ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣକୁ ପ୍ରତିହତ କରିବା ପାଇଁ କଡା ପଦକ୍ଷେପ ନେବାକୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ପରିଡା ରାଜସ୍ୱ ଆଦାୟ ବୃଦ୍ଧିକୁ ତ୍ୱରାନ୍ନିତ କରିବା ପାଇଁ କହିଛନ୍ତି । ଜିଲ୍ଲାରେ ପୁର୍ବରୁ ୧୮୬ ଟି ହାଇସ୍କୁଲ ନିଜସ୍ୱ ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ଚିହ୍ନଟ ହୋଇଥିବା ୯୦ ଟି ହାଇସ୍କୁଲକୁ ତୁରନ୍ତ ପଟ୍ଟା ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପ୍ରାଥମିକ ବିଦ୍ୟାଳୟ, କଲେଜ ଗୁଡିକର ମଧ୍ୟ ପଟ୍ଟା ପ୍ରଦାନ କରିବା ପାଇଁ ସେ କହିଛନ୍ତି । ଜିଲ୍ଲାରେ ୫୩୫ ଟି ସୌରାତ୍ ଉତ୍ସ ରହିଥିବା ବେଳେ ସେଥି ମଧ୍ୟରୁ ୧୯୧ ଟି ସୌରାତ୍ ଉତ୍ସ ବନ୍ଦ ହୋଇଯାଇଛି । ଆଉ ବଳକା ୩୪୪ ଟି ସୌରାତ୍ ଉତ୍ସ ରୁ ୧୩୬ ଟି ଚାଲୁ ରହିଛି । ୨୦୮ ଟି କାର୍ଯ୍ୟକ୍ଷମ ହେବା ନିମନ୍ତେ କୁହାଯାଇତିବା ବେଳେ ୩୩ ଟି ସୌରାତ୍ ଉତ୍ସ ର ଅନୁମତି ଆସିଛି । ଜିଲ୍ଲାରେ ଜୁଲାଇ ଓ ଅଗଷ୍ଟ ସୁଦ୍ଧା ୧୦ ହଜାର ଗ୍ରାମ କଣ୍ଟକ ମାମଲାର ଫଇସଲା କରାଯାଇଥିବା ବେଳେ ଆସନ୍ତା ୩ ମାସ ମଧ୍ୟରେ ୫୦,୨୩୯ ମାମଲାର ଫଇସଲା କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଜିଲ୍ଲାରେ ବସୁନ୍ଧରା ଯୋଜନାରେ ଭୂମିହୀନ ହିତାଧିକାରୀ ମାନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ଏବେ ସୁଦ୍ଧା ୭୫୬ ଜଣ ହିତାଧିକାରୀ ମାନଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଉପଯୁକ୍ତ ତଦନ୍ତ କରି ହିତାଧିକାରୀ ମାନଙ୍କୁ ପଟ୍ଟା ପ୍ରଦାନ କରିବା ନିମନ୍ତେ ବୈଠକରେ ଆଲୋଚନା କରାଯାଇଛି । ଜିଲ୍ଲାରେ ରହିଥିବା ୨୬୯୦ ଏକର ବେବନ୍ଦୋବସ୍ତ ଜମିକୁ ବନ୍ଦୋବସ୍ତ କରାଯିବ । ୪୦ ବେଛପରି ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ପ୍ରସ୍ତାବ ରହିଛି । ଏହା ସହିତ ରାଜସ୍ୱ ବିଭାଗର କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ବିଷୟ ନେଇ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ପ୍ରଶନ୍ନ କୁମାର ପାତ୍ର, ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ସମେତ ରାଜସ୍ୱ ବିଭାଗର ଅନ୍ୟାନୟ ଅଧିକାରୀ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ ।


