ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭାରପ୍ରପ୍ତ ଆଂଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ ବୈଠକରେ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଦୈତାରୀ – ପାରାଦୀପ ୫ନମ୍ବର(କ) ଜାତିୟ ରାଜପଥର ଏହି ଜିଲ୍ଲା ଅନ୍ତର୍ଗତ ପଂଚୁପାଣ୍ଡବ ଠାରୁ ଭୁତୁମୁଣ୍ଡାଇ ପର୍ଯ୍ୟନ୍ତ ରାସ୍ତାରେ ଲୁହାଗୁଣ୍ଡ ବୋଝେଇ ଟ୍ରକ ଗୁଡିକ ଦିନ ଦିନ ଧରି ଛିଡା ହୋଇ ରହୁଥିବାରୁ ସେହି ରାସ୍ତାରେ ଅନ୍ୟ ଗାଡି ଗୁଡିକ ଚଳପ୍ରଚଳରେ ବାଧା ଉପୁଜିବା ସହ ଅନେକ ସମୟରେ ଦୂର୍ଘଟଣାମାନ ଘଟୁଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ଏସମ୍ପର୍କରେ ସୂଚନା ଦେବାକୁ ଯାଇ କହିଥିଲେ ଯେ ରାଜ୍ୟ ସ୍ତରରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ଯେ ପାରାଦୀପ ଠାରେ ଏହି ଆଇରନ ବୋଝେଇ ଟ୍ରକ ଗୁଡିକ ପାର୍କିଂ ନିମନ୍ତେ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯିବ । ଦୁହୁରିଆ ଠାରେ ରାସ୍ତା ଜାମ ହଟାଇବା ନିମନ୍ତେ ଜାତୀୟ ରାଜପଥର ବାମ ପାଶ୍ୱର୍ରେ ଏକ ସ୍ୱତନ୍ତ୍ର ରାସ୍ତା ଜାତୀୟ ରାଜପଥ ସହିତ ଯୋଡିବାକୁ ପ୍ରସ୍ତାବ ରଖାଯାଇଥିବା ଜାତୀୟ ରାଜପଥର ଅଧିକାରୀ ପ୍ରକାଶ କରିଥିଲେ । ଏତଦବ୍ୟତିତ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଗୁଡିକରେ ହମ୍ପସ ନିର୍ମାଣ ସହିତ ଡିଭାଇଡର ଗୁଡିକରେ ଧଳା ରଙ୍ଗ ଲଗାଇବା,ବାଇକ ଦୂର୍ଘଟଣା ରୋକିବାକୁ ହେଲମେଟ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବର୍ଷାଦିନ ପୂର୍ବରୁ ରାସ୍ତାକଡରେ ଥିବା ଗଛ ଗୁଡିକରୁ ଡାଳ କଟାଯିବା, କଟକ – ଚାନ୍ଦବାଲି ରାସ୍ତାର ସ୍କୁଲ ଥିବା ସ୍ଥାନରେ ଷ୍ଟପ ବୋର୍ଡ ଲଗାଯିବା,ଦୂର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନେଉଥିବା ବ୍ୟକ୍ତବିଶେଷଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ ସହିତ ସମଦ୍ୱର୍ଦ୍ଧିତ କରାଯିବାକୁ ସ୍ଥିର କରାଯାଇଥିଲା । ସଡକ ସୁରକ୍ଷା କମିଟି ପକ୍ଷରୁ ବିଭିନ୍ନ ସମୟରେ ସ୍ୱେଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଷ୍ପିଡ ଲିମିଟ ସୂଚନା ଫଳକ ଲଗାଯିବା,ଖମରପଡା ଓ ଆଂଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମ୍ୟାନହୋଲକୁ ତୁରନ୍ତ ମରାମତି କରାଯିବା,ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ଦୁହୁରିଆ ଠାରେ ଟ୍ରାଫିକ ପୋଷ୍ଟ ପ୍ରତିଷ୍ଠା କରାଯିବା,କଟକ – ଚାନ୍ଦବାଲି ରାସ୍ତାର କଟିକଟା,କୁସୁନପୁର,କାକତିଆ,ଚାନ୍ଦୋଲ,ଅନୁଆପଡା ଓ ଜଣ୍ଟିଲୋ ଆଇ.ବି.ନିକଟରେ ବାରମ୍ବାର ଦୂର୍ଘଟଣା ଘଟୁଥିବାରୁ ତାହାର ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା,ଛଗରିଆ, ଖମରପଡା,ଗୋପଛକ ଓ ଶ୍ୟାମସୁନ୍ଦରପୁର ଗଡା ନିକଟରେ ଥିବା ଆପ୍ରୋଚ ରୋଡରେ ହମ୍ପସ ନିର୍ମାଣ କରାଯିବା ପ୍ରଭୁତି ସମ୍ପର୍କରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହାଛଡା କେନ୍ଦ୍ରାପଡା ଜିଲ୍ଲାରେ ଏକ ଟ୍ରାଫିକ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯିବା ପାଇଁ ଏକ ଟ୍ରାଫିକ ଥାନା ପ୍ରତିଷ୍ଠା କରାଯିବା ନିମନ୍ତେ ବିଭାଗୀୟ କତ୍ତୃପକ୍ଷଙ୍କୁ ଜଣାଇ ଦିଆଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା,ସିଡିଏମଓ ଡା.ଉର୍ମିଳା ମିଶ୍ର,ପୂର୍ତ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପକୁମାର ମହାନ୍ତି,ଜାତୀୟ ରାଜପଥର ଅଧିକାରୀ ବିଶ୍ୱ ଭୂଷଣ ବିଶ୍ୱାଳ,ସହକାରୀ ପରିବହନ ଅଧିକାରୀ ଅକ୍ଷୟ କୁମାର ସେନାପତି,କମିଟି ସଦସ୍ୟ ସାମ୍ବାଦିକ ଭୈରବ କୁମାର ବ୍ରହ୍ମା,ଜିଲ୍ଲା ସୂଚନା ଓଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ,ସ୍ୱେଛାସେବୀ ଅନୁଷ୍ଟାନର କମ୍ରକର୍ତ୍ତା,ଆରଟିଓ ଷ୍ଟାଫ ନିର୍ମଳ କୁମାର ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ