ଦେଶ୍ୟରେ ଏକ ସଚେତନତା ରାଲି ସଂଗଠିତ ହୋଇଥିଲା ଯାହାକୁ କଲେକ୍ଟୋରେଟ୍ ପରିସରରୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାୟକ I ଏହି ରାଲି ଫାଣ୍ଡି ଛକ, ଏଫ. ଏମ. ଗୋଲେଇ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦେଇ ସଦ୍ଭାବନା ସଭାଗୃହଠାରେ ପହଞ୍ଚି ଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ