ଜେଲରେ କରୋନା ପ୍ରଭାବ : ଜେଲ୍ରୁ ଜାମିନ୍ରେ ବାହାରିଲେଣି ୩୦୦ କଏଦୀ, ଗଞ୍ଜାମ ଜିଲ୍ଲାରେ ବଢ଼ିପାରେ ଅପରାଧ
ବ୍ରହ୍ମପୁର, (ରାଜେଶ ପଟ୍ଟନାୟକ): ଗଞ୍ଜାମ ଜିଲାରେ ଜୁଲାଇ ଆରମ୍ଭରୁ କରୋନା ସ୍ଥିତି ବିପଦଜ୍ଜନକ ହେଉଥିବା ବେଳେ ତାହା ଏବେ ଘାତକ ସାଜିଛି। ଦୈନିକ କରୋନା ସଂକ୍ରମଣ ବୃଦ୍ଧି ହାର ଉପରକୁ ଚାଲିଗଲାଣି। ରାଜ୍ୟରେ ଚିହ୍ନଟ ସମୁଦାୟ ପଜିଟିଭଙ୍କ ମଧ୍ୟରୁ ୩୮ ପ୍ରତିଶତ ଗଞ୍ଜାମ ଜିଲାରେ। ଏହାର ପ୍ରଭାବ ମଧ୍ୟ ଜେଲରେ ରହୁଥିବା ବିଚାରାଧୀନ ବନ୍ଦୀଙ୍କ ଉପରେ ପଡୁଥିବା ଦେଖିବାକୁ ମିଳିଛି। ଏଣୁ ଜେଲରେ ଭିଡ଼ କମାଇବା ଓ ସାମାଜିକ ଦୂରତ୍ୱକୁ ନେଇ ୭୪୩ ବନ୍ଦୀଙ୍କ ମଧ୍ୟରୁ ପ୍ରାୟ ୩୦୦ ଜଣଙ୍କୁ ଅନ୍ତରୀଣ ଜାମିନରେ ମୁକୁଳା ଯାଇଥିବା ବ୍ରହ୍ମପୁର ମଣ୍ଡଳ କାରାପାଳ ଶଶୀକାନ୍ତ ମହାଲିକ ସୂଚନା ଦେଇଛନ୍ତି। ବର୍ତ୍ତମାନ ବିଭିନ୍ନ ଆପରାଧିକ ମାମଲାରେ ଗିରଫ ହୋଇ ଜେଲ ଆସୁଥିବା ବିଚାରାଧୀନ ବନ୍ଦୀଙ୍କ ମଧ୍ୟରୁ ହତ୍ୟା, ବଳାତ୍କାର ଭଳି କେତେକ ସଙ୍ଗିନ ମାମଲାର ଅଭିଯୁକ୍ତଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଅନ୍ତରୀଣ ଜାମିନରେ ଏବେ ଛଡ଼ାଯାଉଛି ବୋଲି ସେ କହିଛନ୍ତି। ଅନ୍ୟପଟେ ୫୦ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀଙ୍କୁ ଦିଗପହଣ୍ଡି ଜେଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ କେତେଜଣ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦେଶ କ୍ରମେ ଅନ୍ତରୀଣ ଜାମିନରେ ଛଡ଼ାଯାଉଛି ବୋଲି ସେ କହିଛନ୍ତି। ଜୁନରେ ପ୍ରଥମ ଥର ୨ ଅଭିଯୁକ୍ତ ପଜିଟିଭ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ମଣ୍ଡଳ କାରାଗାରରୁ ୧୭ ପଜିଟିଭ ଚିହ୍ନଟ ହୋଇସାରିଲେଣି ବୋଲି କାରାପାଳ ଶଶିକାନ୍ତ ମହାଲିକ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଏବେ ଯେଉଁ ପରିସ୍ଥିତି ରହିଛି ଏବଂ ସବୁଆଡେ ବେରୋଜଗାରୀ ଯୋଗୁଁ ଅପରାଧ ମୁଣ୍ଡ ଟେକି ସାରିଲାଣି ତା ଉପରେ ପୁଣି ଜେଲ୍ରୁ ଏତେ ସଂଖ୍ୟକ କଏଦୀଙ୍କୁ ଜାମିନରେ ମୁକୁଳାଇବା ଏହା ଅପରାଧ ଜଗତକୁ ଆହୁରି ଦୃଢ଼ କରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।


