ଜୁନ ୩୦ ପରେ ବି କଟକଣା ଜାରି ରହିବ: ଉଦ୍ଧବ
ମୁମ୍ବାଇ: କରୋନା ପାଇଁ ସବୁଠାରୁ ବେଶି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିବା ମହାରାଷ୍ଟ୍ରରେ ଜୁନ ୩୦ ଲକଡାଉନ ପରେ ବି କଟକଣା ରହିବ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ମହାରାଷ୍ଟ୍ର ପାଇଁ ଲକଡାଉନ ଶବ୍ଦ ଆଉ ଗ୍ରହଣୀୟ ହେଉ ନ ଥିଲେ ବି ରାଜ୍ୟରେ କିଛିଟା କଟକଣା ଜାରି ରହିବ। କେତେକ କ୍ଷେତ୍ରରେ କଟକଣା କୋହଳ କରାଯିବ। ମାତ୍ର କଟକଣା ସମ୍ପୂର୍ଣ୍ଣ କୋହଳ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ କହିଛନ୍ତି। କୋରୋନା ଯୁଦ୍ଧରେ ଆମେ ପଛକୁ ଫେରିବା ନାହିଁ। କୋରୋନାକୁ ହରାଇବା ପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ। ଆମେ ବର୍ତ୍ତମାନ ଯୁଦ୍ଧର ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛେ। ତାଙ୍କୁ ରାଜ୍ୟବାସୀ ଏଥିରେ ପୂର୍ଣ୍ଣ ସମର୍ଥନ କରିବେ ବୋଲି ଉଦ୍ଧବ ଆଶା କରିଛନ୍ତି। ଅନଲକ୍ ପ୍ରକ୍ରିୟାରେ ଅର୍ଥନୀତିକୁ ସ୍ବାଭାବିକ କରିବା ପାଇଁ ସବୁ ସ୍ତରରେ ଉଦ୍ୟମ ହେଉଛି। ଏଣିକି ଠପ୍ ହୋଇଥିବା ପରିବହନକୁ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯିବ। ଲୋକାଲ ପାସେଞ୍ଜର ସେବାକୁ ସ୍ବାଭାବିକ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏସବୁ ସତ୍ତ୍ବେ ଯାତାୟାତ ଉପରେ ମଧ୍ୟ କଟକଣା ରହିବ। ସେହିପରି ଶିକ୍ଷା ବ୍ୟବସ୍ଥା ମଧ୍ୟ କୋରୋନା ପାଇଁ ବେଶି ପ୍ରଭାବିତ ହୋଇଛି। ପୁଣି କିପରି ଭାବେ ସ୍କୁଲ, କଲେଜରେ କଟକଣା ଭିତରେ ପାଠପଢ଼ା ହୋଇପାରିବ, ତାହାକୁ ନେଇ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ଉଦ୍ଧବ କହିଛନ୍ତି। ମନସୁନ ଆସି ସାରିଥିବାରୁ ଏହା ମଧ୍ୟ ରାଜ୍ୟ ସରକାରଙ୍କ ପାଇଁ ଏହା ଆଉ ଏକ ଚ୍ୟାଲେଞ୍ଜ ବୋଲି ଉଦ୍ଧବ କହିଛନ୍ତି।