ଜୁରୁଡି ଖଣି ଅଂଚଳରେ ଖଣି ପ୍ରଭାବିତ ନାଗରିକ ଓ ପରିବେଶ ସୁରକ୍ଷା ମଂଚ ପକ୍ଷରୁ ବିରାଟ ରାଲି

ଯୋଡ଼ା (ଯୁଗାଦ୍ଦନ୍ୟୁଜ) କେନ୍ଦୁଝର ଜିଲା ଯୋଡା ବ୍ଲକ ଜୁରୁଡି ଖଣି ଅଂଚଳରେ ଗୁରୁବାର ପୂର୍ବାହ୍ନରେ ଖଣି ପ୍ରଭାବିତ ନାଗରିକ ଓ ପରିବେଶ ସୁରକ୍ଷା ମଂଚ ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ବିଶାଳ ରାଲି କରାଯାଇଥିଲା । ଏହି ରାଲିରେ ଯୋଡା ବ୍ଲକ ଜଜାଙ୍ଗ ଗ୍ରାମପନଚାୟତର ଜଜାଙ୍ଗ, ବନ୍ଧୁଆବେଡା, କମଳପୁର, ଗୁରୁତୁଆଁ, ଜାମିର୍ତା , ଲହୁଣିପଶି, ଭୋଳବେଡା ପ୍ରଭୃତି ୭ ଗ୍ରାମରୁ ଶତାଧିକ ମହିଳା ପୁରୁଷ ସାମିଲ ହୋଇ ଜଜାଙ୍ଗଠାରୁ ଏକ ବିରାଟ ରାଲିରେ ବାହାରି ଲଙ୍ଗାଲଟା, ଜୁରୁଡି, କ୍ରେଚ୍ ହଟିଂ ପ୍ରଭୃତି ଅଂଚଳ ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଦାବି ଗୁଡିକ ହେଲା ୧- ନିଲାମ ପରେ ଖଣିରେ ପ୍ରଭାବିତ ଯୁବତୀ ଯୁବକଙ୍କୁ ସିଧାସଳଖ ନିଯୁକ୍ତି ଦେବା, ୨-ଖଣିରେ କାର୍ଯ୍ୟରତ ଶ୍ରମିକଙ୍କୁ ପୁନଃ ଅବସ୍ଥାପିତ ନିଶ୍ଚିତ କରିବା,୩- ଖଣି ପ୍ରଭାବିତ ସଂସ୍ଥାକୁ ଖଣିଜ ଦ୍ରବ୍ୟ ପରିବହନ, ରେଳଡବା ବୋଝେଇ ଓ ସମତୁଲ, କ୍ରସର ପ୍ଲାନ୍ଟ ଚଳାଇବା ଓ ସିଭିଲ ଠିକାଦାରୀଙ୍କୁ କାର୍ଯ୍ୟ ଯୋଗାଇଦେବା, ୪-ଖଣିଜ ଉତ୍ପାଦନ ଓ ଉତୋଳନ କମ୍ କରିବା, ୫-ଖଣି ପାଶ୍ୱର୍ରେ ଅବସ୍ଥିତ ଜଳାଶୟମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବା, ୬-ଆଦିବାସୀଙ୍କୁ ପ୍ରଲୋଭିତ କରି ଜଙ୍ଗଲଜମି ଅଧିଗ୍ରହଣ ବନ୍ଦ କରିବା, ୭-ଖଣି ପାଶ୍ୱର୍ରେ ଥିବା ସଂରକ୍ଷିତ ଓ ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା ଦେବା, ୮-ଆଦିବାସୀ ଓ ହରିଜନମାନଙ୍କ ମୂଲ୍ୟବାନ ଜମିକୁ କମ୍ପାନୀ ବଳ ପୂର୍ବକ ଦଖଲ ବନ୍ଦ କରିବା ଓ ତାଙ୍କ ଜମିକୁ ଫେରାଇ ଦେବା, ୯-ଉଚ୍ଚ କ୍ଷମତାବିଶିଷ୍ଟ ବ୍ଲାଷ୍ଟିଂ ବନ୍ଦ କରିବା, ୧୦-ରାସ୍ତାର ପ୍ରଶସ୍ତିକରଣ କରାଯାଇ ନତୁବା ଅଧିକ ଅଖ ବିଶିଷ୍ଟ ଟ୍ରକ ଚଳାଚଳ ବନ୍ଦ କରାଯାଉଏବଂ ଖଣିରେ ଲୋଡିଂ ପାଇଁ ଟ୍ରକ ଖଣି ଭିତରେ ପାର୍କିଂ କରାଯାଉ । ମଂଚର ସଭାପତି ନରେନ୍ଦ୍ର ହାଁସଦା, ସଂପାଦକ ପ୍ରଶାନ୍ତ ଘଣା, ସକ୍ରୀୟ ସଦସ୍ୟ ଭାତଡ ମାଝି, ସୁନିଆ ନାଏକ,ଚିତରଂଜନ ନାଏକ ପ୍ରମୁଖ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସରକାରଙ୍କର ନିଲାମ ପ୍ରକ୍ରିୟାରେ ବହୁ ବଡ ବଡ ଆନ୍ତଃରାଷ୍ଟ୍ରୀୟ କମ୍ପାନୀମାନେ ଅଂଶଗ୍ରହଣ କରି ଦୀର୍ଘ ବର୍ଷ ଧରି ଚାଲୁଥିବା ଖଣି ଗୁଡିକୁ ହାତଉଛନ୍ତି । ତେବେ ପୂର୍ବରୁ ଖଣିରେ କାର୍ଯ୍ୟ କରୁଥିବା ଖଣିଶ୍ରମିକ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାବତ କୌଣସି ନୀତିଗତ ନିଷ୍ପତି ନିଆଯାଇନାହିଁ । ଯଦି ନିଲାମ ପ୍ରକ୍ରିୟାରେ ନେଉଥିବା ନୂତନ କମ୍ପାନୀମାନେ ବର୍ତମାନ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ପୁନଃ ନିଯୁକ୍ତି ନଦିଅନ୍ତି , ତାହେଲେ ଅଂଚଳରେ ବେକାରୀ ସମସ୍ୟା ବୃଦ୍ଧି ପାଇବ ଏବଂ ନିଯୁକ୍ତି ପାଇଁ ଅଂଚଳରେ ହିଂସାତ୍ମକ ଆନ୍ଦୋଳନ ହେବ । ଏଣୁ ସରକାର ଏଥିପ୍ରତି ଯତ୍ନବାନ ହେବା ଉଚିତ ବୋଲି ସେମାନେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ