ଜିଲ୍ଲା ସ୍ତରିୟ ରୋଗୀ କଲ୍ୟାଣ ସମିତି ବୈଠକ
କେନ୍ଦ୍ରାପଡା : ଜିଲ୍ଲା ସ୍ତରୀୟ ରୋଗୀ କଲ୍ୟାଣ ସମିତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଡାକ୍ତରଖାନା ଅଧିକ୍ଷକ ଡା.ଉର୍ମିଳା ମିଶ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଧିକାରୀ(ଜନସ୍ୱାସ୍ଥ୍ୟ)ଡା.ମିର୍ଜାବାବର ବେଗ ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟସେବା ସମ୍ପର୍କୀତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ବର୍ମା ଶ୍ୟାମଗୁଡିଆ ଠାରେ ନିର୍ମାଣାଧିନ ୩ଶହ ଶଯ୍ୟାବିଶିଷ୍ଟ ଡାକ୍ତରଖାନା ଗୃହ କାର୍ଯ୍ୟ ଯଥାଶୀଘ୍ର ଶେଷ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସମିତି ସଦସ୍ୟ ଆଇନଜିବୀ ସଞ୍ଜୟ କୁମାର ଜେନା ଡାକ୍ତରଖାନା ପରିସରରେ ଅଧିକ କ୍ୟାବିନ ଗୃହ ନିର୍ମାଣ କରାଯିବା ଏବଂ ବିଭିନ୍ନ ୱାର୍ଡରେ ଥିବା ପାଇଖାନା ଗୁଡିକର ନବୀକରଣ ଓ ମରାମତି ନିମନ୍ତେ ପ୍ରସ୍ତାବ ଦେଇଥିଲେ । ପୂର୍ବ ବୈଠକର ପ୍ରସ୍ତାବ ଗୁଡିକ ଉପରେ ଆଲୋଚନା କରାଯାଇଥିଲା । ଡାକ୍ତରଖାନା ପାଇଁ ଆବଶ୍ୟକ ସରଞ୍ଜାମ ଗୁଡିକ କିଣାଯିବା ପାଇଁ ନିଷ୍ପତି ନିଆଯାଇଥିଲା । ନିର୍ମାଣାଧିନ ପ୍ରକଳ୍ପ ଗୁଡିକର କାର୍ଯ୍ୟ ତୁରନ୍ତ ଶେଷ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମିତି ସଦସ୍ୟ ରାଜେଶ ଦାସ,ଆଇନଜିବୀ ସଞ୍ଜୟ କୁମାର ଜେନା,ପୂର୍ତ୍ତ ଉପଖଣ୍ଡର ଉପନିର୍ବାହୀ ଯନ୍ତ୍ରୀ ବିଜୟାନନ୍ଦ ଦାସ,ଜିଲ୍ଲା ମଙ୍ଗଳ ଅଧିକାରୀ କାଳନ୍ଦି ଚରଣ ଭୋଇ,ସହକାରୀ ନିର୍ବାହୀ ଯନ୍ତ୍ରୀ ଜନ୍ମେଜୟ ନାୟକଙ୍କ ସମେତ ଡାକ୍ତରଖାନା ଷ୍ଟାଫମାନେ ଉପସ୍ଥିତ ଥିଲେ ।