ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଉଦଯାପିତ
କୋରାପୁଟ,(ହେମନ୍ତ ପାଣିଗ୍ରାହୀ)ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। କୋରାପୁଟ ସାଂସ୍କୃତିକ ପରିଷଦ ମଞ୍ଚରେ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା। କୋରାପୁଟ ସାଂସ୍କୃତିକ ପରିଷଦର ସଭାପତି ଶିବ ପ୍ରସାଦ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରାବଣୀ ନାୟକ, କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, କୋରାପୁଟ ତହସିଲଦାର ସୟଦ ସବିର ସାହା, ପରିଷଦର ସଂପାଦକ ଅତନୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଗୀତ ମରା, ଝୋଟି, ଓଡ଼ିଶୀ, ଢାମ୍ଫ, ମହୁରୀ, ଲୋକନୃତ୍ୟ ଓ ଆଦିବାସୀ ନୃତ୍ୟ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା। ଲୋକନୃତ୍ୟ କନିଷ୍ଠ ପ୍ରତିଯୋଗୀତାରେ ଜୟପୁର ସହରାଞ୍ଚଳ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଲୋକନୃତ୍ୟ ବରିଷ୍ଠ ପ୍ରତିଯୋଗୀତାରେ କୋରାପୁଟ ସହରାଞ୍ଚଳ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଆଦିବାସୀ ନୃତ୍ୟ କନିଷ୍ଠ ପ୍ରତିଯୋଗୀତାରେ ଜୟପୁର ବ୍ଲକ ପ୍ରତିଯୋଗୀ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆଦିବାସୀ ନୃତ୍ୟ ବରିଷ୍ଠ ପ୍ରତିଯୋଗୀତାରେ ଲକ୍ଷ୍ମୀପୁର ବ୍ଲକ ପ୍ରତିଯୋଗୀ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କୋରାପୁଟ ସାଂସ୍କୃତିକ ପରିଷଦର ସଦସ୍ୟ ନନ୍ଦ କିଶୋର ଗୁରୁ ମଞ୍ଚ ପରିଚାଳନା କରିଥିଲେ।କୃତୀ ପ୍ରତିଯୋଗୀ ଏବଂ ଦଳ ଗୁଡିକୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।