ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସଙ୍କ ଦ୍ବାରା ଚିକିତ୍ସା କାରଣରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ଅଭାବରୁ ଶିଶୁର ମୃତ୍ୟୁ ଅଭିଯୋଗ ହୋଇଛି l ଏ ନେଇ ଉତ୍ତେଜନା ଦେଖା ଦେଇଛି ।ଡାକ୍ତର ଅନୁପସ୍ଥିତିରେ ନର୍ସଙ୍କ ଦ୍ବାରା ଚିକିତ୍ସା କାରଣରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଡାକ୍ତରଖାନା ପରିସରରେ ମୃତଦେହ ରଖି ଗ୍ରାମବାସୀ ଓ ପରିବାର ଲୋକେ ପ୍ରତିବାଦ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମର ଅନିଲ କୁମାର ବିଷୋଇଙ୍କ ପୁଅ ଆୟୁଷର ରାତିରେ ପେଟ କାଟିବାରୁ ପରିବାର ଲୋକେ ପ୍ରଥମେ ଗୁରଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତରନଥିବାରୁପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ମଧ୍ୟ ସମାନ ଅବସ୍ଥା ଦେଖାଦେଇଥିଲା । ଡାକ୍ତର ନଥିବାରୁ ନର୍ସଙ୍କ ଦ୍ବାରା ଚିକିତ୍ସା ଚାଲିଥିବା ସମୟରେ ଆୟୁଷଙ୍କ ମୃତ୍ୟୁ ଘଟିଥିଲା ।ଏନେଇ ମୃତ ଶିଶୁର ବାପା କହିଛନ୍ତି, “ପୁଅର ପେଟରେ ଯନ୍ତ୍ରଣା ହେବାରୁ ରାତିରେ ପାରଳାଖେମୁଣ୍ଡି ଚିକିତ୍ସାଳୟରେ ଭର୍ତ୍ତି କରିଥିଲୁ । କୌଣସି ଡାକ୍ତର ନଥିବାରୁ ଡ୍ୟୁଟିରେ ଥିବା ନର୍ସ ଏକ ଇଞ୍ଜେକ୍ସନ ଲଗାଇଥିଲେ । ଏହାପରେ ହଠାତ ପୁଅର ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ନର୍ସଙ୍କୁ ଏ ବାବଦରେ ଜଣାଇଥିଲେ ମଧ୍ୟ ସେମାନେ ଶୁଣିନଥିଲେ। ଫଳରେ ପୁଅର ମୃତ୍ୟୁ ଘଟିଛି ।”ଚିକିତ୍ସା ଅଭାବରୁ ଶିଶୁର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । କାର୍ଯ୍ୟାନୁଷ୍ଠାନ ଦାବିରେ ଡାକ୍ତରଖାନା ପରିସରରେ ମୃତଦେହ ରଖି ଗ୍ରାମବାସୀ ଓ ପରିବାର ଲୋକେ ପ୍ରତିବାଦ କରିଛନ୍ତି । ଅନ୍ୟପଟେ ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଜପତି ସିଡିଏମଓ ସୂଚନା ଦେଇଛନ୍ତି ।