ବିପର୍ଯ୍ୟସ୍ତ ଅବସ୍ଥାରେ ତିରୁଣା କୃଷି ସେବା ସମବାୟ ସମିତିନୂତନ ଗୋଦାମ ଗୃହ ନିର୍ମାଣ ପାଇଁ ଦାବି
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) : ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା କୃଷି ସେବା ସମବାୟ ସମିତି ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି । ସମିତିର ଥିବା କୋଠାଘରର ସମ୍ମୁଖ ଚୁନ ଦିଆଯାଇଥିବାରୁ ସୁନ୍ଦର ଥିବା ବେଳେ ଘର ଭିତର ପରିସ୍ଥିତି ସମ୍ମୁର୍ଣ୍ଣ ଭିନ୍ନ । ସମିତିରେ ଥିବା ଗୋଦାମ ଗୃହ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଯାହାଫଳରେ ଚଳିତ ବର୍ଷ ଧାନ ବିହନ ଗଚ୍ଛିତ ରଖିବା ପାଇଁ ସମିତିର ସାମର୍ଥ୍ୟ ହୋଇ ନଥିବା ଅଭିଯୋଗ ହୋଇଛି । କୃଷି ଓ କୃଷକଙ୍କ ପାଇଁ ସରକାରଙ୍କ ପକ୍ଷରୁ କରାଯାଉଥିବା ଯୋଜନାକୁ ଏହି ସମିତି ଉପହାସ କରୁଛି । ଏହି ସମିତି ମାଧ୍ୟମରେ କୃଷକମାନଙ୍କୁ ବିଭିନ୍ନ ତାଲିମ, ପ୍ରୋତ୍ସାହନ, ବିହନ ବଂଟନ, ଧାନ ସଂଗ୍ରହ ଆଦି କରାଯାଇଥାଏ । ଏହି ସମିତିଟି ୧୯୮୮-୮୯ରେ ଗଠନ କରାଯାଇଥିବା ବେଳେ ଏହି ସମିତି ଉପରେ ତିରୁଣା , ଡାବର, ଜାମୁଗାଁ ଆଦି ପଂଚାୟତର ଶହ ଶହ ଚାଷୀ ନିର୍ଭରଶୀଳ । କିନ୍ତୁ ଏହି ସମିତିଟି ଏବେ ଦୁର୍ଦ୍ଦିନରେ ଚାଲିଛି । ଏହି ସମିତିର ସମ୍ମୁଖ ଭାଗକୁ ରଙ୍ଗ ଦିଆଯାଇଥିବା ବେଳେ ଭିତରେ ଥିବା ସଂପାଦକ ଙ୍କ କୋଠରୀକୁ ଛାଡି ଦେଲେ ଅନ୍ୟ ୨ଟି ଗୃହ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଘରର ପ୍ଳାଷ୍ଟର ଛାଡି ଇଟା ଦେଖାଯାଉଥିବା ବେଳେ ଛାତରୁ ରଡ ଦେଖାଯାଉଛି । ବର୍ଷା ଦିନେ ଛାତରୁ ପାଣି ଗଳୁଥିବାରୁ ହେତୁ ଚଳିତ ବର୍ଷ ଧାନ ବିହନ ରଖିବାରେ ସକ୍ଷମ ହୋଇ ପାରି ନାହିଁ । ଯାହାଫଳରେ ଚାଷୀମାନେ ବିହନ ନେବାରୁ ବଂଚିତ ହେଉଛନ୍ତି । ଧାନମଣ୍ଡି ଖୋଲିବା ସମୟରେ ଚାଷୀଙ୍କର ଧାନ ଖରା ଓ କାକରରେ ପଡି ରହିବ ବୋଲି ସମିତିର ପରିଚାଳନା କମିଟିର ସଦସ୍ୟମାନେ ଅଭିଯୋଗ କରିଛନ୍ତି । ୧୯୯୪ ମସିହାର ବନ୍ୟା ଓ ୧୯୯୯ ମହାବାତ୍ୟାରେ ଘରଟି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିଲା । ଏହି ବିପର୍ଯ୍ୟସ୍ତ ଗୃହ ସଂପର୍କରେ ବିଭିନ୍ନ ସମୟରେ ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି ବିଭାଗ ପକ୍ଷରୁ କର୍ଣ୍ଣପାତ କରାଯାଉ ନଥିବା ପରିଚାଳନା କମିଟିର ସଦସ୍ୟ ପ୍ରଦୀପ୍ତ ସ୍ୱାଇଁ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ୨୦୦୨ ମସିହାରେ ଏହି ସମିତିର ସଭାପତି ଥିବା ବେଳେ ସମିତିର ବିପର୍ଯ୍ୟସ୍ତ ଗୃହ ସଂପର୍କରେ କଟକ ସେଂଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ ଓ ରାଜ୍ୟ ସମବାୟ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ । ହେଲେ କିଛି ଫଳ ଅଦ୍ୟାବଧି ମିଳିଲାନି । ବର୍ତମାନର ସଭାପତି କମଳାକାନ୍ତ ପରିଡା ସମାନ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ସମିତି ଗୃହ ସଂର୍ପକରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଅବଗତ କରିଥିବା କହିଛନ୍ତି । ଏହି ବିଷୟକୁ ନେଇ ଜଗତସିଂହପୁର ଜିଲ୍ଲା ସମବାୟ ବିଭାଗର ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ । ଏହି ସମବାୟ ସମିତିର ଗୋଦାମ ଗୃହକୁ ନୂତନ ଭାବେ ନିର୍ମାଣ କରିବା ପାଇଁ ସ୍ଥାନୀୟ ଅଂଚଳର ଚାଷୀମାନେ ଦାବି କରିଛନ୍ତି ।


