ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତମାସ ୨୨,୨୩ ଓ ୨୪ତାରିଖ ଦିନ ସକାଳ ୮.ଟାରୁ ୧୦ଟା ପର୍ଯ୍ୟନ୍ତ କେନ୍ଦ୍ରାପଡା କଲେଜ ପଡିଆରେ କଣ୍ଟିଜେଣ୍ଟ ମାନଙ୍କ ମଧ୍ୟରେ ଅଭ୍ୟାସ ପ୍ୟାରେଡ ଅନୁଷ୍ଠିତ ହେବ । ଦଳଗତ ଦେଶଭକ୍ତି ନୃତ୍ୟଦଳ ଚୟନ ୨୨ ତାରିଖ ଦିନ ୧୦ଟାରେ ସେହି କଲେଜ ପଡିଆରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦେଶକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହେବ । ସାଧାରଣତନ୍ତ୍ର ଦିବସ ଦିନ ସକାଳ ୭ଟାରେ ସମସ୍ତ ସରକାରୀ,ବେସରକାରୀ ଓ ଘରୋଇ କୋଠାବାଡି ମାନଙ୍କରେ ଜାତୀୟ ପତକା ଉତ୍ତୋଳନ ହେବ । ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଦିନ ସକାଳ ୮.୩୦ମିରେ କଲେଜ ପଡିଆରେ ରିଜର୍ଭ ଇନିସପେକ୍ଟରଙ୍କ ତତ୍ୱାବଧାନରେ ପ୍ୟାରେଡ ଅନୁଷ୍ଠିତ ହେବ । ସେହିଦିନ ମୁଖ୍ୟ ଅତିଥି ପ୍ୟାରେଡ ଅଭିବାଦନ ଗ୍ରହଣ କରିବା ପରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପରେ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧିତ କରିବେ । ଏହାପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ ଓ ବାରିମୂଳ ଉପ କାରାଗାରରେ କଏଦୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବେ । ଏହି ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ୧୬ ରୁ ୧୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଉକ୍ତ ପ୍ୟାରେଡ ଉତ୍ସବରେ ବିଭିନ୍ନ ବିଭାଗ ପକ୍ଷରୁ ଯଥା ସର୍ବଶିକ୍ଷା ଅଭିଯାନର ପ୍ରଜ୍ଞାପନ ମେଢ, ମୋ ସରକାର, ସଡକ ସୁରକ୍ଷା, ସ୍ୱାସ୍ଥ୍ୟ ବିଭାଗ ପ୍ରଭୃତିି ପକ୍ଷରୁ ପ୍ରଜ୍ଞାପନ ମେଢ ସ୍ଥାନ ପାଇବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ସୂଚନା ଓ ଲୋକ ସଂପର୍କ ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ରିଜର୍ଭ ଇନସପେକ୍ଟର ହେମନ୍ତ କୁମାର ଦାସ, ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ନକୁଳ ଚରଣ ଦାସଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ ।