ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ବାଘଳା ପଂଚାୟତର ଚାଷୀ
ଛତ୍ରପୁର, (ଦେବଦତ୍ତ ମହାରଣା) :ଧାନ କିଣାରେ ଅନିୟମିତତା ସହ ଦାୟିତ୍ୱରେ ଥିବା ଏସଏଚଜି ଗ୍ରୁପଙ୍କ ସମ୍ପର୍କୀୟ ଚାଷୀଙ୍କ ଧାନ ପକ୍ଷପାତିତା କରି କିଣାଯାଉଥିବା ଅଭିଯୋଗ କରି ଆଜି ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ପଂଚାୟତର ଶତାଧିକ ଚାଷୀ ମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ସେମାନେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ଧାନ କିଣିବା ନିମନ୍ତେ ମା ସମଲେଶ୍ୱରୀ ମହିଳା ସ୍ୱୟଂ ସହାୟିକା ଗ୍ରୁପକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାୟିତ୍ୱ ଦିଆଯାଇଥିବା ବେଳେ ସେମାନେ ଏହି କାର୍ଯ୍ୟରେ ଅନିୟମିତତା କରୁଛନ୍ତି । ଯାହା ଫଳରେ ପଂଚାୟତର ଶହେ ରୁ ଉର୍ଦ୍ଧ୍ୱ ଚାଷୀ ମାନଙ୍କର ଧାନ ଏ ପର୍ଯ୍ୟନ୍ତ କିଣାଯାଇପାରିନାହିଁ । ଏହି ଚାଷୀ ମାନଙ୍କର ପ୍ରଥମେ ଟୋକେନ ଆସିଥିବା ବେଳେ ସେମାନଙ୍କୁ ଅଣଦେଖା କରାଯାଇ ଅନ୍ୟ ଚାଷୀ ମାନଙ୍କର ଧାନ କିଣାଯାଇଛି । ତେଣୁ ଟୋକେନ ଆସିଥିବା ଚାଷୀ ମାନଙ୍କର ଅବଧି ଶେଷ ହୋଇଯାଇଛି । ଏଣୁ ଜିଲ୍ଲା ପ୍ରଶାସନ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସମସ୍ତ ଚାଷୀଙ୍କ ଧାନ ତୁରନ୍ତ କିଣିବା ନିମନ୍ତେ ପଂଚାୟତର ଚାଷୀ ମାନେ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ବାଘଳା ପଂଚାୟତର ସରପଂଚ ହୀନ ଖୁଣ୍ଟିଆଙ୍କ ସମେତ ନିରଞ୍ଜନ ପ୍ରଧାନ, ଏ. ବୁଡୁ ରେଡ୍ଡି, ଶିବରାମ ସାହୁ, ସଞ୍ଜୟ କୁମାର ନାହାକ, ସୁକାନ୍ତ କୁମାର ନାହାକ, ଲିଙ୍ଗରାଜ ନାହାକ, ମଙ୍ଗୁଳୁ ନାହାକ, ରାମନାଥ ପଣ୍ଡାଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।


