ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

ବାଲେଶ୍ୱର,(ଓ୍ବାଇଏନ୍ଏସ୍): ଜିଲ୍ଲା ଯୋଜନା କମିଟିର ବୈଠକ ଆଜି ସ୍ଥାନୀୟ ଜିଲ୍ଳା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ତଥା ମାନ୍ୟବର ଭୋଗରାଇ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ଦାସ ଏଥିରେ ଅଧ୍ୟକ୍ଷତା କରିବା ସହିତ ଜିଲ୍ଲାର ବିକାଶ ନିମନ୍ତେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲା ଯୋଜନା କମିଟିକୁ ନୂତନ ଭାବେ ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା । ଏହା ପରେ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଜିଲ୍ଲାର ବିଭିନ୍ନ୍ନ ଅଂଚଳରେ ଖର୍ଚ୍ଚ ପାଇଁ ୨୫ଟି ବିଭାଗ ପକ୍ଷରୁ ପ୍ରାୟ ୨୦୦୧କୋଟି ଟଙ୍କାର ଯୋଜନା ଅଟକଳ ପ୍ରସ୍ତୁତ ହୋଇଥିବା ନେଇ ବୈଠକରେ ସୂଚନା ଦିଆଯିବା ସହିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଏବଂ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ମାନ୍ୟବର କେନ୍ଦ୍ର ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମାନ୍ୟବର ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସୁକାନ୍ତ କୁମାର ନାୟକ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନିବେଦିତା ମହାନ୍ତି, ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ,ମାନ୍ୟବର ଜଳେଶ୍ୱର ବିଧାୟକଙ୍କ ପ୍ରତିନିଧି ଶ୍ରୀ ମାନସ ଜେନା, ମାନ୍ୟବର ରେମୁଣା ବିଧାୟକଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ବିଶ୍ୱାଳ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ସାହ୍ରୁଙ୍କ ସମେତ ଜିଲ୍ଲା ଯୋଜନା କମିଟିର ସଦସ୍ୟ-ସଦସ୍ୟା, ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଏଥିରେ ଯୋଗ ଦେଇ ବିଭିନ୍ନ କ୍ଷେତ୍ର ଲାଗି ପ୍ରସ୍ତୁତ ହୋଇଥିବା ଯୋଜନାର ଅଟକଳ ଏବଂ ବିଗତ ବର୍ଷମାନଙ୍କରେ ଖର୍ଚ୍ଚ ହୋଇଥିବା ଅନୁଦାନ ସମ୍ପର୍କରେ ଆଲୋଚନା କରିଥିଲେ । କମିଟି ଅଧ୍ୟକ୍ଷ ତଥା ମାନ୍ୟବର ଭୋଗରାଇ ବିଧାୟକ ଶ୍ରୀ ଅନନ୍ତ ଦାସ ଯୋଜନାର ସଫଳ ରୂପାୟନ ପୂର୍ବକ ଜିଲ୍ଲାକୁ ପ୍ରଗତିର ଶୀର୍ଷରେ ପହଂଚାଇବାକୁ ଆହ୍ୱାନ ଦେଇଥିଲେ । ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡଙ୍ଗୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯୋଜନାକୁ କାର୍ଯ୍ୟକାରୀ କରାଯିବା ଏବଂ ପାଣ୍ଠିର ସଫଳ ବିନିଯୋଗ ସହ ଠିକ୍ ସମୟରେ ବିନିଯୋଗ ପ୍ରମାଣପତ୍ର ଦାଖଲ ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ତୃଣମୂଳ ସ୍ତରରେ ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଇ ତାହାକୁ କାର୍ଯ୍ୟାନ୍ୱୟନ କରାଯିବା ଲାଗି ଗୃହରେ ମତପ୍ରକାଶ ପାଇଥିଲା । ବିଶେଷ କରି ମତ୍ସ୍ୟ ଚାଷ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ସ୍ୱଚ୍ଛ ଭାରତ ମିଶନ, ରାସ୍ତା ଓ ଗୃହ ନିର୍ମାଣ, କୃଷି କ୍ଷେତ୍ରରେ ହେଉଥିବା ବିଭିନ୍ନ ଯୋଜନାର ସୁଫଳ ଚାଷୀ ମାନଙ୍କ ନିକଟରେ ପହଂଚାଇବା, ସର୍ବ ଶିକ୍ଷା ଅଭିଯାନର କାର୍ଯ୍ୟକାରିତା, ସମବାୟ, ପଶୁପାଳନ, ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ ଧାର୍ଯ୍ୟ ସମୟରେ ପ୍ରୋତ୍ସାହନ ରାଶି ପ୍ରଦାନ, ସାଂସଦ ଏବଂ ବିଧାୟକ ପାଣ୍ଠିର ସୁବିନିଯୋଗ, ଜିଲ୍ଲାରେ ଜାରି ରହିଥିବା ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ଜଳସେଚନ ପ୍ରକଳ୍ପଗୁଡିକୁ କାର୍ଯ୍ୟକ୍ଷମ କରିବା, ବିଦ୍ୟୁତକରଣ ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଂଚାଇବା, ହସ୍ତତନ୍ତ ଏବଂ କ୍ଷୁଦ୍ର ଶିଳ୍ପର ବିକାଶ, ପାନୀୟ ଜଳ ଯୋଗାଣ, ସମାଜ ମଙ୍ଗଳ ବିଭାଗ ଦ୍ୱାରା ଯୋଜନା କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ନିଆଯିବା ସହିତ ବିଭିନ୍ନ ପ୍ରତିବନ୍ଧକକୁ କିଭଳି ଦୂର କରାଯାଇପାରିବ ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ସେହିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପ, ସହର ବିକାଶ, ପରିମଳ, ମହିଳା ଏବଂ ଶିଶୁ ବିକାଶ, ସଂସ୍କୃତି, ସାମାଜିକ ସୁରକ୍ଷା, ଜଙ୍ଗଲ ସୁରକ୍ଷା, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ପ୍ରଭୃତି ବିଭାଗର ପ୍ରସ୍ତୁତ ଯୋଜନା ସମ୍ପର୍କରେ ସଦସ୍ୟମାନେ ଆଲୋଚନା କରିଥିଲେ । ଗୃହର ନିର୍ଦ୍ଦେଶ କ୍ରମେ ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗ ଦ୍ୱାରା ଜିଲ୍ଲାରେ କରାଯିବାକୁ ଥିବା ପ୍ରକଳ୍ପ ତଥା କାର୍ଯ୍ୟକ୍ରମର ତଥ୍ୟ ଉପସ୍ଥାପନ କରିଥିଲେ । ଉପନିର୍ଦ୍ଦେଶକ(ଯୋଜନା ଓ ପରିସଂଖ୍ୟାନ) ଶ୍ରୀ ସବ୍ୟସାଚୀ ଦତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ