ଜେସିବିରୁ ୧.୧୭ଲକ୍ଷ ଜୋରିମାନା ଆଦାୟ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀରୁ ବାଲି ଚୋରା ଚାଲାଣ ଏକ ନିତିଦିନିଆ ଘଟଣା ହୋଇଗଲାଣି । ନଦୀକୂଳିଆ ଅଂଚଳ ଗାଁର ଗାଡି ମାଲିକ ମାନେ ଉକ୍ତ ବାଲି ଚାଲାଣ ରେ ସଂପୃକ୍ତ ରହୁଥିବା ବେଳେ ପ୍ରତ୍ୟକ ବର୍ଷ ଲକ୍ଷାଧିକ ଟଙ୍କାର ରାଜସ୍ୱ ଚୋରି କରୁଛନ୍ତି । ନଦୀର ବନ୍ଦାଳୋ-ମଢ଼ିଆଳି ଠାରୁ ଆରମ୍ଭ କରି ବନସ୍ତା, ନେରଡ଼ା, କୁମ୍ଭାରୀଆ, ମଣିନାଥପୁର, ମୁଢାପଦା ପ୍ରମୁଖ ସ୍ଥାନରୁ ଦୈନନ୍ଦିନ ବାଲି ଉତ୍ତୋଳନ ହୋଇ ଜିଲ୍ଲା ଓ ଜିଲ୍ଲା ବାହାରକୁ ଚାଲାଣ ହେଉଛି । କେତେକ ଜାଗାରେ ଶ୍ରମିକ ମାନେ ବାଲି ଉତ୍ତୋଳନ କରୁଥିବା ବେଳେ ଆଉ କେତେକ ଜାଗାରେ ଉଚ୍ଚକ୍ଷମତା ସମ୍ପନ ମେସିନ ମଧ୍ୟ ବାଲି ଉତ୍ତୋଳନ କରୁଥିବା ଜଣାଯାଇଛି । ପୁଲିସ ଓ ତହସିଲ ପ୍ରଶାସନ ପକ୍ଷରୁ ଏହାକୁ ରୋକିବା ପାଇଁ ଚେଷ୍ଟା କରାଯାଉଥିଲେ ସୁଦ୍ଧା ତାହା ସମ୍ଭବପର ହୋଇ ପାରୁନାହିଁ । ଏହି ପରିପ୍ରେକ୍ଷୀରେ ଆଜି ଭଣ୍ଡାରିପୋଖରୀ ତହସିଲଦାର ସରୋଜକାନ୍ତ ନାୟକଙ୍କ ନେତୃତ୍ୱରେ ମଣିନାଥପୁର ଅଂଚଳରେ ଚଢ଼ାଉ ହୋଇଥିବା ବେଳେ ଅନେକ ବେଆଇନ ବାଲି ଗାଡି କୌଶଳକ୍ରମେ ଖସି ଯାଇଥିବା ଜଣାପଡିଛି । ଏହା ସତ୍ତ୍ୱେ ନିକଟ ମୁଢାପଦା ଗ୍ରାମକୁ ଲାଗି ବୈତରଣୀ ନଦୀ ଭିତରେ ଏକ ଜେସିବି ବାଲି ଉତ୍ତୋଳନ କରୁଥିବା ବେଳେ ତହସିଲଦାର ଏହାକୁ ଧରିଛନ୍ତି । ଏହା ସହିତ ଏକ ଟ୍ରାକ୍ଟରକୁ ମଧ୍ୟ ଜବତ କରାଯାଇଛି । ଦୁଇ ଗୋଟି ଗାଡି ଠାରୁ ୧.୧୭ଲକ୍ଷ ଜୋରିମାନା ଆଦାୟ ହୋଇଥିବା ସୂଚନା ଦିଆଯାଇଛି । ଅନୁରୂପ ଭାବେ ଥାନା ପକ୍ଷରୁ ମଧ୍ୟ ଦୁଇ ଗୋଟି ବାଲି ଗାଡିକୁ ଜବତ କରାଯାଇଛି ।