ଜିଲ୍ଲା ସ୍ତରୀୟ ନିଯୁକ୍ତିମେଳା ଅନୁଷ୍ଠିତ,୨ହଜାରରୁ ଉର୍ଦ୍ଧ୍ୱ ବେକାର ଯୁବକଯୁବତୀ ଯୋଗଦେଲେ
କେନ୍ଦ୍ରାପଡ଼ା – ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଶୁକ୍ରବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ମେଳାକୁ ଉଦଘାଟନକରି ଆଜିର ଏହି ନିଯୁକ୍ତିମେଳାରେ ଯୋଗଦେଇଥିବା ଯୁବକଯୁବତୀମାନେ ଆବେଦନ କରୁଥିବା ସଂସ୍ଥାରେ ପ୍ରଶିକ୍ଷଣ ସମାପ୍ତି କରିବା ପରେ ଯେଉଁ ସଂସ୍ଥାରେ ନିଯୁକ୍ତି ପାଇବେ ସେଠାରେ ଧର୍ଯ୍ୟର ସହିତ ନିଜର କର୍ତ୍ତବ୍ୟ ସଂପାଦନ କଲେ ସେମାନେ ସଫଳତା ଲାଭ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏଥିସହିତ ମୁଖ୍ୟ ଅତିଥି ଶ୍ରୀ ପରିଡା କହିଥିଲେ ଯେ ଧର୍ଯ୍ୟର ଫଳ ସର୍ବଦା ମିଠା ହୋଇଥାଏ । ଏହି ଉପଲକ୍ଷେ ଜିଲ୍ଲା ନିୟୋଜନ ଅଧିକାରୀ ଅଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଯୁକ୍ତିମେଳାର ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ସନ୍ତୋଷ କୁମାର ମିଶ୍ର ଓ ପଟ୍ଟାମୁଣ୍ଡାଇ ଏସ.ଆଇ.ପି.ଟି.ର ଅଧ୍ୟକ୍ଷ ନିହାରରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ ପ୍ରଶିକ୍ଷଣ ଦ୍ୱାରା ନିଜର ଦକ୍ଷତାକୁ ବିକଶିତ କରି ନିଯୁକ୍ତି କ୍ଷେତ୍ରରେ ନିଷ୍ଠା ଓ ଶୃଙ୍ଖଳାର ସହିତ ନିଜର କର୍ତ୍ତବ୍ୟ ସମ୍ପାଦନ କଲେ ଯୁବକଯୁବତୀମାନେ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ସହିତ ଜିଲ୍ଲା ପାଇଁ ସୁନାମ ଆଣିପାରିବେ । ନିଯୁକ୍ତି ପ୍ରାପ୍ତ ପରେ ନିଜର ଜନ୍ମମାଟିକୁ ଭୁଲିନଯିବା ପାଇଁ ମଧ୍ୟ ସେମାନେ ପରାମର୍ଶ ଦେଇଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଦାଶ କହିଥିଲେ ଯେ ଆଜି ଏଠାରେ ଯୋଗଦେଇଥିବା ୨ହଜାରରୁ ଉର୍ଦ୍ଧ୍ୱ ବେକାର ଯୁବକଯୁବତୀମାନେ ସେମାନଙ୍କ ପ୍ରଶିକ୍ଷଣ ଶେଷକରି ଯେଉଁଠାରେ ନିଯୁକ୍ତି ପ୍ରାପ୍ତ ହେବେ ସେଠାରୁ ହଠାତ ଚାକିରୀ ଛାଡି ନଯିବାକୁ ପରାମର୍ଶ ଦେଇଥିଲେ । ଏହି ନିଯୁକ୍ତି ମେଳାରେ ଜିଲ୍ଲା ଭିତର ଏବଂ ଜିଲ୍ଲା ବାହାରୁ ଶୁଭମ ପ୍ଲେସମେଂଟ ଅଫିସ, ଏସ.ବି.ଆଇ.ର ଆର.ସେ.ଟି., ବିଦ୍ୟା ଭାରତୀ ଏଜୁକେଶନାଲ ଟ୍ରଷ୍ଟ, ଶଶି ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ, ଏସ.ବି.ଆଇ.ଲାଇଫ ଇନସୁରାନ୍ସ, ଓଡିଶା ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦେଶାଳୟ ଅଧିନ ପଟ୍ଟାମୁଣ୍ଡାଇ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, ଡିଭାଇନ ନର୍ସିଂ କେଆର ସଲ୍ୟୁସନ୍ସ, କୈାଶଳ ପ୍ରଶିକ୍ଷଣ ଗୁରୁକୁଳ, ଲାଇଫ ଲାଇଟ କ୍ୟାରିଅର ସଲ୍ୟୁସନ ଡିଫେନ୍ସ ଏକାଡେମୀ, ସାକ୍ଷୀ ୱାର୍ଲଡ ଆସୋସିଏସନ, ଷ୍ଟେରଲିଂ ଗ୍ଲୋବାଲ ସ୍କିଲ୍ସ, ପଞ୍ଜାବ ଲୁଧିୟାନାର ବର୍ଦ୍ଧମାନ ଟେକଷ୍ଟାଇଲ ଲିମିଟେଡ, କ୍ୟାପିଟାଲ ସଲ୍ୟୁସନ୍ସ ଫାଇନାନସିଆଲ ସର୍ଭିସେସ, ଜି୪ଏସ ସିକ୍ୟୁର ସଲ୍ୟୁସନ୍ସ, ଦି ଜର୍ଜ ଟେଲିଗ୍ରାଫ ଟ୍ରେନିଂ ଇନଷ୍ଟିଟ୍ୟୁଟ, କଲ୍ୟାଣୀ ଇନିସିଏଟିବ ଫର ସ୍କିଲ ଡେଭଲପମେଂଟ, ସଭେରା ହେଲଥ କେଆର, ଭିଭୋ ହେଲଥ କେଆର, ପାୟିକ ସେଂଟିନେଲସ, ସି.ଭି.ରମଣ କଲେଜ ଅଫ ଇଞ୍ଜିନିଅରିଂ, ପି.ଏମ.କେ.ଭି.ୱାଇ. ର କେ.ଆଇ.ଇ.ଟି., ବାଲେଶ୍ୱରର ସି.ଆଇ.ପି.ଇ.ଟି., ଆସମାକ୍ସ ସ୍କିଲ ଡେଭଲପମେଂଟ, ୟୁଥ ଫର ଯବ ଫାଉଣ୍ଡେସନ, ଇନୋଡଷ୍ଟ, ଆଇ.ଏଲ.ଆଣ୍ଡ ଏଫ.ଏସ., ସି.ଆଇ.ପି.ଇ.ଟି.ପାରାଦୀପ, ନୁଆଦିଲ୍ଲୀର ସେଂଟ୍ରାଲ ଏଆରମେନ ସିଲେକସନ ବୋର୍ଡ ପ୍ରଭୃତି ୧୨ଟି ପ୍ରଶିକ୍ଷଣ ଓ ୨୨ଟି ନିଯୁକ୍ତିଦାତା ସଂସ୍ଥା କଲେଜ ପଡିଆରେ ନିଜ ନିଜର ଷ୍ଟଲ ଖୋଲି ବେକାର ଯୁବକଯୁବତୀମାନଙ୍କ ଠାରୁ ଆବେଦନପତ୍ର ଗ୍ରହଣ କରିଥିଲେ । ଏଥିସହିତ କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକ ପକ୍ଷରୁ ମଧ୍ୟ କଲେଜ ପଡିଆରେ ୯ଟି ଷ୍ଟଲ ଖୋଲାଯାଇ ସେଠାରେ ପ୍ରଥମେ ସେହିସବୁ ବ୍ଲକର ବେକାର ଯୁବକଯୁବତୀମାନଙ୍କ ଠାରୁ ସେମାନେ ଚାହୁଁଥିବା ପଦବୀ ନିମନ୍ତେ ଦରଖାସ୍ତ ଗ୍ରହଣ କରାଯିବାର ବ୍ୟବସ୍ଥା କରାଯାଇଥିଲା । ପ୍ରଥମେ ସେମାନେ ପ୍ରଶିକ୍ଷଣ ପାଇଁ ମନୋନ୍ୱିତ ହୋଇ ପ୍ରଶିକ୍ଷଣ ସମାପ୍ତି କରିବା ପରେ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇପାରିବେ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।