ଜିଲ୍ଲା କୋଷାଗାର ତରଫରୁ ବୃକ୍ଷରୋପଣ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗୁରୁବାର ଆଷାଢ଼ ଶିବରାତ୍ରୀ ତିଥିରେ ଜିଲ୍ଲା କୋଷାଗାର ତରଫରୁ ରିକାପଲ୍ଲୀ ଟ୍ରେଜେରୀ କଲୋନୀଠାରେ ପ୍ରଥମ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଅତିରିକ୍ତ କୋଷାଗାର ଅଧିକାରୀ ଅଳକାନନ୍ଦା ତ୍ରିପାଠୀ, ଅର୍ଥ ସେବା ଅଧିକାରୀ ବିଷ୍ଣ ଚରଣ ସେଠୀ, ବରିଷ୍ଠ ଗାଣତିକ ରବୀନ୍ଦ୍ର ନାଥ ସାହୁ ଏବଂ ସମସ୍ତ କୋଷାଗାର କର୍ମଚାରୀ ଯୋଗଦାନ କରି ବିଭିନ୍ନ କିସମର ବୃକ୍ଷରୋପଣ କରିଥିଲେ। ଏହି ଅବସରରେ କଲୋନୀ ହତାରେ ଅଶ୍ୱତ୍ଥ, କଦମ୍ବ, ଅଁଳା, କୃଷ୍ଣଚୂଡ଼ା, ବେଲ, କରଂଜ ଆଦି ବୃକ୍ଷରୋପଣ ହୋଇ ବାଉଁଶ ଗହଣା ଦେଇ ସୁରକ୍ଷିତ କରାଯାଇଥିଲା। କୋଷାଗାର ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଅଶ୍ୱତ୍ଥ ଏବଂ ଅନ୍ୟାନ୍ୟ ବୃକ୍ଷରୋପଣ ଲାଗି ଜିତେନ୍ଦ୍ର କୁମାର ସେଠୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଏହି ବର୍ଷ ଛତ୍ରପୁର ଅଞ୍ଚଳରେ ପାଞ୍ଚ ଶହ ଅଶ୍ୱତ୍ଥ ବୃକ୍ଷ ରୋପଣ କରିବାର ଲକ୍ଷ୍ୟ ମଧ୍ୟ ଧାର୍ଯ୍ୟ ହୋଇଛି।ଅଶ୍ୱତ୍ଥ ବୃକ୍ଷ ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମରେ ସ୍ୱତନ୍ତ୍ର ମହାତ୍ମ୍ୟ ବହନ କରେ । ପଦ୍ମ ପୁରାଣ ଓ ସ୍କନ୍ଦ ପୁରାଣ ଭଳି ପୁରାଣଗୁଡ଼ିକରେ ଅଶ୍ୱତ୍ଥ ଗଛ ରୋପଣ କରିବାର ସୁଫଳ ବିଷୟରେ ବ୍ୟାପକ ଭାବରେ ବ୍ୟାଖ୍ୟା କରାଯାଇଛି । ଏହି ବୃକ୍ଷରୋପଣ ଏକ ପବିତ୍ର କାର୍ଯ୍ୟ ଭାବେ ପରିଗଣିତ ହୁଏ, ଯାହା ବ୍ୟକ୍ତିକୁ ଆଧ୍ୟାତ୍ମିକ ପୁଣ୍ୟ ଦେଇପାରେ ଏବଂ ମୋକ୍ଷ ପ୍ରାପ୍ତିରେ ସାହାଯ୍ୟ କରେ । ଏହାର ନାମ ଭଗବାନ ବିଷ୍ଣ ଓ ଭଗବାନ ଶିବ ସହ ଯୋଡ଼ି ହୋଇ ରହିଛି। ଏହି ଗଛ ପୂଜା କରିବା ଦ୍ୱାରା ସେମାନଙ୍କର ଆଶୀର୍ବାଦ ମିଳିଥାଏନ। ପୁରାଣ ଅନୁସାରେ, ଅଶ୍ୱତ୍ଥ ଚାରା ରୋପଣ ନକାରାତ୍ମକ କର୍ମ ଓ ପାପକୁ ନାଶ କରେ। ଏହି ଗଛ ରାତିରେ ମଧ୍ୟ ଅକ୍ସିଜେନ ଉତ୍ସର୍ଜନ କରିବାରେ ସକ୍ଷମ, ଯାହା ପରିବେଶକୁ ଶୁଦ୍ଧ କରିଥାଏ, ଆୟୁଷ ବଢ଼ାଏ ଓ ମଣିଷର ସ୍ୱାସ୍ଥ୍ୟକୁ ଉନ୍ନତ କରେ । ଏହାର ଔଷଧୀୟ ଗୁଣ ବିଭିନ୍ନ ରୋଗ ଠିକ କରିପାରେ । ଏହି ଗଛ ରୋପଣ ଓ ପରିଚର୍ଯ୍ୟା କରିବା ଦ୍ୱାରା ଗୃହକୁ ସମୃଦ୍ଧି ଓ ଧନ ଆସେ । ଏହି ଗଛ ପକ୍ଷୀ ଓ କୀଟପତଙ୍ଗ ଭଳି ବିଭିନ୍ନ ପ୍ରାଣୀମାନଙ୍କୁ ଆଶ୍ରୟ ଓ ଖାଦ୍ୟ ପ୍ରଦାନ କରି ପରିବେଶୀୟ ସନ୍ତୁଳନକୁ ରକ୍ଷା କରିଥାଏ । ଗଛଗୁଡ଼ିକ ମାଟିକୁ ଫୁସଫୁସିଆ କରି ତାର ଉର୍ବରତାକୁ ରକ୍ଷା କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ନିରଞ୍ଜନା ନଦୀ କୁଳରେ ଦିନେ ଏହି ବୃକ୍ଷ ତଳେ ସ୍ୱୟଂ ସିଦ୍ଧାର୍ଥ ଗୋତମ ବୁଦ୍ଧତ୍ୱ ପ୍ରାପ୍ତି କରିଥିଲେ। ଏଥିପାଇଁ ଏହି ବୃକ୍ଷର ସକାରାତ୍ମକ ସାମାଜିକ ପ୍ରଭାବର ଦିଗକୁ ଆଲୋଚନା କରି ଜିଲ୍ଲା କୋଷାଗାର ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଏକ ନୂତନ ବାର୍ତ୍ତା ଦେଇ ଜନ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବୋଲି ଏହି ଅବସରରେ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ