ଜୀବେ ଦୟା, ମାଙ୍କଡ଼ମାନଙ୍କ ଗହଣରେ ଜନ୍ମଦିନ ପାଳନ

ଭୁବନେଶ୍ୱର,(ୱାଇଏନ୍ଏସ୍): ପ୍ରତିଟି ମଣିଷ ପାଇଁ ଜନ୍ମଦିନ ଏକ ଅଭୁଲା ଦିନ । ଦିନଟିକୁ ସ୍ମରଣୀୟ ରଖିବା ପାଇଁ କେହି ହୋଟେଲ, ରେଷ୍ଟୁରାଣ୍ଟ, ପଞ୍ଚତାରକା ହୋଟେଲ କିମ୍ବା ବିଭିନ୍ନ ମଣ୍ଡପମାନଙ୍କରେ ଜନ୍ମଦିନ ଜାକଜମକରେ ପାଳନ କରିଥାନ୍ତି । ଏସବୁକୁ ବ୍ୟତିକ୍ରମ ଘଟାଇ ଜାତୀୟତାର ମହାନ୍ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ହୋଇ ନିଜର ଜନ୍ମଦିନକୁ ଏକ ନିଆରା ଓ ନିରାଡ଼ମ୍ବର ରୂପେ ପାଳନ କରିଛନ୍ତି ସାମାଜିକ କର୍ମୀ ଶ୍ରୀପତି ଆଚାର୍ଯ୍ୟ । ମହାମାରୀ କରୋନା ସମୟରେ ସେ ନିଜ ଜନ୍ମଦିନ ପାଳନକୁ ଜାକଜମକ ଠାରୁ ଦୂରେଇ ରହି ସାଙ୍ଗ, ସାଥି, ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନମାନଙ୍କୁ ନେଇ ମାଙ୍କଡ଼ମାନଙ୍କ ଗହଣରେ ଜନ୍ମଦିନ ପାଳିବା ସହ ମାଙ୍କଡ଼ମାନଙ୍କୁ ଖୁସି ବାଣ୍ଟିଛନ୍ତି । ଐତିହ୍ୟସମ୍ପନ୍ନ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ରେ ରହୁଥିବା ସମସ୍ତ ମାଙ୍କଡ଼ମାନଙ୍କୁ ଏହି ଅବସରରେ ପାଚିଲା ଦେଶୀ କଦଳୀ, ବାଦାମ, ବିସ୍କୁଟ ଏବଂ ପାଉଁରୁଟି ବଣ୍ଟନ କରାଯାଇଥିଲା । ଉପସ୍ଥିତ ସମସ୍ତ ମାଙ୍କଡ଼ମାନେ ଏକତ୍ରିତ ହୋଇ ଆନନ୍ଦରର ସହ ଖାଦ୍ୟ ଗୁଡ଼ିକର ମଜା ନେଇଥିଲେ । ଏ ସମ୍ପର୍କରେ ଶ୍ରୀପତି କୁହନ୍ତି ସମ୍ପ୍ରତି ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବା ସହ ଖାଦ୍ୟ ସଙ୍କଟର ଯଥେଷ୍ଟ ଅଭାବ ଦେଖାଦେଇଛି । ଦ୍ୱିତୀୟରେ ଏଠି ମାଙ୍କଡ଼ମାନେ ସଦାସର୍ବଦା ପର୍ଯ୍ୟଟକମାନଙ୍କ ହାତକୁ ଚାହିଁ ବସିଥାନ୍ତି । ମହାମାରୀ କରୋନା ଯୋଗୁଁ ପର୍ଯ୍ୟଟକମାନଙ୍କ ସଂଖ୍ୟା କମି ଯାଇଥିବାରୁ ଅଧିକାଂଶ ସମୟ ଭୋକିଲାରେ ରହିବା ପାଇଁ ସେମାନେ ବାଧ୍ୟ ହୋଇଥାନ୍ତି । ଏଭଳି ଉତ୍ସବ ପାଳନ ଏମାନଙ୍କ ଗହଣରେ ପାଳିଲେ ମନକୁ ଏକ ନିଆରା ଆନନ୍ଦ ମିଳିଥାଏ ଓ ଦିନଟି ସ୍ମରଣୀୟ ହୋଇ ରହିଥାଏ । ଏହି ଅବସରରେ ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ, ମୟୂରପ୍ରେମୀ ପ୍ରଫୁଲ୍ଲ ଦାସ, ସାମାଜିକ କର୍ମୀ ସଂଗ୍ରାମ କେଶରୀ ସାହୁ, ଶୀବ ଶତପଥୀ, ପ୍ରଶାନ୍ତ ମହାନ୍ତି, ଗଗନ ବିହାରୀ ପାଇଟାଲ, ଦେବଦାଶ ମହାନ୍ତି, ନାରାୟଣ ସାହୁ, ପ୍ରସନ୍ନ ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀପତିଙ୍କ ଏତାଦୃଶ ପଦକ୍ଷେପକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ