ଜିଲ୍ଲା ସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ. ବି.ଆର. ଆମ୍ବେଦକରଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ପୁରୁଣା ବସଷ୍ଟାଣ୍ଡରେ ଥିବା ଡଃ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ନଗରପାଳ ସରିତା ସାହୁ, ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ପୈାରନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଲିଆରସିଂହ, ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲି ଓ ସମିତର କର୍ମକର୍ତ୍ତା, ଅବସରପ୍ରାପ୍ତ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ଅଜୟ ସାମଲ, ପୈାର କାଉନସିଲର ଓ ସହରର ବୁଦ୍ଧିଜୀବିମାନେ ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ । ଏହାପରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଟିତ ହୋଇଥିଲା । ଡଃ. ବି.ଆର. ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଆମ୍ବେଦକରଙ୍କ ଜୀବାନାଦର୍ଶରେ ଅନୁପ୍ରାଣିତ ହେବା ସହ ସମୃଦ୍ଧ ଭାରତବର୍ଷ ଗଠନରେ ସମସ୍ତଙ୍କର ଅବଦାନ ରହିବା ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ଆହ୍ୱାନ ଦେଇଥିଲେ । ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସେଠୀ, ନଗରପାଳ ଶ୍ରୀମତୀ ସାହୁ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରା, ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ପରିଡା, ଶ୍ରୀ ସାମଲ, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ,ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ଶ୍ରୀ ମୁଦୁଲି, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା କାର୍ଯ୍ୟାଳୟ ଓ ପୈାରପରିଷଦର କର୍ମଚାରୀମାନେ ଯୋଗଦେଇ ଡଃ. ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ତାଙ୍କ ଜୀବନଦର୍ଶରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଭାରତବର୍ଷ ଗଠନରେ ବ୍ରତୀହେବାକୁ ମତବ୍ୟକ୍ତ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତାର ୬ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବଳିଆରସିଂହ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


