ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହରେ ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ପୂର୍ବାହ୍ନ ୧୦ ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରି ପାରମ୍ପାରିକ ଲୋକକଳା ସ୍ୱର୍ଗୀୟ, ଚିରନ୍ତନ ଓ ଆମ ସଭ୍ୟତାର ଆତ୍ମା ବୋଲି ଅଭିହିତ କରିଥିଲେ । ଲୋକକଳା ମାଧ୍ୟମରେ ଆମ ସଭ୍ୟତା ଓ ଇତିହାସ ଲୋକଲୋଚନକୁ ଆସିବା ସହ ଲୋକମାନଙ୍କ ମନରେ ଏହାର ପ୍ରଭାବ ବହୁକାଳ ବଞ୍ôଚ ରହେ । ପାରମ୍ପରିକ ଲୋକକଳାକୁ ଉଜ୍ଜୀବିତ କରି ରଖିବା ସହ କଳାକାରମାନଙ୍କ ଜୀବନ ଜୀବିକାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଜନମଙ୍ଗଳ ତଥା ଉନ୍ନତିମୂଳକ ଅଗ୍ରଣୀ ଯୋଜନାର ପ୍ରଚାର ପ୍ରସାର ଏକ ଅଭିନବ ଯୋଜନା ବୋଲି ଶ୍ରୀ ସାମଲ ଉଲ୍ଲେଖ କରିଥିଲେ । ଆସନ୍ତା ୧୫ତାରିଖ ଠାରୁ ୩୦ତାରିଖ ୧୫ ଦିନ ବ୍ୟାପି ପାରମ୍ପରିକ ଲୋକକଳା ମାଧ୍ୟମରେ ଜିଲ୍ଲାର ୯ଟି ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମରେ ଯେଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆମ ହସ୍ପିଟାଲ, ଆମ ଓଡିଶା ନବୀନ ଓଡିଶା, କୃଷି ଋଣ ଓ ଫସଲ ବୀମା, ମଧୁବାବୁ ପେନସନ ଯୋଜନା, ୫-ଟି ମାଧ୍ୟମରେ ବିଦ୍ୟାଳୟ ରୂପାନ୍ତରିକରଣ ଏବଂ ଆଦର୍ଶ ବିଦ୍ୟାଳୟ, ମିଶନ ଶକ୍ତି, ହକି କ୍ରୀଡାର ପ୍ରଚାର ପ୍ରସାର, ମମତା ଓ ହରିଶ୍ଚନ୍ଦ୍ର ଯୋଜନାର ସଫଳ ବାର୍ତ୍ତା ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ସେ ଆହ୍ୱାନ ଦେଇଥିଲେ । ଉକ୍ତ ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ମିର୍ଜା ବାବର ବେଗ୍ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ମଧୁବାବୁ ପେନସନ ଯୋଜନା, ଜିଲ୍ଲା ପ୍ରକଳ୍ପ ସଂଯୋଜକ(ମମତା) ମନୋରଞ୍ଜନ ଦାସ ମମତା ଯୋଜନା, ଏଲଡିଏମ୍ ମନୋଜ କୁମାର ପ୍ରଧାନ ବ୍ୟାଙ୍କ ଋଣ ଓ କୃଷି ଋଣ ତଥା ରାଜ୍ୟସରକାରଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବା ପ୍ରଦାନ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଉକ୍ତ ଶିବିରରେ ରାଜ୍ୟ ସରକାରଙ୍କଠାରୁ ପ୍ରଶିକ୍ଷଣ ନେଇଥିବା ଦୁଇଜଣ ସଂସାଧନ ସଭ୍ୟ ବିମଳ ପ୍ରସାଦ ପରିଡା ଓ ଦେବାଶିଷ ସାମଲ ଉପସ୍ଥିତ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଓ ଅନ୍ୟ ଦୁଇଜଣ ସଭ୍ୟମାନଙ୍କୁ ରାଜ୍ୟ ସରକାରଙ୍କ ଉପର ବର୍ଣ୍ଣିତ ଜନକଲ୍ୟାଣ ଯୋଜନା ବିଷୟରେ ପ୍ରଶିକ୍ଷଣ ଦେବା ସହ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ବ୍ଲକ ସ୍ତରରେ କିଭଳି ଢଙ୍ଗରେ ସରସ ଓ ସୁନ୍ଦର ଭାବେ ପରିବେଷଣ କରାଯାଇପାରିବ ସେ ସମ୍ପର୍କରେ ସଭ୍ୟମାନଙ୍କୁ ବୁଝାଇଥିଲେ । ସେମାନେ ପାରମ୍ପରିକ ଲୋକକଳା ମାଧ୍ୟମରେ ଏକ ଘଣ୍ଟା ଅବଧି ମଧ୍ୟରେ କିପରି ପରିବେଷଣ କଲେ ଲୋକମାନେ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ସଚେତନ ହେବେ ଓ ସୁଫଳ ପାଇପାରିବେ ସେ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ବ୍ଲକ ସ୍ତରରେ ବ୍ଲକ କଳା ସଂସ୍କୃତି ସଂଘ ସଭାପତି ଓ ଉପସଭାପତିମାନେ ଏହି ଯୋଜନାର ସଫଳ ରୂପାୟନ ପାଇଁ କଳାକାରମାନଙ୍କ ସହ ଯୋଗାଯୋଗ କରି ଏହାକୁ କାର୍ଯ୍ୟକାରୀ କରିବାକୁ ସଭାପତି ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ । ଉକ୍ତ ଶିବିର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଏବଂ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୋନାଲି ବେହେରା ସହାୟତା ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ଶିବିରରେ ୯ଟି ବ୍ଲକରୁ ୨୭ଜଣ(ପ୍ରତ୍ୟେକ ବ୍ଲକରୁ ୩ଜଣ ଲେଖାଏଁ) ଓ ୯ଜଣ ଡିଏସ୍ଏସ୍ଓ ମାନେ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ ରାଜସ୍ୱ ସହାୟକ ପ୍ରଦୀପ କୁମାର ଦାଶ, କନିଷ୍ଠ ରାଜସ୍ୱ ସହାୟିକା ଜୟଶ୍ରୀ ସାହୁ, ନିକ୍ଷେପକ ମଧୁସୂଦନ ମଲ୍ଲିକ, ତପନ ପରିଡା, ରଞ୍ଜନ ବେହେରା ଓ କନିଷ୍ଠ ରାଜସ୍ୱ ସହାୟକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।