ଜିଲ୍ଲା ସ୍ତରୀୟ ବହୁମୁଖି ଅଂଶୀଦାର ଭିତ୍ତିକ ଦକ୍ଷତା କର୍ମଶାଳା
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷ ଠାରେ ବୁଧବାର ଅପରାହ୍ନରେ ଓରମାସ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଏକ ଦିବସୀୟ ବହୁମୁଖି ଅଂଶୀଦାର ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାକୁ ଗଞ୍ଜାମ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତୀ ୱାସନ୍ ଉଦଘାଟନ କରି ଜିଲ୍ଲାର ବେକାର ଯୁବକ ଯୂବତୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଚିହ୍ନଟ କରି ଦକ୍ଷତା ଓ କୌଶଳ ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହିତ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ସମ୍ପର୍କରେ ଜିଲ୍ଲାରେ ବ୍ୟାପକ ସଚେତନ କରିବା ନିମନ୍ତେ ବିପିଏମ, ବିପିସି ଓ ଏସଏଚଜି ମହିଳା ମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ଗ୍ରାମାଂଚଳର ବେକାର ଯୁବକ ଯୁବତୀ ମାନେ ଏହି ବିଷୟରେ ଜାଣିବା ପରେ ସେମାନେ ଅଧିକରୁ ଅଧିକ ଏହି ଯୋଜନାର ଲାଭ ପାଇପାରିବେ । ସେମାନେ ଏଥିରେ ତାଲିମ ନେଇ ବିଭିନ୍ନ କମ୍ପାନୀ ଗୁଡିକରେ ବିଭିନ୍ନ କେଟୋଗେରୀରେ ନିଯୁକ୍ତି ପାଇ ନିଜ ନିଜ ପରିବାର ଭରଣପୋଷଣ କରିବାରେ ସକ୍ଷମ ହେବା ସହ ପରିବାରର ଆର୍ଥିକ ଉନ୍ନତି ହୋଇପାରିବ ବୋଲି ସେ କହିଥିଲେ । ପୂର୍ବରୁ ଗଞ୍ଜାମ ଜିଲ୍ଲାର ବହୁ ଯୁବକ ଯୁବତୀ ମାନେ ଏହାର ତାଲିମ ପ୍ଧବ ରାଜ୍ୟ ବାହାରେ ବିଭିନ୍ନ କମ୍ପାନୀ ଗୁଡିକରେ ବହୁତ ଭଲ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ମଧ୍ୟ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ନିଜ ବକ୍ତବ୍ୟରେ କହିଥିଲେ । ଏହାକୁ ତଦାରଖ କରିବା ନିମନ୍ତେ ଗତ କିଛି ଦିନ ତଳେ ସେ ଓ ନିଯୁକ୍ତି ପାଇଥିବା ଯୁବକ ଯୁବତୀ ମାନଙ୍କ ଅଭିଭାବକ ମାନଙ୍କୁ ଧରି ବ୍ୟାଙ୍ଗଲେର ର କିଛି କମ୍ପାନୀ ଗୁଡିକ ବୁଲି ଅନୁଧ୍ୟାନ କରିଥିଲେ । ସେଠାରେ ନିଯୁକ୍ତି ପାଇଥିବା ଯୁବକ ଯୁବତୀ ମାନେ ବହୁତ ଆନନ୍ଦର ସହିତ ଥିବା ଦେଖି ଅଭିଭାବକ ଖୁସି ପ୍ରକଟ କରିଥିଲେ । ଏହାର ଏକ ସଫଳ ଡକ୍ୟୁମେଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ଗଞ୍ଜାମ ଜିଲ୍ଲା ଏହି କାର୍ଯ୍ୟକ୍ରମରେ ଏକ ଶ୍ରେଷ୍ଠ ଜିଲ୍ଲା ହୋଇପାରିବ ସେଥି ନିମନ୍ତେ ସମସ୍ତେ ଆଗଭର ହୋଇ କାର୍ଯ୍ୟ କରିବାକୁ ସେ କହିଥିଲେ । ଏହି କର୍ମଶାଳାକୁ ଓରମାସ୍ ର ଡେପୁଟି ସିଇଓ ଡଃ ଜ୍ୟୋତି ପ୍ରକାଶ ମହାନ୍ତି ସଂଯୋଜନା କରିଥିବା ବେଳେ ଜିଲ୍ଲାପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଏପିଡି (ତାଲିମ) ବାଣୀ ସୁକାନ୍ତ ବେବର୍ତ୍ତା ପଟ୍ଟନାୟକ, ଏମ୍ପେ୍ଲମେଣ୍ଟ ଏକ୍ସଚେଞ୍ଜର ଆଂଚଳିକ ନିର୍ଦ୍ଦେଶକ ଆର. ଏନ. କିଲାନାଙ୍କ ସେମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।