ଜୈବିକ ଚାଷୀ ଗୋବିନ୍ଦଙ୍କ ଢ଼ିଙ୍କିକୁଟା ଚାଉଳର ଚାହିଦା ବଢ଼ୁଛି

ହାଟଡ଼ିହି, : ବର୍ତ୍ତମାନ ବିଜ୍ଞାନ ଯୁଗରେ ଲୋକମାନେ ମିଲରେ ମେସିନି ଦ୍ୱାରା ପ୍ରସ୍ତୁତ ଚାଉଳକୁ ବ୍ୟବହାର କରୁଥିବାବେଳେ ପୁର୍ବର ଢ଼ିଙ୍କି କୁଟା ଚାଉଳ ଆଉ ପ୍ରାୟତ ଦେଖିବାକୁ ମିଳୁନି । କିନ୍ତୁ ଏହି ସମୟରେ ନିଜ ସପରିବାର ଲୋକଙ୍କ ସହଯୋଗରେ ଢ଼ିଙ୍କିକୁଟା ଚାଉଳ ପ୍ରସ୍ତୁତ କରି ଚର୍ଚ୍ଚାରେ ରହିଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡଙ୍ଗାଚୁଆ ଗ୍ରାମର ଗୋବିନ୍ଦ ମାଝୀ । ଗ୍ରାମର ଗୋବିନ୍ଦ ମାଝୀ ଜଣେ ସଫଳ ଚାଷୀ ଭାବେ ସମଗ୍ର ରାଜ୍ୟରେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି । ସେ ଜୈବିକ ସାର ଓ ବିଷ ଦ୍ୱାରା ଚାଷ କରିଥାନ୍ତି । କେବଳ ଧାନ ନୁହଁ ରାସାୟନିକ ସାର ବିଷ ପ୍ରୟୋଗ ନକରି ବିଭିନ୍ନ ପନିପରିବା, ମଧ୍ୟ ଚାଷକରୁଛନ୍ତି । ଏଥିସହ ଔଷଧିୟ ପନିପରିବା ମଧ୍ୟ ଉତ୍ପାଦନ କରୁଛନ୍ତି । ସେ ବ୍ଲକ ସ୍ତରୁରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ସଫଳ ଚାଷୀର ମାନ୍ୟତା ପାଇପାରିଛନ୍ତି । ଗୋବିନ୍ଦ ସ୍ୱର୍ଣ୍ଣ, ହଜାର ନଅ, ଭଳି ବିଦେଶୀ ଧାନ ଯାହାକି ଏକର ପିଛା ୨୦ରୁ ୨୫କୁଇଣ୍ଟାଲ ଫଳ ଦେଉଥିଲାବେଳେ ତାହାକୁ ନକରି ସେ ଏକର ପିଛି ୧୦ରୁ ୧୨କୁଇଣ୍ଟାଲ ଅମଳ ଦେଉଥିବା ଅଗ୍ନିଶର, ଦୁଧସର, ଭଜନା ଆଦି ଦେଶୀଧାନ ଚାଷ କରିବା ସହ ଏହି ଧାନରୁ ଢ଼ିଙ୍କି କୁଟା ଚାଉଳ ପ୍ରସ୍ତୁତ କରି ଏହାକୁ ବିକ୍ରୀ କରୁଛନ୍ତି । ଯାହାର ଚାହିଦା ଏବେ ବହୁତ ବୃଦ୍ଧି ପାଇଛି । ସେ ଭୁବନେଶ୍ୱରରେ ଅନୁଷ୍ଠିତ କୃଷକ କର୍ମଶାଳାକୁ ନିଜ ଢ଼ିଙ୍କିକୁଟା ଚାଉଳ ବିକ୍ରୀ କରିବାକୁ ନେଇଥିବାବେଳେ ବହୁ ଅଳ୍ପ ସମୟ ଭିତରେ ତାଙ୍କର ଚାଉଳ ବିକ୍ରୀ ହୋଇଯିବା ସହ ନିୟମିତ ଲୋକମାନେ ଆଉ ଚାଉଳ ପଠାଇବାକୁ ଟେଲିଫୋନ କରୁଛନ୍ତି ଯାହାକି ତଙ୍କର ମନୋବଳକୁ ଦ୍ୱିଗୁଣିତ କରିଛି ବୋଲି କହିଛନ୍ତି ଗୋବିନ୍ଦ । ତାଙ୍କର ୬ପରାଣୀ ପରିବାର ଏବେ ଚାଉଳ ପ୍ରସ୍ତୁତ କରିବାରେ ବ୍ୟସ୍ତ । ଧାନକୁ ପାଣିରେ ବତୁରାଇ ଦୁଇଦିନ ପରେ ତାହାକୁ ସିଝାଇ ଓ ପରେ ଦୁଇତିନି ଦିନ ଶୁ୍‌ଖାଇ ରଖିବାପରେ ଢ଼ିଙ୍କିରେ କୁଟି ଦୈନିକ ୩୦ରୁ ୪୦କେଜି ଚାଉଳ ପ୍ରସ୍ତୁତ କରୁଛନ୍ତି । ଗୋଟିଏ କୁଇଣ୍ଟାଲ ଧାନରୁ ୫୫ରୁ ୬୦କିଲୋ ଚାଉଳ ପାଇପାରୁଛନ୍ତି । ଏହି ଚାଉଳକୁ ସେ କିଲୋପିଛା ଶହେଟଙ୍କା ଦରରେ ବିକ୍ରୀ କରୁଛନ୍ତି । ଏଥିରେ ଗୋବିନ୍ଦଙ୍କ ସହିତ ଦେଉଲା ମାଝୀ, ଫୁଲ ମାଝୀ, ସାର ବେସ୍ରା, ସାକର ଟୁଡୁ ପ୍ରମୁଖ ପରିବାର ସଦସ୍ୟମାନେ ସହଯୋଗ କରୁଛନ୍ତି । ସବୁଠାରୁ ବଡକଥା ହେଲା ସେ ଦୀର୍ଘ ୨ବର୍ଷ ହେଲା ରାସାୟନିକ ସାର ବ୍ୟବହାର ନକରି ଜୈବିକ ଖତ, ଗୋବର, ଗୋମୁତ୍ର, ଗୁଡ, ବେସନ ଓ ଗରଗଛ ମୁଳ ମାଟି ଆଦି ବ୍ୟବହାର କରି ଜୈବିକ ସାର ପ୍ରସ୍ତୁତ କରିବା ସହିତ ରୋଗପୋକ ପାଇଁ ଲିମ୍ବପତ୍ର, ଅରଖପତ୍ର, କରଞ୍ଜପତ୍ର, ବ୍ୟବହାର କରି ଧାନ, ଓ ବିଭିନ୍ନ ପନିପରିବା ଚାଷ କରୁଛନ୍ତି । ଏଥିସହ ସେ ହରିଡା, ବାହାଡା, ଅଁଳା ଗଛର ଛେଲିରୁ ପ୍ରସ୍ତୁତ ଦ୍ରବଣ ପ୍ରୟୋଗକରି ସ୍ୱତନ୍ତ୍ର ଔଷଧିୟ ପନିପରିବା ଉତ୍ପାଦନ କରୁଛନ୍ତି । ଯାହାକି ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ ଉପାଦେୟ ବୋଲି ପ୍ରତିପାଦିତ ହୋଇଛି । ଏସବୁ କାର୍ଯ୍ୟପାଇଁ ସେ ବ୍ଲକରୁ ଆରମ୍ଭ କରି ରାଜ୍ୟସ୍ତରୀୟ ଶ୍ରେଷ୍ଠ କୃଷକ ଭାବେ ବିଭିନ୍ନ ସମ୍ମାନର ଅଧିକାରୀ ହୋଇପାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ